ସମୁଦ୍ର ଭିତରେ ୪୯ ଦିନର ସଂଘର୍ଷ ! ନା ଥିଲା ପିଇବା ପାଣି ନା ଥିଲା ଖାଦ୍ୟ, ଜାଣନ୍ତୁ କିପରି ମୃତ୍ୟୁ ଉପରେ ବିଜୟ ହାସଲ କଲେ ଏହି ୧୯ ବର୍ଷୀୟ ଯୁବକ ।

61

କନକ ବ୍ୟୁରୋ : ବଂଚି ରହିବା ପାଇଁ ସମୁଦ୍ରରେ ୪୯ଦିନ ପର୍ଯ୍ୟନ୍ତ ସଂଘର୍ଷ । ଘଟଣାଟି ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଘଟଣାଟି ସତ । ଭୋକ, ଶୋଷ, ଥଣ୍ଡା, ଭୟ ଓ ନିସଙ୍ଗ ସବୁ ହାର ମାନିଛି ବଂଚି ରହିବାର ଦୃଢ ମନୋବଳ ଆଗରେ । ପ୍ରାୟ ଦେଢ ମାସ ଧରି ଅକାତକାତ ପାଣିରେ ଫସି ରହିବା ପରେ ୧୯ ବର୍ଷୀୟ ଯୁବକଙ୍କୁ ଉଦ୍ଧାର କରାଯାଇଛି ।

ଇଣ୍ଡୋନେସିଆର ନର୍ଥ ସୁଲେୱାସିରେ ଏକ ଫିସିଂ କମ୍ପାନୀ ପାଇଁ କାମ କରନ୍ତି ୧୯ବର୍ଷୀୟ ଆଲଦି ନୋଭେଲ । ସବୁଥର ଭଳି ଘଟଣା ରାତିରେ ମଧ୍ୟ ସେ ତଟରୁ କିଛି ଦୂରରେ ନିଜ ଏକ ଛୋଟିଆ ଡଙ୍ଗାରେ ଥିଲେ । ଡଙ୍ଗାଟିକୁ ଦଉଡି ସାହାଯ୍ୟରେ ତଟରେ ବନ୍ଧା ଯାଇଥିଲା । ଏବଂ ତାଙ୍କ ନିକଟରେ କେବଳ ଏକ ଲ୍ୟାମ୍ପ ଓ କମ୍ପାନୀ ସହ ଯୋଗାଯୋଗ କରିବା ପାଇଁ ୱାକି ଟକି ଥିଲା । କିନ୍ତୁ ସେହି ରାତିର ବାତ୍ୟାରେ ତାଙ୍କ ଡଙ୍ଗାର ଦଉଡି ଫାସ ଫିଟିଯାଇଥିଲା । ଏବଂ ସେ ଅକାତକାତ ପାଣିରେ ସମୁଦ୍ର ଭିତରକୁ ଚାଲି ଯାଇଥିଲେ ।

ଦିନକୁ ଦିନ ସେ ସମୁଦ୍ରରେ ଆହୁରି ଭିତରକୁ ଯିବାକୁ ଲାଗିଥିଲେ । ତାଙ୍କ ପାଖରେ ନା ପିଇବା ପାଣି ଥିଲା ନା ଖାଦ୍ୟ ଥିଲା । ଶୋଷ ମେଂଟାଇବା ପାଇଁ ସେ ପିନ୍ଧିଥିବା ଟି-ସାର୍ଟରେ ଲୁଣି ପାଣିକୁ ଛାଣି ଦେଇ ପିଉଥିଲେ । ଭୋକ ହେଲେ ଜାଲରେ ଫସିଥିବା ମାଛ ଖାଉଥିଲେ । ଏବଂ ଥଣ୍ଡାରୁ ବର୍ତିବା ପାଇଁ ଡଙ୍ଗାର କାଠକୁ ଜାଳେଣି ଭାବେ ବ୍ୟବହାର କରୁଥିଲେ । ଏପରି ୪୯ଦିନ ପର୍ଯ୍ୟନ୍ତ ସମୁଦ୍ରରେ ଦିନ କାଟିଛନ୍ତି ଏହି ସାହସୀ ଯୁବକ ।

ଏହି ସମୟରେ ତାଙ୍କୁ ଉଦ୍ଧାର କରିବା ପାଇଁ ସେହି ବାଟ ଦେଇ ଯାଉଥିବା କିଛି ଯାହାଜକୁ ମଧ୍ୟ ସେ ଆବେଦନ କରିଥିଲେ । କିନ୍ତୁ ସେ ଇଂରାଜୀ କହି ଓ ବୁଝି ପାରୁନଥିବା ଯୋଗୁଁ କେହି ତାଙ୍କୁ ସାହାଯ୍ୟ କରିପାରିନଥିଲେ । ଏପରିକି ଆତ୍ମହତ୍ୟା କରିବା ପାଇଁ ମଧ୍ୟ ସେ ଚିନ୍ତା କରିସାରିଥିଲେ । ଏହାରି ମଧ୍ୟରେ ସେ ସମୁଦ୍ରରେ ୧୫ଶହ ୯୪ମାଇଲ ଅତିକ୍ରମ କରି ଗୁଆମ ସମୁଦ୍ରରେ ପହଂଚିଥିଲେ ।

ଏହି ସମୟରେ ସମୁଦ୍ରରେ ପାନାମାର ଯାହାଜ ‘ଅରପେଗିୟୋ’ ତାଙ୍କ ପାଇଁ ଦେବଦୂତ ହୋଇ ପହଂଚିଥିଲେ । ଯାହାଜର କର୍ମଚାରୀ ତାଙ୍କୁ ଉଦ୍ଧାର କରିଥିଲେ । ଏବଂ ତାଙ୍କ ଠାରୁ ଜୀବନ ସଂଘର୍ଷ କାହାଣୀ ଶୁଣିଥିଲେ । ଏହାପରେ ଆଲଦି ନୋଭେଲଙ୍କ ଚିକିତ୍ସା କରାଯାଇ ତାଙ୍କୁ ସୁରକ୍ଷିତ ଭାବେ ଇଣ୍ଡୋନେସିଆରେ ତାଙ୍କ ପରିବାର ନିକଟରେ ପହଂଚାଇ ଦିଆଯାଇଛି । ଦୀର୍ଘ ଦିନ ପରେ ନିଖୋଜ ପୁଅକୁ ପାଇ ପରିବାର ଲୋକେ ଆଶ୍ୱସ୍ତ ହୋଇଛନ୍ତି ।