କୋଲକାତାକୁ ୧୩ ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ ।

30
ଆଇପିଏଲର ୩୭ତମ ମ୍ୟାଚରେ କୋଲକାତାକୁ ୧୩ ରନରେ ମାତ ଦେଲା ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ କୋଲକାତା ପ୍ରଥମେ ଟସ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ମୁମ୍ବାଇ ପ୍ରଥମରୁ ହିଁ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲା । ସୂର୍ଯ୍ୟ କୁମାର ଯାଦବ ଧୁଆଁଧାର ବ୍ୟାଟିଂ କରି ୩୯ଟି ବଲରୁ ୭ଟି ଚୌକା ଏବଂ ୨ଟି ବିଶାଳ ଛକା ବଳରେ ୫୯ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ସେହିପରି ଏଭିନ ଲୁଇସ ୨୮ଟି ବଲରୁ ୫ଟି ଚୌକା ଏବଂ ୨ଟି ଛକା ବଳରେ ୪୩ ରନର ଏକ ଦମଦାର ଇନିଂସ ଖେଳିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟକ୍ରମରେ ରୋମାଞ୍ଚକର ବ୍ୟାଟିଂ କରି ୩୫ ରନର ଜବରଦସ୍ତ ପାଳି ଖେଳିଥିଲେ । ତେବେ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ ହରାଇ ୧୮୧ ରନ ସଂଗ୍ରହ କରିଥିଲା ।
ଜବାବରେ କୋଲକାତା ପ୍ରଥମରୁ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ସୁଦ୍ଧା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କ୍ରିସ ଲିନ ଏବଂ ସୁଭମାନ ଗିଲ ପାୱାର ପ୍ଲେ ମଧ୍ୟରେ ଆଉଟ ହୋଇଯିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ତେବେ ରବିନ ଉଥପ୍ପା ଦମଦାର ବ୍ୟାଟିଂ କରି ୩୫ଟି ବଲରୁ ୬ଟି ଚୌକା ଏବଂ ୩ଟି ଛକା ବଳରେ ୫୪ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଅଧିନାୟକ ଦିନେଶ କାର୍ତ୍ତିକ ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ ମଧ୍ୟ ଦଳକୁ ବିଜୟ କରାଇବାରେ ଅସଫଳ ହୋଇଥିଲେ । ନିର୍ଦ୍ଧାରିତ ଓଭରରେ କୋଲକାତା ୬ ୱିକେଟ ହରାଇ ୧୬୮ ରନ କରିବାକୁ ସକ୍ଷମ ହୋଇଥିଲା । ଏହି ବିଜୟ ସହ ମୁମ୍ବାଇ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଥିବା ବେଳେ କୋଲକାତା ତୃତୀୟ ସ୍ଥାନରେ ରହିଛି ।