ରାଜନୀତିରେ ମହାମାରୀ ! ଧର୍ମେନ୍ଦ୍ରଙ୍କୁ ମାଲକାନଗିରି ମନାକୁ ନେଇ ଜୋର୍ ଧରିଲା ରାଜନୀତି

21

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଧର୍ମେନ୍ଦ୍ରଙ୍କୁ ମାଲକାନଗିରି ମନା । ମୃତ୍ୟୁକୁ ନେଇ ପୁଣି ସରଗରମ୍ ହୋଇଛି ରାଜନୀତି । ସୁରକ୍ଷା କାରଣ ଦର୍ଶାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତକୁ ସ୍ଥଗିତ ରଖିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି । ଯାହାକୁ ନେଇ ରାଜ୍ୟ ବିଜେପି ଖପ୍ପା । ସେପଟେ ବିଜେଡି କହିଛି କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତସୂଚୀ ଜିଲ୍ଲାପାଳ ନୁହଁନ୍ତି ମୁଖ୍ୟ ଶାସନ ସଚିବ ଜାଣିବା କଥା । ସେପଟେ ଦୁଇ ଦଳର ରାଜନୀତିରେ କଂଗ୍ରେସ ମଧ୍ୟ ମୁଣ୍ଡ ଖେଳାଇଛି ।

ମାଓବାଦୀର ଭୟ ନା ମୃତ୍ୟୁ ରାଜନୀତିର ଶ୍ରେୟ । ମାଲକାନଗିରି ଯିବାକୁ କାହିଁକି ମନା କରାଗଲା କେନ୍ଦ୍ରମନ୍ତ୍ରୀଙ୍କୁ । ସରକାରଙ୍କ କଥାରେ ପଡି ଜିଲ୍ଲା ପ୍ରଶାସନ ସୁରକ୍ଷାକୁ ଆଳ କରିଛି । ଏହି ଅଭିଯୋଗ ଆଣିଛି ରାଜ୍ୟ ବିଜେପି । ଏପରି୍ି ନବୀନଙ୍କ ପୂର୍ବରୁ ଧର୍ମେନ୍ଦ୍ର ଗସ୍ତ କଲେ କାଳେ ବିଜେପିର ପଲ୍ଲା ଭାରି ରହିବ , ସେହି ଆଶଙ୍କା ରହିଛି ବିଜେଡିର ।

ସେପଟେ ବିଜେଡିର ପାଲଟା ପ୍ରଶ୍ନ , କାହାକୁ ପଚାରି କେନ୍ଦ୍ରମନ୍ତ୍ରୀ ନିଜ କାର୍ଯ୍ୟକ୍ରମ ସ୍ଥିର କରିଥିଲେ । ନିୟମ, ଅନୁସାରେ , ଗସ୍ତ କାର୍ଯ୍ୟକ୍ରମ ସଂପର୍କରେ କେନ୍ଦ୍ର ମନ୍ତ୍ରାଳୟ, ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିବା କଥା । ହେଲେ ଚିଠି ଆସିଥିଲା ଜିଲ୍ଲା ପ୍ରଶାସନ ପାଖକୁ । ତେଣୁ ମାଓବାଦୀଙ୍କ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏ ନିଷ୍ପତି ନେଇଛି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ପଦକ୍ଷେପ ପରେ ବି ମୃତ୍ୟୁକୁ ରୋକା ଯାଇପାରୁନାହିଁ । ପ୍ରତିଦିନ ଜାପାନୀ ଜରରେ ଶିଶୁ ପ୍ରାଣ ହରାଇ ଚାଲିଛନ୍ତି । ତେବେ ମୃତ୍ୟୁକୁ ରୋକିବା ବଦଳରେ ମୃତ୍ୟୁକୁ ନେଇ ରାଜନୀତି ଚର୍ଚ୍ଚା ସୃଷ୍ଟି କରିଛି । ପୂର୍ବରୁ କଂଗ୍ରେସ ମାଲକାନଗିରିରେ ଶବ ଶୋଭାଯାତ୍ରା କରି ଲୁହ ବୁହାଇ ସାରିଛି । ବର୍ତ୍ତମାନ ସୁଦ୍ଧା ଶିଶୁ ମଡକ ଦେଖିବାକୁ ନବୀନ୍ ମାଲକାନଗିରି ଯାଇ ନାହାଁନ୍ତି । ଏଭଳି ପରିସ୍ଥିତିରେ କାଳେ କଂଗ୍ରେସ୍ ଭଳି ବିଜେପି ସହାନୁଭୂତିର ଶ୍ରେୟ ନେଇଯିବ, ସେହି ଆଶଙ୍କା ଘାରିଛି ।