ଆକାଶମାର୍ଗରୁ ମିସାଇଲ ଆକ୍ରମଣ ପାଇଁ ଭାରତ ପାଖରେ ଅସାଧାରଣ କ୍ଷମତା ! ସୁଖୋଇ ଯୁଦ୍ଧ ବିମାନରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳତାର ସହ ହେଲା ପରୀକ୍ଷା

68

କନକ ବ୍ୟୁରୋ : ସୁଖୋଇ ଲଢୁଆ ବିମାନରୁ ବର୍ଷା ହେବ ସୁପର ସୋନିକ୍ କ୍ରୁଜ୍ ମିଜାଇଲ୍ ବ୍ରହ୍ମୋସ୍ । ଶବ୍ଦଠାରୁ ତିନିଗୁଣ ଅଧିକ ବେଗରେ ଗତି କରି ବ୍ରହ୍ମୋସ୍ ରଚିବ ଧ୍ୱଂସର ଲୀଳା । ସାରା ବିଶ୍ୱରେ ଏଭଳି ଏକ ବିରଳ ସଫଳତା ମିଳିଛି ଭାରତୀୟ ବାୟୁ ସେନାକୁ । ସୁଖୋଇ-୩୦ ଏମକେଆଇ ଫାଇଟର ଜେଟରୁ ପ୍ରଥମ ଥର ବ୍ରହ୍ମୋସର ସଫଳ ପରୀକ୍ଷଣ କରାଯାଇଛି । ମହାଘାତକ ସୁପର ସୋନିକ କ୍ଷେପଣାସ୍ତ୍ର ବ୍ରହ୍ମୋସର ଅପଗ୍ରେଡ୍ କରାଯାଇ ଏହି ପରୀକ୍ଷଣ କରାଯାଇଛି ।

ଫଳରେ ବଡ଼ ଧରଣର ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ପ୍ରସ୍ତୁତ ହୋଇଛି ଭାରତ । ବଛା ବଛା ଅଂଚଳକୁ ଟାର୍ଗେଟ କରି ସୁଖୋଇରୁ ଷ୍ଟ୍ରାଇକ୍ କରାଯିବ ବ୍ରହ୍ମୋସ୍ । ବାରମ୍ବାର ନାଲିଆଖି ଦେଖାଉଥିବା ଚୀନ ଓ ପାକିସ୍ତାନ ପାଇଁ ବ୍ରହ୍ମୋସ ବନିବ ଭାରତର ଜବାବ । ସୁଖୋଇ ଫାଇଟର୍ ଜେଟ୍ ସହ ବ୍ରହ୍ମୋସର କମ୍ବିନେସନ ଶତ୍ରୁ ଦେଶ ପାଇଁ ଘାତକ ହେବ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ସୁଖୋଇ-୩୦ ଲଢୁଆ ବିମାନରୁ ପ୍ରକ୍ଷେପଣ କରାଯାଇଥିଲା ବ୍ରହ୍ମୋସ । ଆକାଶରୁ ଖସିବା ପରେ ଦୁଇ-ସ୍ତରୀୟ ଇଂଜିନ୍ କାମ କରିବା ସହ ବଙ୍ଗୋପସାଗରରେ ଥିବା ଟାର୍ଗେଟ ଧ୍ୱଂସ କରିଥିଲା ବ୍ରହ୍ମୋସ୍ । ଏହି ସୁପର ସୋନିକ କ୍ରୁଜ୍ ମିଜାଇଲ ବିଶ୍ୱର ସବୁଠୁ ଦ୍ରୁତଗାମୀ କ୍ଷେପଣାସ୍ତ୍ର । ସୁଖୋଇରୁ ବ୍ରହ୍ମୋସର ପରୀକ୍ଷଣ ସଫଳ ହେବା ପରେ ବୃଦ୍ଧି ପାଇଛି ଭାରତୀୟ ବାୟୁ ସେନାର ଶକ୍ତି ।

ନଜର ପକାଇବା ବ୍ରହ୍ମୋସ୍ର ବିଧ୍ୱଂସୀ କ୍ଷମତା ଉପରେ:
୪୫୦ କିଲୋମିଟର ଦୂରରୁ କରିପାରିବ ଶତ୍ରୁ ପକ୍ଷକୁ ଟାର୍ଗେଟ । ୨୦୦ କେଜି ଓଜନର ଅଣପାରମ୍ପରିକ ଅସ୍ତ୍ର ଏବଂ ୩୦୦ କେଜି ଓଜନର ଅଣୁ ଅସ୍ତ୍ର ବହନ କରିବା କ୍ଷମତା ରହିଛି । ସବୁଠୁ ବଡ ଶକ୍ତି ହେଉଛି ଶବ୍ଦ ଠାରୁ ୩ ଗୁଣା ଅଧିକ ବେଗରେ ଗତି କରିବାକୁ ସମର୍ଥ ଏହି କ୍ରୁଜ୍ ମିଜାଇଲ । ଅର୍ଥାତ ଘଂଟାକୁ ଗତି ୩ହଜାର ୫୦୦ କିଲୋମିଟର । ଜଳ ସ୍ଥଳ ଓ ଆକାଶ ମାର୍ଗରୁ ତାଣ୍ଡବ ରଚିପାରିବ ବ୍ରହ୍ମୋସ୍ ।

ଆଉ କିଛି ସଫଳ ପରୀକ୍ଷଣ ପରେ ବାୟୁସେନାରେ ସାମିଲ ହେବ ଏହି କ୍ରୁଜ୍ ମିସାଇଲ । ବାୟୁ ସେନାରେ ଋଷିଆ ନିର୍ମିତ ୨୪୦ଟି ସୁଖୋଇ ଲଢୁଆ ବିମାନ ଥିବା ବେଳେ ୪୨ଟି ବିମାନ ରହିବ ବ୍ରହ୍ମୋସ ପ୍ରକ୍ଷେପଣ କରିବା କ୍ଷମତା ।