ଧମକ ଦେଉଛି ଚୀନ୍ ! ପାହାଡ଼କୁ ଦୋହଳାଇବା ସହଜ,ଚୀନ୍ ସେନାକୁ ନୁହେଁ

18

କନକ ବ୍ୟୁରୋ : ପୁଣି ଡରାଇଲା ଡ୍ରାଗନ୍ । ଭାରତକୁ ଖୋଲାଖୋଲି ଚ୍ୟାଲେଂଜ୍ କରିଛି ଚୀନ୍ । ଚରମ ସୀମାରେ ପହଂଚିଛି ଭାରତ-ଚୀନ୍ ସୀମା ବିବାଦ । ଦୁଇ ଦେଶର ବୟାନବାଜି ଭିତରେ ଘନେଇବାରେ ଲାଗିଛି ତିକ୍ତତା । ଯେ-ଯାହା ସୀମାରେ ଜଗି ରହିଛନ୍ତି । ଆଉ ଏସବୁ ଭିତରେ ଆଜି ବେଜିଂରୁ ଆସିଛି ଖୋଲା ଚ୍ୟାଲେଂଜ୍ । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସାମ୍ବାଦିକ ସମ୍ମଳନୀ କରି ଭାରତକୁ ଦେଇଛି କଡ଼ା ଚେତାବନୀ ।

ଏହି ସାମ୍ବାଦିକ ସମ୍ମଳନୀରେ କୁହାଯାଇଛି-ଦେଶର ସାର୍ବଭୌମତ୍ୱ ଏବଂ ଜାତୀୟ ଏକତାର ରକ୍ଷା ପାଇଁ ଦୀର୍ଘ ୯୦ ବର୍ଷ ଧରି ଚୀନ ସେନା ତାର ପରାକାଷ୍ଠା ଦେଖାଇ ଆସିଛି । ଚୀନର ସୁରକ୍ଷା ପାଇଁ ଜରୁରୀକାଳିନ ଭାବେ ସୀମାରେ ସେନା ମୁତୟନ କରାଯାଇଛି । ଭାରତ ସୀମାରୁ ସେନା ପ୍ରତ୍ୟାହାର ନକଲେ ସୀମାରେ ସେନା ଏବଂ ପ୍ରଶିକ୍ଷଣ ଉଭୟ ବଢ଼ିବ ।

ଭାରତୀୟ ସେନା ସୀମା ଉଲଂଘନ କରୁଥିବା ବେଳେ ଡୋକଲାମ୍ ଅଂଚଳରେ ଚାଲିଥିବା ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି ବୋଲି ଚୀନ୍ ଦାବି କରିଛି । ଏହା ଚୀନର ଇଲାକା ହୋଇଥିବାରୁ ଏଠାରେ ରାସ୍ତା ନିର୍ମାଣ କରିବାର ଅଧିକାର ରହିଛି । ତେଣୁ ବିବାଦ ନବଢ଼ାଇ ଭାରତ, ସେନା ପ୍ରତ୍ୟାହାର କରୁ ।

ଆଉ ଏପଟେ ଗ୍ଲୋବାଲ ଟାଇମରେ ପ୍ରକାଶ ପାଇଛି ଅନୁରୁପ ଏକ ରିପୋର୍ଟ । ଡୋକଲାମ୍ ଅଂଚଳରୁ ସେନା ନହଟିବା ଯାଏଁ କୌଣସି କଥାବାର୍ତା ସଂଭବ ନୁହେଁ ବୋଲି ଚୀନ୍ ସିଧାସିଧା ଶୁଣାଇ ଦେଇଛି । ଆଉ ଏଭଳି ଏକ ପ୍ରତିକ୍ରିୟା ଆସିିଛି ଠିକ୍ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଠିକ୍ ବେଜିଂ ଗସ୍ତ ପୂର୍ବରୁ । ବ୍ରିକ୍ସ ସମ୍ମଳନୀ ଅବସରରେ ଅଜିତ ଡୋଭାଲ, ଚୀନର କୁଟନୀତିଜ୍ଞ ୟାଙ୍ଗ ଜେଚିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଭାରତ ଯଦି ଏକ ସଫଳ କଥାବାର୍ତା ଚାହୁଁଛି, ତେବେ ଚୀନ୍ ସୀମାକୁ ପଶି ଆସିଥିବା ଭାରତୀୟ ସେନାଙ୍କୁ ହଟାଯିବା ପାଇଁ ଦାବି କରାଯାଇଥିବା ଗ୍ଲୋବାଲ ଟାଇମ୍ସ ଲେଖିଛି ।

ଖୋଲାଖୋଲି ନାଲିଆଖି ଦେଖାଉଛି ଚୀନ୍ । ଉଭୟ ଦେଶ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ କିଛି ଦିନ ପୂର୍ବରୁ ତିବ୍ଦତ ସୀମାକୁ ପଠାଇଛି ବ୍ୟାପକ ଯୁଦ୍ଧସାମଗ୍ରୀ । ଏମିତିକି ଯୁଦ୍ଧାଭ୍ୟାସ ବି କରିଛି । ଆଉ ଏହାରି ଭିତରେ ଚୀନ ପ୍ରତିରକ୍ଷା ମନ୍ତ୍ରାଳୟର ଏହି ସାମ୍ବାଦିକ ସମ୍ମିଳନୀ ଭାରତକୁ ଚେତାଇ ଦେଇଛି ।