ତେଲ ବଜାରରେ ରେକର୍ଡ ! ଇତିହାସରେ ପ୍ରଥମ ଥର ପେଟ୍ରୋଲକୁ ଟପିଗଲା ଡିଜେଲ, ଦର ବୃଦ୍ଧିକୁ ନେଇ ବିଜେଡି-ବିଜେପି ଦୋଷ ଲଦାଲଦି ।

33

କନକ ବ୍ୟୁରୋ : ଆପଣ ଗାଡ଼ି କିଣିଲା ବେଳେ ଅନେକ ଫିଚର୍ ଦେଖି ଗାଡ଼ି କିଣିଥିବେ । ଯେମିତି କି, ଗାଡ଼ିର ମାଇଲେଜ୍, ପ୍ରାଇସ୍, ଡିଜେଲ ମୋଡ ନା ପେଟ୍ରୋଲ ମୋଡ୍, ଏମିତି ଅନେକ । ଆଉ ପେଟ୍ରୋଲ ଚାଳିତ ଗାଡ଼ି ବଦଳରେ ଡିଜେଲ ଚାଳିତ ଗାଡ଼ି କିଣିବା ପଛରେ ଏକ ବଡ କାରଣ ଥାଏ । ତାହା ହେଲା, ପେଟ୍ରୋଲ ଅପେକ୍ଷା ଡିଜେଲ ଦର ସାଧାରଣ କମ୍ ଥାଏ । କିନ୍ତୁ ଏହି ଧାରଣା ବଦଳି ଯାଇଛି । ପେଟ୍ରୋଲ ଦରକୁ ଟପି ଯାଇଛି ଡିଜେଲ । ଯାହା ସାଧାରଣ ଲୋକଙ୍କୁ ଯେତିକି ଅସୁବିଧାରେ ପକାଇଛି, ତାଠୁ ଅଧିକ ରାଜନୀତିରେ ନିଆଁ ଲଗାଇ ଦେଇଛି ।

ହୁଏତ ଆପଣ କାନ ଉଠିଲା ଦିନଠୁ କେବେ ଶୁଣି ନଥିବେ ଯେ, ପେଟ୍ରୋଲ ଅପେକ୍ଷା ଡିଜେଲ ଦର କେବେ ଅଧିକ ହୋଇଥିବ । କିନ୍ତୁ ଆଜିର ଦିନରେ ଯଦି ଆପଣ ଗାଡ଼ିରେ ଡିଜେଲ ପକାଇବାକୁ ଯିବେ ଏହି ଅନୁଭୂତି ବି ପାଇଯିବେ । କାରଣ ପେଟ୍ରୋଲକୁ ଟପିଲା ଡିଜେଲ । ତେଲ ବଜାରରେ ବିରଳ ଘଟଣା । କୁହାଯାଉଛି ଦେଶରେ ପ୍ରଥମ ଥର ପାଇଁ ଏଭଳି ଏକ ଘଟଣା ଘଟିଛି । ଆଜି ଭୁବନେଶ୍ୱରରେ ପେଟ୍ରାଲ ଦର ଲିଟର ପିଛା ୮୦ ଟଙ୍କା ୫୭ ପଇସା ଥିବାବେଳେ ଡିଜେଲ ଦର ଲିଟର ପିଛା ୮୦ ଟଙ୍କା ୬୯ ପଇସା । ଅର୍ଥାତ୍ ପେଟ୍ରୋଲ ଠାରୁ ଡିଜେଲ ଦର ୧୨ ପଇସା ଅଧିକ ।

ବିଶେଷଜ୍ଞଙ୍କ ମତ ଅନୁସାରେ ସାଧାରଣତଃ ଦୁଇଟି କାରଣ ଯୋଗୁଁ ଡିଜେଲ ଦର ବୃଦ୍ଧି ହୋଇଥାଏ । ପ୍ରଥମ କାରଣ ହେଲା, ବେସ ପ୍ରାଇସ୍ ବା ମୂଳ ମୁଲ୍ୟ ଅଧିକ ରହିବା । ଏବଂ ଦ୍ୱିତୀୟ କାରଣଟି ହେଲା, ପେଟ୍ରୋଲ ଓ ଡିଜେଲରେ ସମାନ ହାରରେ ମୂଲ୍ୟଯୁକ୍ତ ଟିକସ । ବଡ଼ କଥା ହେଉଛି ଡିଜେଲ ଦର ବୃଦ୍ଧିର ପ୍ରଭାବ ସାମଗ୍ରିକ ଭାବରେ ଶିଳ୍ପ, କୃଷି, ପରିବହନ ଆଦି କ୍ଷେତ୍ରକୁ ପ୍ରଭାବିତ କରିଥାଏ । ଏପଟେ ତେଳ ଦର ବୃଦ୍ଧି ରାଜନୀତିରେ ନିଆଁ ଲଗାଇ ଦେଇଛି । କେନ୍ଦ୍ରକୁ ରାଜ୍ୟ କହୁଛି ଭାଟ୍ କମାଅ, ରାଜ୍ୟ ସରକାର କହୁଛନ୍ତି ଏକ୍ସାଇଜ ଡ୍ୟୁଟି କମାଅ । ଆଉ ଏପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ମୁଣ୍ଡରେ ଦୋଷ ଲଦିଛି କଂଗ୍ରେସ । ଆଉ ଏସବୁ ଭିତରେ ପେଶି ହେଉଛନ୍ତି ସାଧାରଣ ଜନତା ।