ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବଡ଼ ଘୋଷଣା ! ସର୍ବନିମ୍ନ ଆୟ ଯୋଜନା ପ୍ରତିଶ୍ରୁତି, ସତ୍ତାକୁ ଆସିଲେ ଗରିବଙ୍କ ଖାତାକୁ ଯିବ ବାର୍ଷିକ ୭୨ ହଜାର

179

କନକ ବ୍ୟୁରୋ : ଆରମ୍ଭ ହୋଇଯାଇଛି ନିର୍ବାଚନୀ ଯୁଦ୍ଧ । ୨୦୧୯ରେ ଦିଲ୍ଲୀ ଗାଦି ଅକ୍ତିଆର କରିବା ପାଇଁ ଆରମ୍ଭ ହୋଇଯାଇଛି ମହାସମର । ସମସ୍ତ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ନିର୍ବାଚନୀ ମଇଦାନକୁ ଓଲହାଇବା ପାଇଁ ସିପାହୀ ପ୍ରସ୍ତୁତ କରିସାରିଛନ୍ତି । ଲୋକଙ୍କ ନିକଟତର ହେବାପାଇଁ ଏବେ ପ୍ରତିଶ୍ରୁତିର ସୁଅ ଛୁଟିବାରେ ଲାଗିଛି ।

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ଖେଳିଲେ ଗରିବି କାର୍ଡ଼ । ଦେଶର ୨୫ ଲକ୍ଷ ଭୋଟରଙ୍କୁ ସାଧିବା ପାଇଁ ଗୋଟିଚାଳନା କରିଛନ୍ତି ରାହୁଲ ଗାନ୍ଧୀ । କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତ୍ୟେକ ବର୍ଷ ଗରିବ ପରିବାରଙ୍କୁ ୭୨ ହଜାର ଟଙ୍କା ଦେବ ବୋଲି କହିଛନ୍ତି ରାହୁଲ । କଂଗ୍ରେସ ସରକାର ଗଠନ ହେଲେ ଦେଶର ୨୦ ପ୍ରତିଶତ ଗରିବ ପରିବାରଙ୍କୁ ପ୍ରତ୍ୟେକ ବର୍ଷ ୭୨ ହଜାର ଟଙ୍କା ଦିଆଯିବ । ନିଜର ଜେଜେ ମା ଇନ୍ଦିରା ଗାନ୍ଧୀଙ୍କ ଗରିବୀ ହଟାଓ ନାରା ଆଧାରରେ ରାହୁଲ ଦେଶରୁ ଗରିବୀ ହଟାଇବେ ବୋଲି କହିଛନ୍ତି । ସେ କହିଛନ୍ତି ଯେ ସର୍ବନିମ୍ନ ଆୟର ଏହି ଯୋଜନାକୁ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ ଏବଂ ଗରିବୀଙ୍କ ବ୍ୟାଙ୍କ ଆକାଉଂଟକୁ ସିଧାସଳଖ ଏହି ଟଙ୍କା ଯିବ ।

କଂଗ୍ରେସର ଏହି ଯୋଜନାକୁ ମନେରଗା ପାର୍ଟ-୨ କୁହାଯାଉଛି । ଯେଉଁ ପରିବାରର ମାସିକ ଆୟ ୧୨ ହଜାରରୁ କମ ସେହି ପରିବାରର ବ୍ୟାଙ୍କ ଖାତାକୁ ୭୨ ହଜାର ଟଙ୍କା ଯିବ । ଦେଶର ୫ କୋଟି ପରିବାର ଓ ୨୫ କୋଟି ଲୋକଙ୍କୁ ଏହି ଯୋଜନାର ଫାଇଦା ସିଧା ମିଳିବ ବୋଲି କହିଛନ୍ତି ରାହୁଲ ।ସର୍ବନିମ୍ନ ଆୟ ଯୋଜନା ଆରମ୍ଭ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ । କଂଗ୍ରେସ ଏହି ଯୋଜନାର ନାମ ରଖିଛି ‘NYAY’ । ତେବେ ଏବେ ଦେଖିବା ପାଇଁ ବାକି ରହିଲା ରାହୁଲ ଗାନ୍ଧୀ ଏହି ଯୋଜନା ଆଳରେ ଲୋକଙ୍କୁ ଆକର୍ଷିତ କରିପାରୁଛନ୍ତି ନା ନାହିଁ ।

କଂଗ୍ରେସ କୃଷକଙ୍କୁ ଋଣ ଛାଡ଼ ପ୍ରତିଶ୍ରୁତି ଦେଇ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ବିଧାନସଭା ନିର୍ବାଚନ ଜିତିବାରେ ସଫଳ ହୋଇଥିଲା । ୨୦୧୯ ନିର୍ବାଚନ ପୂର୍ବରୁ ଆଉ ଏକ ବଡ଼ ଗୋଟିଚାଳନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଦେଶରେ ଗରିବଙ୍କୁ ସର୍ବନିମ୍ନ ଆୟର ଗ୍ୟାରେଣ୍ଟି ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି ରାହୁଲ ଗାନ୍ଧୀ । ଗରିବଙ୍କ ଜମାଖାତାରେ ଏହି ଟଙ୍କା ସିଧାସଳଖ ଜମା କରାଯିବ ବୋଲି ରାହୁଲ କହିଛନ୍ତି ।

ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ କରି ରାହୁଲ କହିଛନ୍ତି, ୫ବର୍ଷରେ ଜନତା ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆଗାମୀ ୫ ବର୍ଷରେ ଗରିବଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ନିର୍ଣ୍ଣୟ ନେଇଛି । ଗରିବ ପରିବାରଙ୍କୁ ପ୍ରତି ବର୍ଷ ୭୨ହଜାର ଟଙ୍କା ମିଳିବ । ପ୍ରତ୍ୟେକ ଜାତି, ଧର୍ମର ଗରିବଙ୍କୁ ଫାଇଦା ହେବ । ଏହି ଯୋଜନା ଜରିଆରେ ପ୍ରତ୍ୟେକ ଗରିବଙ୍କ ସର୍ବନିମ୍ନ ଆୟକୁ ୧୨ହଜାର ଟଙ୍କା ସୁନିଶ୍ଚିତ କରାଯିବ । ଯଦି ଏଥିରୁ କିଛି ଟଙ୍କା କମ୍ ହୁଏ ତେବେ ସେହି ଅର୍ଥ ସରକାର ଦେବେ।ତେବେ ଏହି ଯୋଜନା ଦ୍ୱାରା ଦେଶର ୫ କୋଟି ପରିବାର ଓ ୨୫ କୋଟି ଲୋକଙ୍କୁ ଏହାର ସିଧା ଫାଇଦା ମିଳିବ ।