୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ: ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’କୁ ସ୍ଥାନିତ କରିବା ପାଇଁ ପ୍ରସ୍ତାବ ଦେଇଥିବା ଦେଲେ ସୂଚନା

51

କନକ ବ୍ୟୁରୋ: ୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ଫେରିବା ପରେ ନବୀନ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ଦିଲ୍ଲୀରେ ହୋଇଥିବା ରାଷ୍ଟୀୟ ସମିତି ବୈଠକରେ ଯୋଗ ଦେଇଥିଲେ । ଯେଉଁଥିରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି । ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’କୁ ସ୍ଥାନିତ କରିବା ପାଇଁ ସେ ପ୍ରସ୍ତାବ ଦେଇଥିବା ସୂଚନା ଦେଇଛନ୍ତି । ଏହା ହେଲେ ଦେଶର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ।

ଗତ ଦୁଇ ତାରିଖରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ଅନୁଷ୍ଠିତ ଜାତୀୟ ସମିତି ବୈଠକରେ ଏହି ପ୍ରସଙ୍ଗ ଉଠାଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ନବୀନ, ମହାତ୍ମା ଗାନ୍ଧୀଙ୍କ ସବୁଠାରୁ ବଡ ନୀତି ‘ଅହିଂସା’ ଉପରେ ଜୋରଦେଇ ସମ୍ବିଧାନର ମୁଖବନ୍ଧରେ ଏହାକୁ ସ୍ଥାନିତ କରିବାକୁ ଯୁକ୍ତି ବାଢ଼ିଥିଲେ । କହିଥିଲେ-ଦାରିଦ୍ର୍ୟ ଏବଂ ସାମାଜିକ ଅନ୍ୟାୟ ହେଉଛି ସବୁଠୁ ବଡ ହିଂସା। ଯେ ପର୍ଯ୍ୟନ୍ତ ଦେଶରେ ଦାରିଦ୍ର୍ୟ ରହିଛି ସ୍ୱାଧିନତାର କୌଣସି ମୂଲ୍ୟ ନାହିଁ ।

ତେଣୁ ଦାରିଦ୍ର୍ୟ ଦୂରୀକରଣ ହେଉଛି ସରକାରଙ୍କ ପାଇଁ ଏକ ଗୁରୁଦାୟିତ୍ୱ । ଏବଂ ଏହା ଅହିଂସା ବିନା ହାସଲ କରିବା ସଂଭବ ନୁହେଁ ବୋଲି କହିଥିଲେ । ଏହା ସହ କରିଥିଲେ-ବିକାଶ ପାଇଁ ସେମାନଙ୍କୁ ପରାସ୍ତ କରିବାକୁ ହେବ ଯେଉଁମାନେ ସମାଜକୁ ଜାତି, ଶ୍ରେଣୀ ଏବଂ ଧର୍ମ ନାଁରେ ବିଭାଜିତ କରୁଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ।