ବଦଳିଯିବ ସିଲଭର୍ ସିଟିର ଚେହେରା । କଟକ ସହର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଯୋଜନା, ୬ ଥାକିଆ ରିଙ୍ଗ୍ ରୋଡ ସହ ହେବ ବଡ ମେଡିକାଲର ଉନ୍ନତୀକରଣ । 

1,070

କନକ ବ୍ୟୁରୋ : କଟକ ରିଙ୍ଗ ରୋଡକୁ ୬ ଥାକିଆ ପ୍ରଶସ୍ତ ରାସ୍ତା କରାଯିବ । ବିକଶିତ ହେବ ମହାନଦୀ କୂଳ । ବଡ଼ ମେଡିକାଲର ଉନ୍ନତିକରଣ ହେବ । ଆଜି କଟକ ପାଇଁ ଏକାଧିକ ବିକାଶ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମହାନଦୀ କୂଳ ବୁଲି ଦେଖିବା ସହ ବିକାଶ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଛନ୍ତି । ଏବଂ ଏହି ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ମୁଖ୍ୟମନ୍ତ୍ରୀ କଟକ ସହରବାସୀଙ୍କର ସହଯୋଗ କାମନା କରିଛନ୍ତି ।

କଟକ, ହଜାରେ ବର୍ଷର ସହର, ଓଡ଼ିଶାର ଐତିହାସିକ ପେଣ୍ଠସ୍ଥଳୀ । ରାଜ୍ୟର ପୁରୁଣା ରାଜଧାନୀ ପାଇଁ ପ୍ରସ୍ତୁତ ହେଉଛି ନୂଆ ନକ୍ସା । କଟକ ସହରକୁ ଏକ ବିକଶିତ ସହର ଭାବେ ଗଢ଼ି ତୋଳିବା ପାଇଁ ସହରବାସୀଙ୍କ ସହଯୋଗ  କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମାତା ମଠ ନିକଟ ମହାନଦୀ କୂଳ ବୁଲି ଦେଖିବା ସହିତ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାସ୍ତାଘାଟର ପ୍ରଶସ୍ତିକରଣ, ମୁକ୍ତ ପରିବେଶ, ସବୁଜିମା ଭିତରେ ଆଧୁନିକ ଭିତ୍ତିଭୂମି, ଟ୍ରାଫିକ୍ ନିୟନ୍ତ୍ରଣ, ମହାନଦୀ କୂଳ ଜମିର ପୁନଃରୁଦ୍ଧାର ଠାରୁ ଆରମ୍ଭ କରି କ୍ରୀଡ଼ା ଓ ସାଂସ୍କୃତିକ କ୍ଷେତ୍ରରେ ବିକାଶ ପାଇଁ ଏକ ବ୍ୟାପକ ରୁପ ରେଖ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ଯେଉଁଠି ରିଙ୍ଗ ରୋଡକୁ ୬ ଥାକିଆ ପ୍ରଶସ୍ତରାସ୍ତା, ବଡ଼ ମେଡିକାଲର ଉନ୍ନତିକରଣ, ପୁନଃରୁଦ୍ଧାର ଜମିକୁ ସହରବାସୀଙ୍କ ଉପଯୋଗ ପାଇଁ ବ୍ୟବହାର ଭଳି ଏକାଧିକ ବିକାଶ ଯୋଜନା ପ୍ରସ୍ତୁତ କରିଛନ୍ତି ସରକାର ।

ଏପଟେ ରାଜ୍ୟ ସରକାରଙ୍କ ବିକାଶ ଯୋଜନାକୁ ନେଇ ସନ୍ଦେହ ପ୍ରକାଶ କରିଛି ବିଜେପି । ବଡ଼ ମେଡ଼ିକାଲର ଅବସ୍ଥା କ’ଣ କାହାରିକୁ ଅଛପା ନାହିଁ । ତେଣୁ କଥାରେ କହିବା ଏବଂ କାମରେ କରିବା ଭିତରେ ଫରକ୍ ରହିଛି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । କିନ୍ତୁ ଏସବୁ ଭିତରେ କଟକ ସହରକୁ ନେଇ ରାଜ୍ୟ ସରକାର କରୁଥିବା ଯୋଜନାକୁ ନେଇ ସହରବାସୀଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି ।