ତିତଲି ତାଜା କଲା ଫାଇଲିନର ଅନୁଭୂତି ! ୨୦୧୩ ଅକ୍ଟୋବରରେ ହୋଇଥିଲା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ, ଭୟଙ୍କର ରୂପ ନେଇ ଆସୁଛି ତିତଲି ।

111

କନକ ବ୍ୟୁରୋ : ୧୯୯୯ ମହାବାତ୍ୟା ପରେ ଓଡିଶାରେ ଅଧିକ ପ୍ରଭାବ ପକାଇଥିଲା ବାତ୍ୟା ଫାଇଲିନ୍ । ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ଓଡିଶାର ଗୋପାଳପୁରରେ ହିଁ ମାଡ କରିଥିଲା । ଏହି ସମୟରେ ପବନର ବେଗ ଘଂଟାପ୍ରତି ୨୧୫ରୁ ୨୬୦ ରେକର୍ଡ ହୋଇଥିଲା । ଏବେ ଓଡିଶାକୁ ମାଡି ଆସୁଛି ବାତ୍ୟା-ତିତଲି । ପାଣିପାଗ ବିଭାଗ ଆକଳନ କରିଛି, ସ୍ଥଳଭାଗକୁ ହିଟ୍ କରିବା ବେଳେ ଏହାର ବେଗ ଘଂଟାପ୍ରତି ୧୪୦ରୁ ୧୬୫ କିଲୋମିଟର ରହିପାରେ । ଯାହା, ସ୍ଥଳଭାଗରେ କ୍ଷୟକ୍ଷତି କରିବା ସମ୍ଭାବନା ଅଧିକ ।

ବଙ୍ଗୋପସାଗରରେ ମାଡି ଆସୁଥିବା ବାତ୍ୟା ତିତଲି ୨୦୧୩ର ଫାଇଲିନକୁ ମନେ ପକାଇ ଦେଇଛି । କାରଣ ୧୯୯୯ ମହାବାତ୍ୟା ପରେ ଓଡିଶାରେ ଫାଇଲିନର ପ୍ରଭାବ ଅଧିକ ଅନୁଭୂତ ହୋଇଥିଲା । ଫାଇଲିନ୍ ମଧ୍ୟ ଥିଲା ଏକ୍ସଟ୍ରିମଲି ସିଭିଅର ସାଇକ୍ଲୋନିକ ଷ୍ଟର୍ମ । ୨୦୧୩ ଅକ୍ଟୋବର ୪ ତାରିଖରେ ଭିଏତନାମର ହୋଚିମିନ୍ ସହରଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ସୃଷ୍ଟି ହୋଇଥିବା ଏକ ସିଷ୍ଟମ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ନିକଟ ଦେଇ ବଙ୍ଗୋପସାଗରରେ ପ୍ରବେଶ କରିଥିଲା । ଅକ୍ଟୋବର ୯ ତାରିଖ ବେଳକୁ ଏହା ଡିପ୍ ଡିପ୍ରେସନରେ ପରିଣତ ହେବା ପରେ ଟ୍ରାକ୍ କଲା ଭାରତୀୟ ପାଣିପାଗ ବିଭାଗ ।

ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଓଡିଶା ମୁହାଁ ହୋଇଥିବାବେଳେ ୧୦ ତାରିଖ ବେଳକୁ ଏହା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ସାରିଥିଲା । ଆଉ ଭାରତୀୟ ପାଣିପାଗ ବିଭାଗ ତାର ନାଁ ରଖିଲା ଫାଇଲିନ୍ । ଆଉ ପରଦିନ ଅର୍ଥାତ ଅକ୍ଟୋବର ୧୧ରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ଓଡିଶାର ଗୋପାଳପୁର ଏବଂ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ ମଧ୍ୟରେ ସ୍ଥଳ ଭାଗକୁ ହିଟ୍ କରିବା ସମ୍ଭାବନା ପ୍ରକାଶ ପାଇଲା । ଆଉ ୧୨ ତାରିଖ ବେଳକୁ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ହୋଇ ରାତି ପ୍ରାୟ ସାଢେ ୯ଟାରେ ଗୋପାଳପୁର ଟିକଟରେ ସ୍ଥଳଭାଗକୁ ଛୁଇଁଥିଲା । କାଟେଗୋରୀ ଫୋର ହରିକେନ ଶ୍ରେଣୀର ହୋଇଥିବାରୁ ଏହି ସମୟରେ ପବନର ବେଗ ଘଂଟାପ୍ରତି ୨୧୫ କିଲୋମିଟର ରହିଥିଲା । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ସର୍ବାଧିକ ୩ ମିନିଟ୍ ପର୍ଯ୍ୟନ୍ତ ପବନର ବେଗ ୨୧୫ କିଲୋମିଟର ରହିଥିବାବେଳେ ଏହା ଗୋଟିଏ ମିନିଟ୍ ଧରି ୨୬୦ କିଲୋମିଟର ରହିଥିବା ମଧ୍ୟ ରେକର୍ଡ କରାଯାଇଥିଲା ।

ଫାଇଲିନକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେଇଥିଲେ ରାଜ୍ୟ ସରକାର । ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା ସବୁଠାରୁ ବଡ ସ୍ଥାନାନ୍ତର ପ୍ରକ୍ରିୟା । କୁହାଯାଉଛି ଗତ ୨୩ ବର୍ଷରେ ଓଡିଶା ଓ ଆନ୍ଧ୍ରପ୍ରଦେଶରେ ସବୁଠାରୁ ବଡ ସ୍ଥାନାନ୍ତର ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଇଥିଲା । ଉଭୟ ରାଜ୍ୟରେ ଉପକୂଳ ଜିଲ୍ଲାରୁ ପ୍ରାୟ ୫ ଲକ୍ଷ ୫୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଗଲା । କୁହାଯାଉଛି ବାତ୍ୟା ଓ ଏହାପରେ ବର୍ଷା ଫଳରେ ପ୍ରାୟ ୧ କୋଟି ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ସେହିପରି ଦୁଇ ରାଜ୍ୟରେ ୪ହଜାର ୨ଶହ ୪୦ କୋଟି ଟଙ୍କାର ସଂପତ୍ତି କ୍ଷୟକ୍ଷତି ହୋଇଥିଲା । ତଥାପି ରାଜ୍ୟ ସରକାର ଏତେବଡ ବାତ୍ୟାର ମୁକାବିଲା କରିବାରେ ସଫଳ ହୋଇଥିବା କୁହାଗଲା ।

ଏବେ ପୁଣି ମାଡିଆସୁଛି ଏକ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ । ଯାହା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ହୋଇପାରେ । ଏହା ପୁଣି ଗଞ୍ଜାମ ଗୋପାଳପୁରରେ ସ୍ଥଳଭାଗକୁ ହିଟ୍ କରିବା ସହ ଏହି ସମୟରେ ଘଂଟା ପ୍ରତି ୧୪୦ରୁ ୧୬୫ କିଲୋମିଟର ବେଗରେ ପବନ ବହିବା ଅନୁମାନ କରାଯାଉଛି । ଯାହା ବିଦ୍ୟୁତ ଖୁଂଟ, ଛୋଟଗଛ ଓ କଚ୍ଚା ଘରକୁ କ୍ଷତି ପହଂଚାଇବାକୁ ଯଥେଷ୍ଟ । ସେହିପରି ଦେଢ ମିଟର ଉଚ୍ଚର ସମୁଦ୍ର ଜୁଆର ଉଠିବ । ଏବଂ ୧୨ ତାରିଖ ଯାଏଁ ପ୍ରବଳ ବର୍ଷା ସହ ବନ୍ୟା ବିପଦ ବଢାଇବା ଅନୁମାନ କରାଯାଉଛି । ତେବେ ରାଜ୍ୟ ସରକାର ସମସ୍ତ ସତର୍କତା ଗ୍ରହଣ କରିଛନ୍ତି ଓ ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ୫ଟି ଜିଲ୍ଲାରେ ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଲୋକଙ୍କୁ ସତର୍କ କରିବା ସହ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି ।