ଜୟପୁରରେ ଗୁଳିକାଣ୍ଡକୁ ନେଇ ତେଜିଲା ରାଜନୀତି ! ମୁହାଁମୁହିଁ କଂଗ୍ରେସ-ବିଜେଡି, ଘଟଣାରେ ବିଜେଡି ନେତାଙ୍କ ସଂପୃକ୍ତି ଥିବା ଅଭିଯୋଗ ଆଣିଲା କଂଗ୍ରେସ ।

49

କନକ ବ୍ୟୁରୋ : ଗୁଳିମାଡ଼କୁ ନେଇ ଜୋର ଧରିଲା ରାଜନୀତି । ଅପରାଧୀଙ୍କୁ ନେଇ କଂଗ୍ରେସ ଓ ବିଜେଡ଼ି ନେତା ମୁହାଁମୁହିଁ ହୋଇଛନ୍ତି । ସପ୍ତାହ ଭିତରେ ଅପରାଧିଙ୍କୁ ବାନ୍ଧ ନହେଲେ କଂଗ୍ରେସ ରାଜରାସ୍ତାକୁ ଓଲ୍ଳାଇବ ।  ବିଜେଡ଼ି କହିଲା ନିଜେ କାଚ ଘରେ ରହି ଅନ୍ୟକୁ ଟେକା ଫୋପାଡ଼ନ୍ତୁ ନାହିଁ । କିଛି ଦିନର ନିରବତା ପରେ ପୁଣି ଜୟପୁର ସହରର  ମୁଖ୍ୟ ଜନ ଗହଳି ପୁର୍ଣ୍ଣ ରାସ୍ତାରେ ଦିନ ଦି ପହରରେ ଦୁର୍ବୁତ ଗୁଳି କରି ଫେରାର ହୋଇଯାଇଛନ୍ତି  ।

ଗୁଳିକାଣ୍ଡ ପରେ ତେଜିଲା ରାଜନୀତି । ଜୟପୁରରେ କଂଗ୍ରେସ-ବିଜେଡି ମୁହାଁମୁହିଁ । ଜୟପୁର ସହରର ଛାତି ଉପରେ ଗୁଳିକାଣ୍ଡ ପରେ ସରଗରମ ହୋଇଛି ରାଜନୀତି । ଦିନ ଦିପହରରେ ହୋଇଥିବା ଗୁଳିକାଣ୍ଡରେ ବିଜେଡି ନେତାଙ୍କ ସଂପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି ଜୟପୁର ବିଧାୟକ । ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ଫଟୋ ଦେଖାଇ ତାରା ବାହିନୀପତି କହିଛନ୍ତି, ଅଭିଯୁକ୍ତଙ୍କ ସହ ବିଜେଡ଼ି ନେତାଙ୍କ ସଂପର୍କ ରହିଛି । ତେଣୁ ଜୟପୁର ଗୁଳିକାଣ୍ଡ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଦାବି କରିବା ସହ ଆଗାମୀ ୨ ତାରିଖ ଭିତରେ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ୫ତାରିଖରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ବିଜେଡ଼ି ମୁଖପାତ୍ର ରବି ନନ୍ଦ କହିଛନ୍ତି ତାରା ନିଜେ କାଚ ଘରେ ରହି ଅନ୍ୟକୁ ଟେକା ଫୋପାଡୁଛନ୍ତି ।

ତେବେ ୨୫ ସେପ୍ଟେମ୍ବର ଦିନ ୨ଟାରେ ଜୟପୁର ସହରର ରାଜାନଗର ଠାରେ ପୂର୍ବ ଶତୃତାକୁ ନେଇ ଜୟପୁର ସହରରେ ହୋଇଥିବା ଗୁଳିକାଣ୍ଡରେ ସନ୍ତୋଷ ନାୟକ ନାମକ ଯୁବକ ଓ ତାଙ୍କ ବାପା ଗୁରୁତର ହୋଇଛନ୍ତି । ସନ୍ତୋଷଙ୍କ ପିଠିରେ ଗୁଳି ବାଜିଥିବା ବେଳେ ତାଙ୍କ ବାପାଙ୍କ ମୁଣ୍ଡରେ ଆଘାତ ଲାଗିଛି । ଉଭୟଙ୍କ ଚିକିତ୍ସା କୋରାପୁଟ ଡ଼ାକ୍ତରଖାନାରେ କରାଯାଉଛି । ଗୁଳିକାଣ୍ଡ ଘଟଣାକୁ ଗୁରୁତର ସହ ନେଇ ଛାନଭିନ୍ ଜାରି ରଖିଛି ପୁଲିସ । ଖୋକା ସମେତ ଦୁର୍ବୃତ ବ୍ୟବହାର କରିଥିବା ମଟର ସାଇକଲ ଜବତ କରି ଅପରାଧିଙ୍କୁ ଧରିବା ପାଇଁ ଜାଲ ବିଝାଇଛି ପୁଲିସ । ସେପଟେ ବିଜେଡ଼ି ଯୁବ ନଗର ସଭାପତି ବିକାଶ ପାତ୍ର ଗୁଳି ମାରିଥିବା ଅଭିଯୋଗ କରିଛନ୍ତି ସନ୍ତୋଷଙ୍କ ବାପା । କିଛି ଦିନର ନିରବତା ପରେ ପୁଣି ଜୟପୁର ସହରରେ ଫୁଟିଛି ଗୁଳି । ଘଟଣାଟି ଯେତିକି ସମ୍ବେଦନ ଶୀଳ ତାଠାରୁ ଅଧିକ ସରଗରମ ହୋଇଛି ଜୟପୁର ରାଜନୀତି ।