ବାର୍ଡ ଫ୍ଲୁ ପାଇଁ ଭୁବନେଶ୍ୱର ଓୟୁଏଟିରେ ଆରମ୍ଭ ହେଲା କୁକୁଡା ମରା ଅଭିଯାନ : ବିଶ୍ୱବିଦ୍ୟାଳୟର ୧ କିଲୋମିଟର ପରିସରରେ ମରାଯାଉଛି କୁକୁଡା, ୧୨ଟି ରାପିଡ ଆକ୍ସନ ଫୋର୍ସ ନିୟୋଜିତ

196

କନକ ବ୍ୟୁରୋ : ଭୁବନେଶ୍ୱରରେ ଓୟୁଏଟି କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବା ପରେ ଆଜି ଠାରୁ ଆରମ୍ଭ ହୋଇଛି କୁକୁଡା ମରା ଅଭିଯାନ । ଓୟୁଏଟି କୁକୁଡା ଫାର୍ମର ଏକ କିଲୋମିଟର ପରିଧି ଭିତରେ ଭିତରେ କୁକୁଡା ଓ ପକ୍ଷୀ ମରାଯାଉଛି । ଓୟୁଏଟି ପରିସରରେ ଥିବା କୁକୁଟ ଗବେଷଣା କେନ୍ଦ୍ରରେ ସ୍ୱତନ୍ତ୍ର ଟିମ୍ ପହଁଚିବା ପରେ ପ୍ରଥମେ ଟିମରେ ଆସିଥିବା ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାପରେ ଏହି ଟିମ୍ ସଦସ୍ୟ କୁକୁଟ ଗବେଷଣା କେନ୍ଦ୍ର ମଧ୍ୟରେ ଥିବା ସମସ୍ତ କୁକୁଡାକୁ ମାରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ସେପଟେ ଓୟୁଏଟି ପରିସରରେ ଥିବା କୁୁକୁଟ ଗବେଷଣା କେନ୍ଦ୍ର ଅଂଚଳକୁ ପ୍ରବେଶ କଟକଣା ଜାରି କରାଯାଇଛି । ଏନେଇ ସତର୍କତା ନେଇ ନୋଟିସ୍ ଜାରି କରିଯାଇଛି । ଗତ ୨ଦିନ ଭିତରେ ଭୂତାଣୁ ଆକ୍ରମଣରେ ହଜାରେ କୁକୁଡା ମରି ସାରିଲେଣି । ଏହାକୁ ନଜରରେ ରଖି କୁକୁଡା ମରା ଅଭିଯାନ ଆରମ୍ଭ ହେଉଛି । ରାଜଧାନୀରେ ମୋଟ୍ ୧୨ଟି ରାପିଡ୍ ଆକ୍ସନ ଟିମ୍ ଏହି କୁକୁଡା ମାରିବେ । ଓୟୁଏଟିରୁ ୧୦ କିଲୋମିଟର ଯାଏଁ ନୀରିକ୍ଷଣ ଅଂଚଳ ଭାବେ ଘୋଷଣା କରାଯାଇଛି । କୁକୁଡ଼ାଙ୍କୁ ମାରିବା ପାଇଁ ୭ଟି ଟିମ୍ ଏବଂ ନୀରିକ୍ଷଣ ପାଇଁ ୫ଟି ଟିମ୍ ନିୟୋଜିତ ହୋଇଛନ୍ତି ।