ଦୁର୍ଘଟଣା ପରେ ରଣକ୍ଷେତ୍ର ପାଲଟିଲା ଅମୃତସର ! ବିକ୍ଷୋଭ ବେଳେ ପୁଲିସର ବଳ ପ୍ରଯୋଗ, ଲାଠିଚାର୍ଜର ଜବାବ ପଥର ମାଡ଼ରେ ଦେଲେ ଉତ୍ୟକ୍ତ ଲୋକ ।

33

କନକ ବ୍ୟୁରୋ : ଅମୃତସର ରେଳ ଦୁର୍ଘଟଣାରେ ୬୦ ଜଣଙ୍କ ଜୀବନ ଯିବା ପରଠାରୁ ରେଳ ଧାରଣା ଉପରେ ବସି ରହିଥିଲେ ସ୍ଥାନୀୟ ବାସିନ୍ଦା । ସରକାର ବିରୋଧୀ ସ୍ଲୋଗାନ ଦେବା ସହ ଟ୍ରେନ୍ ଡ୍ରାଇଭରଙ୍କ ବିରୋଧରେ କଠୋର ଶାସ୍ତି ଦାବି କରୁଥିଲେ । ଫଳରେ ଦୁଇ ଦିନ ହେଲା ଟ୍ରେନ୍ ସେବା ଠପ୍ ହୋଇଯାଇଥିଲା । ଆଜି ବିକ୍ଷୋଭକାରୀଙ୍କୁ ପୋଲିସ ବଳପୂର୍ବକ ଉଠାଇବା ବେଳେ ପୋଲିସ ଉପରକୁ ପଥରମାଡ କରିଥିଲେ ବିକ୍ଷୋଭକାରୀ । ସେପଟେ ଦୁର୍ଘଟଣାକୁ ନେଇ ଜୋର୍ ଧରୁଛି ରାଜନୀତି ।

ମାତ୍ର କିଛି ସେକେଣ୍ଡ ଭିତରେ ଚାଲିଗଲା ୬୦ଟି ଜୀବନ । ଦୁର୍ଘଟଣାର ୪୦ ଘଂଟା ପରେ ରଣକ୍ଷେତ୍ର ପାଲଟିଛି ରେଳ ଧାରଣା ଅଂଚଳ । ପୁଲିସ-ଜନତା ମୁହାଁମୁହିଁ । ଟ୍ରାକ୍ ଉପରେ ବସିରହିଥିବା ବିକ୍ଷୋଭକାରୀଙ୍କୁ ବଳପୂର୍ବକ ଘଉଡାଇଥିଲା ପୋଲିସ । ଆଉ ପ୍ରତିବାଦରେ ପୋଲିସ ଉପରକୁ ପଥର ମାଡ କରିଥିଲେ ସ୍ଥାନୀୟ ବାସିନ୍ଦା । ଦୁର୍ଘଟଣା ପରେ ଦୁଇ ଦିନ ହେଲା ସ୍ଥାନୀୟ ଲୋକେ ଟ୍ରାକ୍ ଉପରେ ବିକ୍ଷୋଭ ଜାରି ରଖିଥିଲେ । ଫଳରେ ଠପ୍ ହୋଇଯାଇଥିଲା ଟ୍ରେନ୍ ସେବା ।

ସବୁଠାରୁ ବଡ ପ୍ରଶ୍ନ ହେଉଛି, ଅମୃତସର ଦୁର୍ଘଟଣା ପାଇଁ ଦାୟୀ କିଏ? ରେଳ ବିଭାଗ ନା ସ୍ଥାନୀୟ ପ୍ରଶାସନ? ଦୁର୍ଘଟଣାକୁ ଦୁଇ ଦିନ ବିତିଯାଇଥିବା ବେଳେ ଏବେବି କାରଣ ଖୋଜା ଚାଲିଛି । ଦୁର୍ଘଟଣା ପାଇଁ ରେଳବିଭାଗକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ପୋଲିସ ହେପାଜତରେ ଥିବା ଟ୍ରେନ୍ ଡ୍ରାଇଭରକୁ କଠୋର ଶାସ୍ତି ଦେବାକୁ ଦାବି ହେଉଛି । ସେପଟେ ରେଳ ବିଭାଗ କହିଛି, ଟ୍ରାକ୍ ଉପରେ ଲୋକେ ଭିଡ ଜମାଇଥିବା ବେଳେ କଣ କରୁଥିଲା ସ୍ଥାନୀୟ ପ୍ରଶାସନ ।

କୁଆଡେ ଗଲେ ଆୟୋଜକ ? ଦୁର୍ଘଟଣାକୁ ନେଇ ବଢିଲା ରାଜନୀତି । ରେଳ ବିଭାଗ ଓ ପ୍ରଶାସନର ଦୋଷ ଠେଲାଠେଲି ମଧ୍ୟରେ ରାବଣ ପୋଡି ଉତ୍ସବର ଆୟୋଜକଙ୍କୁ ଖୋଜା ଚାଲିଛି । ହେଲେ ଦୁର୍ଘଟଣା ପରଠାରୁ ଫେରାର ହୋଇଯାଇଛନ୍ତି ଆୟୋଜକ । ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରେ ସ୍ପଷ୍ଟ ଭାବେ ଜଣାପଡୁଛି କିଭଳି ଘଟଣା ଦିନ ରାତିରେ ଫେରାର ହେଇଯାଉଛନ୍ତି ଆୟୋଜକ । ରାବଣ ପୋଡି ଉତ୍ସବରେ ମୁଖ୍ୟ ଅତିଥି ହୋଇ ଆସିଥିବା ମନ୍ତ୍ରୀ ନଭଜୋତ ସିଂ ସିଦ୍ଧୁଙ୍କ ପତ୍ନୀଙ୍କ ଉପରେ ବି ପ୍ରଶ୍ନ ଉଠିଛି । ଦୁର୍ଘଟଣାର ଦୁଇ ଦିନ ପରେ ଦୁର୍ଘଟଣା ଅଂଚଳରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି । ସେପଟେ ହସ୍ପିଟାଲରେ ୧୦ ଜଣ ଆହତଙ୍କ ଚିକିତ୍ସା ଚାଲିଛି । ଏପଟେ ଘଟଣାକୁ ନେଇ ରାଜନୀତି ବି ଜୋର ଧରିଛି ।