କଟକ-ଭୁବନେଶ୍ୱରରେ ଜଳବନ୍ଦୀ ଲୋକଙ୍କୁ ମିଳିବ ରନ୍ଧାଖାଦ୍ୟ : ୪୮ ଘଂଟା ପାଇଁ ସତର୍କ ରହିବାକୁ ସୂଚନା

50

କନକ ବ୍ୟୁରୋ : ସାରା ରାଜ୍ୟରେ ଗତ ରାତିରୁ ପ୍ରବଳ ବର୍ଷା ଲାଗି ରହିଛି । ତେବେ ରାଜଧାନୀ ଭୁବନେଶ୍ୱର ଓ କଟକରେ ସୋରାଜ ବ୍ୟବସ୍ଥା ସଠିକ ନଥିବାରୁ ସାରା ସହରରେ ବନ୍ୟା ପରିସ୍ଥିତି ଉପୁଜିଛି । ସହର ମଧ୍ୟରେ ଅନେକ ଲୋକଙ୍କ ଘରେ ପାଣି ପଶିଥିବା ଦେଖାଯାଇଛି । ଏପରିକି କାହା କାହା ଘରେ ଆଣ୍ଠୁଏ ପାଣି ତ କେଉଁଠାରେ ପେଟେ ପାଣି ଜମିରହିଛି । ପିଲାଛୁଆଙ୍କୁ ଧରି ଘରେ ବହୁତ କଷ୍ଟରେ ରହିଛନ୍ତି ଟୁଇନ ସିଟିର ଲୋକ । ତେବେ ପ୍ରଶାସନ ସକାଳୁ ପାଣି ବାହାର କରିବା ପାଇଁ ପ୍ରୟାସ କରୁଥିଲେ ମଧ୍ୟ ବର୍ତ୍ତମାନ ସମୟରେ ଅନେକ ସ୍ଥାନରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି । ଘରେ ପାଣି ପଶିଯିବାରୁ ଲୋକମାନେ ଭୋକ ଉପାସରେ ପଡି ରହିଛନ୍ତି ।

ତେଣୁ ସମସ୍ତ ଲୋକ ଯେଉଁମାନେ ପାଣି ଘେରରେ ରହିଛନ୍ତି । ସେମାନଙ୍କୁ ସରାକାରଙ୍କ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି । ଏପଟେ ଏତେମାତ୍ରାରେ ପାଣି ରାସ୍ତାରେ ଚାଲୁଛି ଯେ, ପଦରେ ଚାଲିକି ଯିବା ମଧ୍ୟ କଷ୍ଟ ହୋଇପଡିଛି । ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର କଟକ ଓ ଭୁବନେଶ୍ୱରର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ସରକାର । ଭୁବନେଶ୍ୱରର ରସୁଲଗଡ, ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ନୟାପଲ୍ଲୀ, ପଳାଶୁଣୀ, ବାଣୀବିହାର, ବମିଖାଲ, ଭିଏସଏସନଗର ଆଦି ଅଞ୍ଚଳରେ ଆଣ୍ଠୁଏ ଉଚ୍ଚର ପାଣି ଜମିରହିଥିବା ବେଳେ କଟକର ବାଦାମ ବାଡି, ଶେକ ବଜାର, ଦରଘା ବଜାର ଓ ଷ୍ଟେସନ ବଜାର ଅଞ୍ଚଳରେ ପ୍ରବଳ ପାଣି ଜମି ରହିଥିବା ଦେଖାଯାଇଛି । ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବର୍ଷାଜଳ କମାଇବା ଲାଗି ପ୍ରୟାସ କରାଯାଉଥିବା ସୂଚନା ମିଳିଛି ।