କନକ ବ୍ୟୁରୋ : ପଥର ଦେହରେ ସୂକ୍ଷ୍ମ କାରୁକାର୍ଯ୍ୟକୁ ନେଇ ବିଶ୍ବ ଐତିହ୍ୟର ମାନ୍ୟତା ଲାଭ କରିଛି କୋଣାର୍କ ସୂର୍ଯ୍ୟ ମନ୍ଦିର । ସୂର୍ଯ୍ୟମନ୍ଦିର ନିର୍ମାଣ ସହିତ ଯୋଡ଼ି ହୋଇରହିଛି ଅନେକ ଐତିହାସିକ ଓ ପୌରାଣିକ ତଥ୍ୟ । ସେଥିରେ ରହିଛି ବାର ଶହ ଶିଳ୍ପୀକୁଳକୁ ରକ୍ଷା କରିବା ପାଇଁ ବଳିଦାନ ଦେଇଥିବା ବାରବର୍ଷର ବାଳକ ଧର୍ମପଦ । ତ୍ରୟୋଦଶ ଶତାଦ୍ଦୀରେ ଶିଳ୍ପୀକୁଳର ଗାରିମା ବଞ୍ଚାଇବା ପାଇଁ ବଳିଦାନ ଦେଇଥିବା ବାରବର୍ଷର ବାଳକ ଧର୍ମପଦର ଏକ ପ୍ରତିମୂର୍ତ୍ତି କୋଣାର୍କରେ ନିର୍ମାଣ ପାଇଁ ଆଜି ଅନୁଷ୍ଠିତ ହୋଇଛି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ।
ସଂସ୍କୃତିପ୍ରେମୀ ଉମେଶ ସ୍ବାଇଁଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ବୈଠକରେ ସଭାପତିତ୍ବ କରିଥିଲେ ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ପ୍ରସ୍ତରଶିଳ୍ପୀ ପଦ୍ମଶ୍ରୀ ପ୍ରଭାକର ମହାରଣା । ଅର୍କଶ୍ରୀ ଶିଳ୍ପୀ ବାଟିକା ପରିସରରେ ଅନୁଷ୍ଠିତ ଆଜିର ବୈଠକରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଷ୍ଠିତ ଶିଳ୍ପୀ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତା ଏବଂ ସଂସ୍କୃତିପ୍ରେମୀ ଯୋଗ ଦେଇଥିଲେ । ବୈଠକରେ ଧର୍ମପଦ ଶିଳାଶିଳ୍ପୀ ସମନ୍ବୟ ସମିତି ନାମରେ ଏକ ସଂଗଠନ ଗଠନ କରିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ଉତ୍କଳ ଦିବସରେ ଏହି କମିଟିର ପୂର୍ଣ୍ଣାଙ୍ଗ ରୂପରେଖ ପ୍ରସ୍ତୁତ କରାଯିବ ।
ଗତକାଲି ବୈଠକର ନିଷ୍ପତ୍ତି ଅନୁଯାୟୀ, ୨୫ ଫୁଟ୍ ବ୍ୟାସ ପରିମିତ ଜାଗା ଉପରେ ଧର୍ମପଦଙ୍କ ପ୍ରତିମୂର୍ତି ନିର୍ମାଣ କରାଯିବ। ପ୍ରତିମୂର୍ତି ନିର୍ମାଣରେ ସୂର୍ଯ୍ୟମନ୍ଦିରର ପୂର୍ଣ୍ଣାଙ୍ଗ ଚୁଡ଼ା (ଦଧିନଉତି ଓ କଳସ)ର କାରୁକାର୍ଯ୍ୟ ପ୍ରଦର୍ଶିତ ହେବ । ଦଧିନଉତି ଉପରେ ଶିଳ୍ପୀ ବାଳକ ଧର୍ମପଦର ପୂର୍ଣ୍ଣାଙ୍ଗ ଅବୟବ ପ୍ରତିମୂର୍ତି ଦୃଶ୍ୟମାନ ହେବ । ଦଧିନଉତିର ପାଦଦେଶରେ ବାରଶହ ବଢ଼େଇ ଓ ବଳିଆ କୁକୁରର ଦୃଶ୍ୟ ସ୍ଥାନ ପାଇବ । ଏଥି ପାଇଁ ରାଜ୍ୟର ସମସ୍ତ ଶିଳ୍ପୀ ସମୂହଙ୍କ ସହଯୋଗ ନିଆଯିବ ବୋଲି ପଦ୍ମଶ୍ରୀ ପ୍ରଭାକର ମହାରଣା କହିଥିଲେ ।