କଟକଣା ଓ ଲକଡାଉନ୍ ସତ୍ୱେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା: ଭାରତରେ ଗତ ୨୪ ଘଂଟାରେ ୧୪୯ଟି ନୂଆ ମାମଲା, ଏଯାଏ ୯୧୮ ଆକ୍ରାନ୍ତ; ବିଶ୍ୱରେ ୬ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ସେପଟେ ଭୂତାଣୁ କବଳରେ ଆମେରିକା, ଚୀନକୁ ଟପି ଦ୍ୱିତୀୟ ସ୍ଥାନରେ ଇଟାଲୀ

1,316

କନକ ବ୍ୟୁରୋ: ବ୍ୟାପକ କଟକଣା ଓ ଲକଡାଉନ୍ ସତ୍ୱେ ଦେଶବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ୧୪୯ଟି ନୂଆ ମାମଲା ସାମ୍ନାକୁ ଆସିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୯୧୮ରେ ପହଂଚିଛି । ୮୦ ଜଣ ଆକ୍ରାନ୍ତ ହସପିଟାଲରୁ ମୁକ୍ତ ହୋଇ ଫେରିଥିବା ବେଳେ ଏଯାଏ ୨୦ ଜଣଙ୍କ ଜୀବନ ନେଇଛି କରୋନା । କେରଳ ଓ ମହାରଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ସେପଟେ ବିଶ୍ୱବ୍ୟାପୀ ଏହି ଭାଇରସରେ ପ୍ରାୟ ୬ ଲକ୍ଷ ଆକ୍ରାନ୍ତ ହୋଇସାରଲେଣି । ମୃତ୍ୟୁସଂଖ୍ୟା ୨୯ ହଜାର ଛୁଇଁବାକୁ ଯାଉଛି ।

ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନାର କେନ୍ଦ୍ରସ୍ଥଳ ପାଲଟିଛି ଆମେରିକା । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପି ଯାଇଛି । ଶୁକ୍ରବାର ୧୫ ହଜାର ଆକ୍ରାନ୍ତ ହେବା ପରେ ଇଟାଲୀ, ଚୀନ ଓ ସ୍ପେନର ସଂକ୍ରମିତଙ୍କ ସଂଖ୍ୟାକୁ ଟପି ଯାଇଛି ଆମେରିକା । ଏବଂ ୧୭ ଶହ ଲୋକଙ୍କର ଜୀବନ ଯାଇଛି । ଇଟାଲୀରେ ୮୬ ହଜାର ଲୋକ ଆକ୍ରାନ୍ତ ହୋଇଥିବାବେଳେ ୯ହଜାରରୁ ଅଧିକ ଲୋକଙ୍କର ଜୀବନ ଯାଇଛି । ଦିନକରେ ହଜାରେ ଲୋକଙ୍କ ଜୀବନ ଯାଇଛି । ସ୍ପେନରେ ସଂକ୍ରମିତଙ୍କ ସଂଖ୍ୟା ୭୨ ହଜାର ପାର କରିଥିବାବେଳେ ମୃତକଙ୍କ ସଂଖ୍ୟା ୫ ହଜାର ୬୦୦ରେ ପହଁଚିଛି । ଦକ୍ଷିଣ କୋରିଆରେ ଆକ୍ରାନ୍ତଙ୍କ ସଂଖ୍ୟା ୯ହଜାର ୪୭୮ ଓ ମୃତକଙ୍କ ସଂଖ୍ୟା ୧୪୭ରେ ପହଁଚିଛି ।