ନାଗ ଗଲା ଡାକ୍ତରଖାନା : ନାଗକୁ ଧରି ଡାକ୍ତରଖାନା ଗଲେ ସାପ କାମୁଡା ରୋଗୀ, ମେଡିକାଲରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା

42

କନକ ବ୍ୟୁରୋ : ନାଗ ଗଲା ଡାକ୍ତରଖାନା । ସାପକୁ ଧରି ଡାକ୍ତରଖାନା ଗଲେ ସାପ କାମୁଡା ରୋଗୀ । ଚାନ୍ଦବାଲି ମେଡିକାଲରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜଣେ ବ୍ୟକ୍ତି ହାତରେ ସାପ ଧରି ଡାକ୍ତରଖାନାରେ ପହଂଚିଥିଲେ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଭଦ୍ରକ ଚାନ୍ଦବାଲି ବ୍ଲକ ଚନ୍ଦନପୁର ଗାଁର ଦୁଃଖିରାମ ଦାସ ଏକ ନାଗ ସାପ ଧରିବା ବେଳେ ତାଙ୍କୁ ନାଗଟି ଚୋଟ ମାରିଥିଲା । ତଥାପି ସେ ସାପକୁ ଛାଡି ନଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଡାକ୍ତରଖାନା ଆଣିଥିବା ବେଳେ ଦୁଃଖିରାମ ସାପକୁ ଧରି ଡାକ୍ତରଖାନା ଆସିଥିଲେ । ତାଙ୍କ ହାତରେ ସାପକୁ ଦେଖି ଡ୍ୟୁଟିରେ ଥିବା ଡାକ୍ତର ମଧ୍ୟ ଡରି ଯାଇଥିଲେ । ପରେ ସମ୍ପୂର୍ଣ୍ଣ ଘଟଣା ବାବଦରେ ଜାଣିବା ପରେ ଡାକ୍ତର ଦୁଃଖିରାମଙ୍କ ଚିକିତ୍ସା କରାଇଥିଲେ ।

ସୂଚନାଯୋଗ୍ୟ, ଗତକାଲି ରାତିରେ ଦୁଃଖିରାମ ଦାସଙ୍କୁ ଏକ ନାଗ ସାପ ଚୋଟ ମାରିଥିଲା । ସେ ସାପକୁ ଧରି ଚାନ୍ଦବାଲି ମେଡିକାଲରେ ପହଂଚିଥିଲେ । ଏହା ଫଳରେ ଡାକ୍ତରଙ୍କୁ ଚିକିତ୍ସା କରିବାରେ ସୁବିଧା ହୋଇଥିଲା । ଡାକ୍ତର ସାପକୁ ଚିହ୍ନଟ କରି ତାର ବିଷ ପ୍ରକ୍ରିୟା ଅଛି କି ନାହିଁ ଜାଣି ତୁରନ୍ତ ଚିକିତ୍ସା କରିଥିଲେ । ଯାହାଫଳରେ ରୋଗୀ ଜଣକ ମୃତ୍ୟୁ ମୁଖରୁ ବଂଚିଯାଇଥିଲେ ।

ଯେତେବେଳେ ଦୁଃଖିରାମ ସାପକୁ ଧରି ଡାକ୍ତରଖାନା ମଧ୍ୟକୁ ପ୍ରବେଶ କରିଥିଲେ, ଲୋକଙ୍କ ମନରେ କୈାତୁହଳ ସୃଷ୍ଟି ହୋଇଥିଲା । ତାଙ୍କ ରକ୍ତ ନମୂନା ନେବା ସମୟରେ ମଧ୍ୟ ଡାକ୍ତର ଓ ନର୍ସ ଭୟଭୀତ ହୋଇଯାଇଥିଲେ ।