କେମିତି ଚାଲିବ ସ୍କୁଲ୍ କ୍ୟାଂଟିନ୍ ! ଦୈନିକ ଖର୍ଚ୍ଚ ଲକ୍ଷେ ଟଙ୍କା, ଉଠାଇ ହେଉଛି ୫୦ହଜାର

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନୋଟ ବ୍ୟାନ ପରେ ସାରା ଦେଶରୁ ଆସୁଛି ଯନ୍ତ୍ରଣାର ଖବର । ପୁରୁଣା ନୋଟ୍ ବଦଳ କରିବା ଠାରୁ ନୂଆ ନୋଟ୍ ପାଇବାଯାଏଁ ହନ୍ତସନ୍ତ ହେଉଛନ୍ତି ସମସ୍ତେ । ନିତିଦିନିଆ ଘର ଖର୍ଚ୍ଚ ପାଇଁ ହୁଏତ ଦୈନିକ ଉଠାଣ ବ୍ୟବସ୍ଥା ଠିକ୍ ଅଛି । ହେଲେ ରେସିଡେନ୍ସିଆଲ୍ ଓ ଡେ-ବୋର୍ଡିଂ ସ୍କୁଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଛି ବିମୁଦ୍ରାକରଣ ନିଷ୍ପତି । ଗାଁ ଗହଳି ଛାଡନ୍ତୁ ବଡ ବଡ ସହରରେ ଏହାର ପ୍ରଭାବ ଖୁବ୍ ପଡିଛି ।

ସେମିତି ଏକ ସ୍କୁଲ ହେଉଛି ଭୁବନେଶ୍ୱରସ୍ଥିତ ଜାଭିୟର୍ସ ଇଂଟରନ୍ୟାସନାଲ୍ ସ୍କୁଲ୍ । ସ୍କୁଲରେ ରହିଛି ଡେ ବୋର୍ଡିଂ ବ୍ୟବସ୍ଥା । ଅର୍ଥାତ୍ ସକାଳୁ ଆସୁଥିବା ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇ ଅପରାହ୍ନ ପର୍ଯ୍ୟନ୍ତ ସ୍କୁଲରେ ରହନ୍ତି । ଦୈନିକ ପ୍ରାୟ ୫୦୦ ପିଲାଙ୍କ ପାଇଁ ହୋଇଥାଏ ଖାଇବାପିଇବାର ବ୍ୟବସ୍ଥା । ଏ ଆୟୋଜନ ପାଇଁ ଦୈନିକ ପ୍ରାୟ ୧ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ।

ହେଲେ ଏବେ ପୁରୁଣା ନୋଟ୍ ଅଚଳ ହୋଇଯିବା ପରେ ଚିନ୍ତାରେ ସ୍କୁଲ୍ କର୍ତ୍ତୃପକ୍ଷ । କାରଣ ବ୍ୟବସ୍ଥା ଅନୁସାରେ କରେଂଟ୍ ଆକାଉଂଟରୁ ପ୍ରତିଦିନ ଉଠାଇ ହେବ ମାତ୍ର ୫୦ହଜାର ଟଙ୍କା । ହେଲେ ଖର୍ଚ୍ଚ ହେଉଛି ପ୍ରାୟ ଲକ୍ଷେ ଟଙ୍କା । ଏପଟେ ପରିବା ବଜାରରେ ବି ହୋଇ ପାରୁନି କ୍ୟାସଲେସ୍ ଟ୍ରାନଜାକ୍ସନ୍ । ତେଣୁ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ବ୍ୟସ୍ତତା ବଢିଯାଇଛି ।

ସେହିପରି ରାଜଧାନୀର ଅନ୍ୟ ଏକ ପ୍ରମୁଖ ସ୍କୁଲ୍ ହେଉଛି ଟାଇମ୍ସ ଗୁରୁକୁଲ୍ । ଏହି ରେସିଡେନ୍ସିଆଲ୍ ସ୍କୁଲରେ ରହନ୍ତି ପ୍ରାୟ ହଜାରେ ପିଲା । ଏଠି ବି ପଡିଛି ବିମୁଦ୍ରାକରଣର ପ୍ରଭାବ ।

ପୁରୁଣା ନୋଟ୍ ଅଚଳ ହୋଇଯିବା ପରେ ସତେ ଯେମିତି ସବୁ ଅଚଳ ହୋଇ ପଡିଛି । ସଂକଟକୁ ଦୂର କରିବାକୁ ସରକାର ଚାଷୀଙ୍କ ପାଇଁ ନୂଆ ନୂଆ ଯୋଜନା କରୁଛନ୍ତି । ବିବାହ ଉତ୍ସବ ଆୟୋଜନ କରୁଥିବା ଲୋକଙ୍କ ପାଇଁ ଉଠାଣ ସୀମା ବଢିଛି । ହେଲେ ଏଭଳି ସ୍କୁଲ୍ ପାଇଁ ବି ସରକାର ନିୟମ କରିବାକୁ ଦାବି ହୋଇଛି ।