ବଢ଼ୁଛି ଅପରାଧିକ ମାମଲା : ଅପରାଧୀଙ୍କୁ ଧରିବା ପାଇଁ ପୁଲିସର ନୂଆ ଯୋଜନା । ‘ଅରେଂଜ ଫ୍ଲାଗ୍’ ରେ ବିଚାର କରାଯିବ ମାମଲା

35

ହତ୍ୟା, ଡକାୟତି, ସାଇବର ଅପରାଧ ପରି ଅନେକ ଅପରାଧିକ ମାମଲାଗୁଡ଼ିକ ଏବେ ବଢିବାରେ ଲାଗିଛି। ହେଲେ ସେଗୁଡ଼ିକର ଦଣ୍ତିବିଧାନ ହାର କମିଯାଉଛି। ଏଥିପାଇଁ ସଠିକ୍ ଅନୁଧ୍ୟାନ ଓ ଯାଞ୍ଚର ଆବଶ୍ୟକତା ହେଉଛି। ସମାଧାନ ସ୍ୱରୂପ, ଓଡ଼ିଶା ପୁଲିସରେ ଏସବୁ ମାମଲା ଗୁଡ଼ିକୁ ଗୋଟିଏ ସୂତ୍ରରେ ରଖାଯାଇ ସେଗୁଡ଼ିକର ନିରନ୍ତର ନିରୀକ୍ଷଣ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିପାଇଁ ‘ଅରେଞ୍ଜ ଫ୍ଲାଗ୍’ ନାମରେ ଉକ୍ତ ମାମଲାଗୁଡ଼ିକୁ ବିଚାର କରାଯିବ। ପୂର୍ବରୁ ମହିଳାମାନଙ୍କ ବିପକ୍ଷରେ ଘଟୁଥିବା ଅପରାଧକୁ ‘ରେଡ୍ ଫ୍ଲାଗ୍’ରେ ଅନ୍ତର୍ଭୁକ୍ତ କରାଯାଇଥିଲାବେଳେ ପ୍ରଥମଥର ପାଇଁ ‘ଅରେଞ୍ଜ ଫ୍ଲାଗ୍’ର ପ୍ରଚଳନ କରାଯାଉଥିବା ଜଣାପଡ଼ିଛି। ପୁଲିସ୍ କମିସନର, ବିଭିନ୍ନ ରେଞ୍ଜ ଆଇଜି ଓ ଡିଆଇଜିମାନେ ଏହି ଫ୍ଲାଗ୍ ଅନ୍ତର୍ଗତ ମାମଲାଗୁଡ଼ିକୁ ଅନୁଧ୍ୟାନ କରିବାକୁ ମହାନିର୍ଦ୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ନିର୍ଦ୍ଦେଶନାମା ଜାରି କରିଛନ୍ତି।

‘ଅରେଞ୍ଜ ଫ୍ଲାଗ୍’ ଅଧିନରେ ସମ୍ବେଦନଶୀଳ ହତ୍ୟା, ଡକାୟତି, ସ˚ଗଠିତ ଅପରାଧ, ସାଇବର ଅପରାଧ, ବନ୍ୟପ୍ରାଣୀ ଅପରାଧ, ଏନଡିପିଏସ୍, ବଡ଼ ଧରଣର ବ୍ୟାଙ୍କ ଅପରାଧ ଓ ଦାଦାବଟି ଇତ୍ୟାଦିକୁ ସାମିଲ କରାଯାଇଛି। ବର୍ଷକୁ ୫୦ରୁ ୧୦୦ ଗୁରୁତ୍ବପୂର୍ଣ୍ଣ ମାମଲାଗୁଡ଼ିକୁ କମିସନର, ରେଞ୍ଜ ଆଇଜି କିମ୍ବା ଡିଆଇଜି ମାନେ ‘ଅରେଞ୍ଜ ଫ୍ଲାଗ୍’ ମାମଲା ଭାବେ ଘୋଷଣା କରିବେ। କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ମଧ୍ୟ ଏଗୁଡ଼ିକ ମଧ୍ୟରୁ ଗୋଟିକକୁ ‘ଅରେଞ୍ଜ ଫ୍ଲାଗ୍’ ମାମଲା ଭାବେ ଘୋଷଣା କରିବାକୁ ସ˚ପୃକ୍ତ କମିସନର, ଆଇଜି କିମ୍ବା ଡିଆଇଜିଙ୍କୁ ପରାମର୍ଶ ଦେଇପାରିବେ। କିନ୍ତୁ ‘ରେଡ୍ ଫ୍ଲାଗ୍’ ଅଧିନରେ ଆସୁଥିବା ମାମଲାକୁ କୌଣସି ମତେ ‘ଅରେଞ୍ଜ ଫ୍ଲାଗ୍’ରେ ଘୋଷଣା କରାଯାଇପାରିବ ନାହିଁ ବୋଲି କୁହାଯାଇଛି।

