କନକ ବ୍ୟୁରୋ: ଫିଲ୍ମ ଫେୟାର ପୁରସ୍କାର ପାଇଁ ମନୋନୀତ ହେଲା ଓଡିଶାର ସିନେମା । ୨୦୨୦ ଫିଲ୍ମଫେୟାର ସର୍ଟ ଫିଲ୍ମ ଆୱାର୍ଡ ପାଇଁ ଓଡିଆ ପୁଅଙ୍କ ସିନେମା ମନୋନୀତ ହୋଇଛି । ସ୍ମାର୍ଟସିଟିର ଆଡ୍ ମ୍ୟାନ୍ ଦୟାନିଧି ଦହିମାଙ୍କ ନିର୍ମିତ ‘ନୱାବ’ ଚଳିତ ବର୍ଷ ଫିଲ୍ମଫେୟାର ପୁରସ୍କାର ପାଇଁ ମନୋନୀତ ହୋଇଛି ।
ତେବେ ପୁରସ୍କାର ପାଇଁ ସିନେମା ଦେବାକୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅନେକ କ୍ଷୁଦ୍ର ସିନେମା ଆସିଥିଲା । ୨୦ ମିନିଟ ଅବଧି ଭିତରେ ସିନେମା ମଗାଯାଇଥିବା ବେଳେ ଶହ ଶହ ସଂଖ୍ୟାରେ ସିନେମା ଫିଲ୍ମଫେୟାର ପାଇଁ ଆସିଥିଲା । ଆଉ ସେଥିମଧ୍ୟରୁ ୩୫ଟି ସିନେମାକୁ ବଛା ଯାଇଛି । ଯାହା ଭିତରେ ଓଡିଶାର ସିନେମା ନୱାବ ପ୍ରଥମ ପସନ୍ଦରେ ରହିଛି ।
ଟିଭି କମର୍ସିଆଲରୁ ବଲିଉଡରେ ଏଣ୍ଟ୍ରି ମାରିଥିବା ଦୟାନିଧି ନୱାବର ପ୍ରଯୋଜନା ଭାର ସମ୍ଭାଳିଛନ୍ତି । ସ୍ମାର୍ଟ ସିଟିରେ ‘ଏଣ୍ଟରଟେନମେଣ୍ଟ ୱାଲା ଦୟା’ ଭାବେ ପରିଚିତ ଦୟାନିଧି ନୱାବ ହିନ୍ଦି ସର୍ଟ ଫିଲ୍ମରୁ ବଲିଉଡରେ ପ୍ରବେଶ କରିଛନ୍ତି ।
ତେବେ କମେଡ଼ି-ଡ୍ରାମାରେ ଭରପୁର ଥିବା ଏହି ସର୍ଟ ଫିଲ୍ମଟି ଜଣେ ସ୍ୱାମୀକୁ ତାଙ୍କ ପତ୍ନୀ ଛାଡ଼ି ଯିବାପରେ ସେ କିଭଳି ରହୁଛନ୍ତି ଏବଂ ଗୋଟେ କୁକୁରକୁ ଘରକୁ ଆଣି ତା’ ସହିତ କିଭଳି ସମୟ ଅତିବାହିତ କରୁଛନ୍ତି ତାହାକୁ ନେଇ ଏହି ଚଳଚିତ୍ର ନିର୍ମିତ । ତେବେ ଫିଲ୍ମଟିର ନିର୍ଦ୍ଦେଶନା ଓ ଲେଖିକା ମାନସୀ ଜୈନ ତୁଲାଇଥିବାବେଳେ ପ୍ରସିଦ୍ଧ ମ୍ୟୁଜିକ୍ କମ୍ପୋଜର ପ୍ରିତମ ଏହାର ସଂଗୀତ ଦାୟିତ୍ୱ ତୁଲାଇଛନ୍ତି