ଏବେ ବି ଚାଲିଛି ବାଲ୍ୟବିବାହ ! ମାଲକାନଗିରି ଜିଲ୍ଲାରେ ଏକ ବାଲ୍ୟ ବିବାହକୁ ରୋକିଛି ଚାଇଲ୍ଡ ଲାଇନ୍

44

କନକ ବ୍ୟୁରୋ : ବାଲ୍ୟ ବିବାହ ବେଆଇନ୍ ଜାଣିଥିଲେ ହେଁ ଅଭିଭାବକ ସଚେତନ ହେଉନାହାନ୍ତି । ବାଲ୍ୟ ବିବାହ ଦାୟିତ୍ୱରୁ ମୁକ୍ତି ନୁହେଁ ବରଂ ଶୈଶବ ପ୍ରତି ଅନ୍ୟାୟ । ଶିକ୍ଷା ଓ ସଚେତନତା ଅଭାବରୁ ଆଜିବି ଏହି ପ୍ରଥା ଚାଲିଆସିଛି । ବାଲ୍ୟ ବିବାହ କରିବା ଦ୍ୱାରା ଝିଅମାନଙ୍କୁ ଶିକ୍ଷା ଅଧିକାର ତଥା ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଂଚିତ ହେବା ସହିତ ଉତ୍ପୀଡନ ଓ ନିର୍ୟ୍ୟାତନାର ଶିକାର ହେବାକୁ ପଡ଼ୁଛି । ଏହା ହେବା ଫଳରେ ଝିଅମାନେ ଅଧାରୁ ପାଠ ଛାଡିବା, ଅଳ୍ପ ବୟସରେ ଗର୍ଭଧାରଣ ଜନିତ ସମସ୍ୟା, ମାତୃ ମୃତ୍ୟୁ ହାର ବଢ଼ିବା, ଶିଶୁ ମୃତ୍ୟୁ ହାର ବୃଦ୍ଧି, ରକ୍ତ ହିନତା ଓ ଅପପୃଷ୍ଠି, ଘରୋଇ ହିଂସା ଭଳି ବିଭିନ୍ନ ସମସ୍ୟା ଦେଖାଦେଉଛି । ବାଲ୍ୟ ବିବାହ ପରି ଏକ କୁତ୍ସିତ ପରମ୍ପରାକୁ ସମୁଳ ଭାବେ ବିଲୋପ କରାଯିବ ଦରକାର । ତେବେ ସଚେତନ ହେବେ ପରିବର୍ତ୍ତେ ଏବେ ବି ହେଉଛି ବାଲ୍ୟ ବିବାହ ।

ପୁଣି ସାମ୍ନାକୁ ଆସିଛି ବାଲ୍ୟ ବିବାହ ପ୍ରଥା । ମାଲକାନଗିରି ଜିଲ୍ଲାରେ ଏକ ବାଲ୍ୟ ବିବାହକୁ ରୋକିଛି ଚାଇଲ୍ଡ ଲାଇନ । ଜିଲ୍ଲାର ସଦର ମହକୁମାରଠାରୁ ୫ କିଲୋମିଟର ଦୂର ଏମ-ଭି-୧୦ ଗାଁରେ ବାଲ୍ୟ ବିବାହ ପାଇଁ ନିର୍ବନ୍ଧ ଚାଲିଥିବାବେଳେ ଚାଇଲ୍ଡ ଲାଇନର ସଦସ୍ୟମାନେ ନାବାଳିକା ଓ ପୁଅ ଘର ଲୋକଙ୍କୁ ବୁଝାସୁଝା କରିଥିଲେ । ତଥାପି ପରିବାର ଲୋକେ ନ ମାନିବାରୁ ନାବାଳିକାକୁ ଉଦ୍ଧାର କରି ସିଡବ୍ଲସିକୁ ହସ୍ତାନ୍ତର କରାଯାଇଛି । ରାଜ୍ୟରେ ବାଲ୍ୟ ବିବାହରେ ମାଲକାନଗିରି ଜିଲ୍ଲା ପ୍ରଥମ ସ୍ଥାନରେ ରହିଛି । ସର୍ବେକ୍ଷଣ ଅନୁସାରେ ମାଲକାନଗିରି ଜିଲ୍ଲାରେ ୩୯.୩ ପୁଅ ଓ ଝିଅ ୧୮ ବର୍ଷ ପୂର୍ବରୁ ବାହାଘର କରିଥାନ୍ତି ।