ଘୋଷଣା ପରେ ସ˚ପୃକ୍ତ ତଦନ୍ତକାରୀ ଅଧିକାରୀ, ଆଇନ୍ ପରାମର୍ଶଦାତା, ଏସପିଙ୍କୁ ସଠିକ୍ ଯୋଜନା ପ୍ରସ୍ତୁତ କରି ମାମଲାର ତଦନ୍ତ ଆଗେଇ ନେବାକୁ ନିର୍ଦ୍ଦେଶ ଦିଆଯିବ। ଏହି ମାମଲାଗୁଡ଼ିକର ଅଗ୍ରଗତିକୁ କମିସନର, ଆଇଜି ଓ ଡିଆଇଜିମାନେ ଟିକିନିଖି ନିରୀକ୍ଷଣ କରିବେ ଏବ˚ ଅଭିଯୁକ୍ତମାନେ କିପରି ତୁରନ୍ତ ଗିରଫ ହେବେ ତାକୁ ସୁନିଶ୍ଚିତ କରିବେ। ତଦନ୍ତ ବେଳେ ଫରେନସିକ୍ ଯାଞ୍ଚକୁ ମଧ୍ୟ ପୂର୍ଣ୍ଣ ମାତ୍ରାରେ ସାମିଲ କରାଯିବ। ଆବଶ୍ୟକ ହେଲେ ଅନ୍ୟ ଏଜେନ୍ସିମାନଙ୍କ ସହାୟତା ନିଆଯାଇପାରିବ। ମାମଲାର କିପରି ଶୀଘ୍ର ତଦନ୍ତ ଶେଷ ହେବ ଓ ଚାର୍ଜସିଟ୍ ଦାଖଲ ହେବ, ତାକୁ ମଧ୍ୟ ଦେଖିବାକୁ ହେବ। ତଦନ୍ତ ପରେ ପବ୍ଲିକ୍ ପ୍ରସିକ୍ୟୁଟରଙ୍କ ସହିତ ମାମଲା ବିଷୟରେ ଆଲୋଚନା କରି ମାମଲାକୁ କିପରି ଅଧିକ ମଜବୁତ୍ କରାଯାଇପାରିବ ସେନେଇ ପଦକ୍ଷେପ ନେବେ।

