ମାତ୍ର ଅଢ଼େଇ ଘଂଟାରେ ହେବ କରୋନା ପରୀକ୍ଷା । ଭାରତରେ ତିଆରି ହେଲା କରୋନା ଟେଷ୍ଟ କିଟ୍ , ଭାଇରୋଲଜିଷ୍ଟ ମୀନାଲ୍ ଭୋସଲେଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା

2,122

କନକ ବ୍ୟୁରୋ : ଭାରତରେ ତିଆରି ହେଲା କରୋନା ପରୀକ୍ଷା କିଟ୍ । କୋଭିଡ୍-୧୯ ପରୀକ୍ଷା ପାଇଁ ପୁନେ ସ୍ଥିତ ମାଇଁ-ଲ୍ୟାବ ସଂସ୍ଥା ଏହି କିଟ୍ ପ୍ରସ୍ତୁତ କରିଛି । ନିଜ ଦେଶରେ କରୋନା ପରୀକ୍ଷା କିଟ୍ ତିଆରି ହେବା ପରେ ଏକ ବଡ଼ ସମସ୍ୟାର ସମାଧାନ କରିପାରିଛି ଭାରତ । ସେପଟେ ଏହି ପରୀକ୍ଷା କିଟ୍ ନିର୍ମାଣରେ ବଡ଼ ଭୂମିକା ତୁଲାଇଥିବା ଭାଇରୋଲଜିଷ୍ଟ ମିନାଲ୍ ଭୋସଲେଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଭାରତରେ ନିର୍ମିତ ଏହି ପରୀକ୍ଷା କିଟ୍ର ବିଶେଷତ୍ୱ ହେଉଛି ମାତ୍ର ଅଢ଼େଇ ଘଂଟାରେ ଜଣାଇ ପାରିବ, ଜଣେ କରୋନାରେ ସଂକ୍ରମିତ ହୋଇଛନ୍ତି କି ନାହିଁ । ବାହାରୁ ଆସୁଥିବା କିଟ୍ ଏଥିପାଇଁ ୭ରୁ ୮ ଘଂଟା ସମୟ ନେଉଥିଲା । କରୋନା ପରୀକ୍ଷା ପାଇଁ ଭାରତରେ କିଟ୍ ନିର୍ମାଣ ହୋଇ ନଥିବାରୁ ନମୁନା ପରୀକ୍ଷାରେ ପଛରେ ପଡି ଯାଇଥିଲା ଭାରତ ।

ସାରାବିଶ୍ୱରେ କରୋନା ମହାମାରୀର ରୂପ ନେଇଥିବାରୁ ବିଶ୍ୱବ୍ୟାପୀ ପରୀକ୍ଷା କିଟ୍ର ଅଭାବ ଦେଖା ଦେଇଥିଲା । ଏହା ଛଡ଼ା ବାହାରୁ ଆସୁଥିବା କିଟର ଦାମ ମଧ୍ୟ ଅଧିକ ଥିଲା । ତେବେ ଭାରତ ପ୍ରସ୍ତୁତ ଏହି ନୂଆ କିଟରେ ଜଣଙ୍କର ନମୁନା ପରୀକ୍ଷା ମାତ୍ର ୧୨ଶହ ଟଙ୍କାରେ ହୋଇପାରିବ ବୋଲି କୁହାଯାଉଛି । ପ୍ରଥମ ପର୍ଯ୍ୟାୟ ଉତ୍ପାଦନ ପରେ ଏହି କିଟ୍କୁ ପୁଣେ, ମୁମ୍ବାଇ, ଦିଲ୍ଲୀ, ଗୋଆ ଓ ବାଙ୍ଗାଳୁରୁକୁ ପଠାଇ ଦିଆଯାଇଛି । ସପ୍ତାହକ ଭିତରେ ଦ୍ୱିତୀୟ ପର୍ଯ୍ୟାୟ ଉତ୍ପାଦନ ହେବ ବୋଲି କୁହାଯାଇଛି । ୭ ଦିନରେ ୧ଲକ୍ଷ କିଟ ଯୋଗାଇ ପାରିବ ବୋଲି ମାଇଁ ଲ୍ୟାବ ପକ୍ଷରୁ କୁହାଯାଇଛି ।

ଆବଶ୍ୟକ ସ୍ଥଳେ ଗୋଟିଏ ସପ୍ତାହରେ ୨ଲକ୍ଷ କିଟ ଉତ୍ପାଦନ ହୋଇପାରିବ । ତେବେ ଏହି କିଟ୍ ନିର୍ମାଣରେ ମାଇଁ ଲ୍ୟାବ ଟିମର ମୁଖ୍ୟ ଭାଇରୋଲଜିଷ୍ଟ ମିନାଲ ଭୋସଲେଙ୍କ ଭୂମିକାକୁ ବେଶ ପ୍ରଶଂସା କରାଯାଉଛି । କିଟ୍ ନିର୍ମାଣ ପାଇଁ ଫେବୃଆରୀ ମାସରୁ ଗବେଷଣା ଆରମ୍ଭ କରିଥିଲେ ଭୋସଲେଙ୍କ ଟିମ୍ । ନିଜେ ଗର୍ଭବତୀ ଥିଲେ ବି ଗବେଷଣାରୁ ଓହରି ନଥିଲେ ଏବଂ ଭାରତର ପ୍ରଥମ କରୋନା ପରୀକ୍ଷା କିଟ୍ ନିର୍ମାଣ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ମାତ୍ର କିଛି ଦିନର ଗବେଷଣା ପରେ ସଫଳତାର ସହ ନିର୍ମାଣ କରିଥିଲେ କରୋନା ପରୀକ୍ଷା କିଟ୍ । ଗତ ସପ୍ତାହରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ମିନାଲ୍ ଭୋସଲେ ।