ଦିଲ୍ଲୀ କରୋଲବାଗର ଏକ ହୋଟେଲରେ ଭୀଷଣ ଅଗ୍ନିକାଣ୍ଡ ! ୯ ମୃତ, ଉଦ୍ଧାରକାର୍ଯ୍ୟ ଜାରି

63

କନକ ବ୍ୟୁରୋ : ନିଆଁ ନେଲା ୯ ଜୀବନ । ଦିଲ୍ଲୀ କରୋଲବାଗରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ବେଳେ ଏଥିରେ ୯ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୭ଜଣ ପୁରୁଷ, ଜଣେ ମହିଳା ଓ ଜଣେ ନାବାଳକ ଥିବା ଜଣାପଡ଼ିଛି । ଆଉ ତିନି ଜଣ ଫସି ରହିଥିବାର ଆଶଙ୍କା କରାଯାଉଛି ।  ନିଆଁ ଲିଭାଇବା ପାଇଁ ୨୬ ଟି ଦମକଳ ବାହିନୀ ନିୟୋଜିତ ଅଛନ୍ତି ।

 ଅନ୍ୟପଟେ ନିଆଁରୁ ବର୍ତିବାକୁ ଯାଇ ୩ଜଣ ବ୍ୟକ୍ତି ଚାରିମହଲା କୋଠାରୁ ଡେଇଁ ପଡ଼ିଥିଲା । ଡେଇଁପଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ୨୫ଜଣ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ନିଆଁକୁ ଆୟତ କରାଯାଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ।

ସୂଚନାଯୋଗ୍ୟ ଆଜି କାରୋଲବାଗ୍ ଅଞ୍ଚଳରେ ଥିବା ହୋଟେଲ୍ ଅର୍ପିତ ପାଲେସରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଦମକଳ ବାହିନୀ କହିବା ଅନୁସାରେ, ନିଆଁ ଲାଗିବା କାରଣରୁ ଛଅ ଜଣ ପୁରୁଷ, ଜଣେ ମହିଳା ଓ ଜଣେ ପିଲାର ମୃତ୍ୟୁ ଘଟିଛି। ସର୍ଟସର୍କିଟ୍ କାରଣରୁ ଭୋର୍ ପ୍ରାୟ ୪:୩୦ରେ ନିଆଁ ଜଳିଥିବା କଥା ସରକାରୀ କର୍ତ୍ତୃପକ୍ଷ କହୁଛନ୍ତି । ସକାଳ ୭ଟା ଯାଏଁ ୪୦ କୋଠରି ବିଶିଷ୍ଟ ହୋଟେଲ୍ରୁ ବହଳ ଧୂଆଁ ଓ ପ୍ରକାଣ୍ଡ ଅଗ୍ନିଶିଖା ଉଠୁଥିବା ଦେଖା ଯାଇଥିଲା  । ଘଟନାସ୍ଥଳକୁ ତୁରନ୍ତ ୨୬ଟି ଦମକଳ ଗାଡ଼ି ଯାଇଥିଲେ । ଏବେ ମଧ୍ୟ ଘଟନାସ୍ଥଳରେ ଉଦ୍ଧାର ଓ ନିଆଁ ଲିଭା ଚାଲିଛି ।