କାଲି ଶିଶୁ ଦିବସ, ଆଜି ଶିଶୁ ନିର୍ଯାତନା : ଲଘୁଚାପ ବର୍ଷାରେ ପିଲାଙ୍କୁ ଭିଜାଇ ସାଇକେଲ ରାଲି କଲେ ସରକାର

35

କନକ ବ୍ୟୁରୋ :  ଗତକାଲି ନବୀନଙ୍କ ମେଗା ସୋ’ ଯୋଗୁଁ ରାଜ୍ୟରେ ମହାସମାରୋହରେ ପାଳନ ହୋଇଥିଲା ଶିଶୁଦିବସ । ହେଲେ ଆଜି ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ । ନିର୍ଦ୍ଧୁମ ବର୍ଷାରେ ପିଲାଙ୍କୁ ଭିଜାଇ ଭିଜାଇ ରାଲି କରିଥିଲା ଗଣଶିକ୍ଷା ବିଭାଗ । ଖୋଦ ମନ୍ତ୍ରୀ ଏହି ରାଲିକୁ ଉଦଘାଟନ କରିଥିଲେ । ଲଘୁଚାପ ବର୍ଷା ହେବା ନେଇ ପୂର୍ବରୁ ଖବର ଥିବା ସତ୍ୱେ କିଭଳି ବର୍ଷାରେ ଛାତ୍ରଛାତ୍ରମାନଙ୍କ ରାଲି କରାଯାଇଥିଲା, ଏ ନେଇ ଉଠିଛି ପ୍ରଶ୍ନ ।

ଶିଶୁଦିବସରେ ପ୍ରତିବର୍ଷ ସୁରଭି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଏ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ସାଇକେଲ ରାଲି କରାଯାଏ । ତେବେ ଶିଶୁଦିବସରେ ନବୀନଙ୍କ ମେଗା ସୋ’ ଯୋଗୁଁ ଆଜି ସୁରଭିର ଉଦଘାଟନ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର । ସକାଳ ସାଢ଼େ ୬ଟାରୁ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆସିଥିଲେ । ପାଖାପାଖି ୨ ଘଂଟା ପରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ମନ୍ତ୍ରୀ । ସେତେବେଳକୁ ଜୋରଦାର ବର୍ଷା ଆରମ୍ଭ ହୋଇଯାଇଥିଲା । ହେଲେ ରାଲିରେ ସାମିଲ ହେବାକୁ କେହି ରୋକିନଥିଲେ ଛାତ୍ରଛାତ୍ରୀଙ୍କୁ।

ଲଘୁଚାପ ପ୍ରଭାବରେ ବର୍ଷା ହେବ ବୋଲି ପୂର୍ବରୁ ଭଲଭାବେ ଅବଗତ ଥିଲେ ସରକାର । ଏଠି ପ୍ରଶ୍ନ ଉଠୁଛି – ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବରୁ ସତର୍କ କରାଇଥିଲେ ବି ଏଭଳି ରାଲିର ଆୟୋଜନ କରାଗଲା କାହିଁକି? ତେବେ ଏହି ପ୍ରଶ୍ନ ଉଠିବାରୁ ମତ ବଦଳାଇ ଦେଇଥିଲେ ମନ୍ତ୍ରୀ । ମନ୍ତ୍ରୀଙ୍କ ସଫେଇ ଯାହା ହେଉ ନା କାହିଁକି, ପିଲାମାନଙ୍କୁ ବର୍ଷାରେ ଭିଜାଇ ରାଲି କରିବାର ଯଥାର୍ଥତା ଉପରେ ପ୍ରଶ୍ନଚିହ୍ନ ଲାଗିଯାଇଛି ।