କୌଣସି ମାମଲାକୁ ‘ଅରେଞ୍ଜ ଫ୍ଲାଗ୍’ ମାମଲା ଭାବେ ଚିହ୍ନଟ ହେବା ପରେ ସେଗୁଡ଼ିକୁ ସ˚ପୃକ୍ତ ଏସପି, ଡିସିପି, ଏସ୍ଆରପି କିମ୍ବା କ୍ରାଇମବ୍ରାଞ୍ଚକୁ ଜଣାଇ ଦିଆଯିବ। ପ୍ରତ୍ୟେକ ଅଫିସର ଏସଆର ସେକସନରେ ଏକ ସ୍ୱତନ୍ତ୍ର ରେଜିଷ୍ଟ୍ରାର ପ୍ରସ୍ତୁତ କରାଯିବ। ଏଥିରେ ମାମଲାର ବିବରଣୀ ସହିତ ତଦନ୍ତର ଅଗ୍ରଗତି ଓ ମାମଲାର ଶୁଣାଣି ସ˚ପର୍କିତ ତଥ୍ୟ ରେକର୍ଡଭୁକ୍ତ ହେବ। ‘ଅରେଞ୍ଜ ଫ୍ଲାଗ୍’ ମାମଲାଗୁଡ଼ିକର ଚୂଡ଼ାନ୍ତ ତଦନ୍ତ ରିପୋର୍ଟଗୁଡ଼ିକୁ କେବଳ କମିସନର, ଆଇଜି କିମ୍ବା ଡିଆଇଜି ଅନୁମୋଦନ କରିବେ। ଏକ୍ଷେତ୍ରରେ ଆଇନ୍ ପରାମର୍ଶଦାତାଙ୍କ ସହାୟତା ମଧ୍ୟ ନିଆଯିବା ଅନିବାର୍ଯ୍ୟ। ଚାର୍ଜସିଟ୍ ଦାଖଲ କରାଯିବା ପରେ ମାମଲାର ତଦନ୍ତକାରୀ ଅଧିକାରୀ କୋର୍ଟର ଦୈନନ୍ଦିନ ଅଗ୍ରଗତିକୁ ନୀରିକ୍ଷଣ କରିବେ ଓ ସ˚ପୃକ୍ତ ଆଇଆଇସି, ଏସଡିପିଓ କିମ୍ବା ଏସପିଙ୍କୁ ସେବିଷୟରେ ଅବଗତ କରାଇବେ। ଏପରିକି ଅଭିଯୁକ୍ତ ଓ ସାକ୍ଷୀମାନଙ୍କୁ ଠିକ୍ ସମୟରେ କୋର୍ଟରେ ହାଜିର କରାଇବାକୁ ତଦନ୍ତକାରୀ ଅଧିକାରୀ ସୁନିଶ୍ଚିତ କରାଇବେ। ଶୁଣାଣିବେଳେ ସମସ୍ତ ନଥିପତ୍ର ଓ ରେକର୍ଡଗୁଡ଼ିକୁ ତଦନ୍ତକାରୀ ଅଧିକାରୀ ପାଖରେ ରଖିବେ। ମାମଲାକୁ ଅଧିକ ସୁଦୃଢ କରିବାକୁ ତଦନ୍ତକାରୀ ଅଧିକାରୀ, ସରକାରୀ ଓକିଲଙ୍କ ସହିତ ନିୟମିତ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ଓଡ଼ିଶା ପୁଲିସରେ କେବଳ ‘ରେଡ୍ ଫ୍ଲାଗ୍’ ପ୍ରଚଳନ ହେଉଥିବା ବେଳେ ମହିଳାଙ୍କ ଉପରେ ହେଉଥିବା ଅପରାଧକୁ ଏହି ମାମଲା ଅଧୀନରେ ବିଚାର କରାଯାଉଥିଲା। ୨୦୧୪ ମସିହାରୁ ଏହି ଫ୍ଲାଗ୍ ଆରମ୍ଭ ହୋଇଥିଲା। ଏହାଦ୍ୱାରା ଦଣ୍ତବିଧାନର ହାର ୩୮ ପ୍ରତିଶତ ବୃଦ୍ଧି ପାଇଛି। କ୍ରାଇମବ୍ରାଞ୍ଚ ଏଗୁଡ଼ିକ ମଧ୍ୟରୁ ଖୁବ୍ କମ୍ ମାମଲାର ତଦନ୍ତଭାର ନେଇଥାଏ। ହେଲେ ଅପରାଧିକ ମାମଲାଗୁଡ଼ିକରେ ଦଣ୍ତବିଧାନ ହାର ହ୍ରାସ ପାଉଥିବାରୁ ‘ରେଡ୍ ଫ୍ଲାଗ୍’ ଭଳି ଆଉ ଏକ ବିଭାଗ ଅଧିନରେ ସେଗୁଡ଼ିକର ଟିକିନିକି ଯାଞ୍ଚ ଓ ଅନୁଧ୍ୟାନ କରାଯିବାକୁ ଚିନ୍ତା କରାଯାଇଥିଲା। କମିସନରେଟ୍ ଓ ରେଞ୍ଜ ଅଫିସଗୁଡ଼ିକରେ ଅପରାଧିକ ମାମଲାଗୁଡ଼ିକୁ ଅତି ନିକଟରୁ ନିରୀକ୍ଷଣ କରାଯାଉଛି। କିନ୍ତୁ ସେମାନଙ୍କ ପରିସର ସୀମିତ। ତେଣୁ କମିସନର, ରେଞ୍ଜ ଆଇଜି, ଡିଆଇଜିମାନଙ୍କୁ ନେଇ ‘ଅରେଞ୍ଜ ଫ୍ଲାଗ୍’ର ସଫଳତା ଚିନ୍ତା କରାଯାଇଥିବା ସୂଚନା ମିଳିଛି ।

Comments are closed.