୯୬ ଆସନ ଜିତିବ କଂଗ୍ରେସ ! ସୁର ଦେଖାଇଲେ ଦମ୍ଭୋକ୍ତି ।

414

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖଉଛି, ଉତ୍କଣ୍ଠା ସେତିକି ବଢିବାରେ ଲାଗିଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟରେ କିଏ ଶାସନ ଗାଦିରେ ବସିବ, ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଓ ଆଲୋଚନା । ଆଉ ଏହାରି ଭିତରେ ସାମ୍ନାକୁ ଆସୁଛି ନେତାଙ୍କ ବୟାନବାଜି । ନିର୍ବାଚନରେ ବିଜୟ ନେଇ ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି ସମସ୍ତ ରାଜନୈତିକ ଦଳ । ବିଜେପି ୧୨୦ ମିଶନ କଥା କହୁଥିବା ବେଳେ ବିଜେଡି ୧୩୦ ଆସନ ଆଣିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି । ଆଉ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ବୟାନ ।

ସେ କହିଛନ୍ତି, ବିଜେପି ଏବଂ ବିଜେଡିର ଶୂନ କଟିବ । ଅର୍ଥାତ ଆଗାମୀ ନିର୍ବାଚନରେ ବିଜେପି ୧୨ଟି ବିଧାନସଭା ଆସନ ପାଇବ ଏବଂ ବିଜେଡି ୧୩ଟି ବିଧାନସଭା ଆସନ ପାଇବ । ଏହି ୨୫ଟି ଆସନକୁ ଛାଡିଦେଲେ, ସ୍ୱାଧୀନ ଏବଂ ଅନ୍ୟ କିଛି ଦଳ କିଛି ଆସନ ଅକ୍ତିଆର କରିବେ । ମୋଟ ୧୪୭ଟି ବିଧାନସଭା ଆସନରୁ କଂଗ୍ରେସ ୯୬ଟି ଆସନ ଅକ୍ତିଆର କରିବା ସହ, ରାଜ୍ୟରେ ସରକାର ଗଢିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । କେବଳ ବିଧାନସଭା ନୁହେଁ, ଲୋକସଭାରେ ମଧ୍ୟ କଂଗ୍ରେସକୁ ମିଳିବ ବହୁମତ । ୨୧ଟି ଲୋକସଭା ଆସନରୁ ୧୫ଟି ଆସନ, କଂଗ୍ରେସ ଅକ୍ତିଆର କରିବ ବୋଲି ସୁର କହିଛନ୍ତି ।

sura raoutrayଜଟଣୀ ବିଧାନସଭା ଆସନରୁ ସୁର ରାଉତରାୟଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ, ଏହି ଆସନରେ ସେ ନିଶ୍ଚିତ ବିଜୟ ହାସଲ କରିବେ ବୋଲି କହିଛନ୍ତି । ସେପଟେ ଟିକେଟ୍ ବଣ୍ଟନକୁ ନେଇ ନିକଟରେ କଂଗ୍ରେସ ଭବନରେ ହୋଇଥିବା ଭଙ୍ଗାରୁଜାକୁ ସେ ନିନ୍ଦା କରୁଥିବା କହିଛନ୍ତି । ଏପରିକି ଏଭଳି କାଣ୍ଡ ଭିଆଇଥିବା ଦୁବୃର୍ତ୍ତଙ୍କ ବିରୋଧରେ ସେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ଉଷ୍ମତା ସେତିକି ବଢିବାରେ ଲାଗିଛି । ତେବେ ସମୟ କହିବ କାହାକୁ ମିଳୁଛି ଜନମତ ଆଉ କାହାକୁ ମିଳୁଛି କ୍ଷମତା ।