ବିଜେଡ଼ି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ମାମଲା ! ୮ଜଣଙ୍କୁ ଗିରଫ କଲା ଗଂଜାମ ପୋଲିସ

23

କନକ ବ୍ୟୁରୋ : ଛତ୍ରପୁରରେ କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଗଂଜାମ ପୋଲିସକୁ ମିଳିଛି ସଫଳତା । ହତ୍ୟାକାଣ୍ଡରେ ସଂପୃକ୍ତ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଓ ଗାଡି ଜବତ ହୋଇଛି । ହତ୍ୟା ସମୟର ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆହୁରି ୧୫ରୁ ୨୦ ଜଣ ଫେରାର ରହିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏନ୍ଏସି କାଉନସିଲର ଲକ୍ଷ୍ମୀଦତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା ବୋଲି ଏସପି ସ୍ପଷ୍ଟ କରିଛନ୍ତି ।

ପୋଲିସ କବଜାରେ କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାରୀ । ହତ୍ୟାକାଣ୍ଡର ୭ ଦିନ ପରେ ୮ଜଣଙ୍କୁ ଧରିଛି ପୋଲିସ । ଏହେଉଛି ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ମାରଣାସ୍ତ୍ର । ଖଣ୍ଡା, ଭୁଜାଲି ଓ ଲୁହାରଡରେ ବିଜେଡି କାଉନସିଲରଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରିଥିଲେ ଅଭିଯୁକ୍ତ । ଆଉ ହତ୍ୟା ପଛରେ ଥିଲା ପୂର୍ବ ଶତ୍ରୁତା । ଛତ୍ରପୁର ଏନ୍ଏସିର ବିଜେଡି କାଉନସିଲର ଲକ୍ଷ୍ମୀଦତ ପ୍ରଧାନଙ୍କ ହତ୍ୟା ପଛରେ ରହିଥିଲା ଦୀର୍ଘଦିନର ରାଜନୈତିକ ଶତ୍ରୁତା । ଲକ୍ଷ୍ମୀଦତ ଏବଂ ଛତ୍ରପୁର ଅଂଚଳର ସାକୁରାଙ୍କ ମଧ୍ୟରେ ଛକାପଂଝା ଲାଗି ରହିଥିଲା । ତେବେ ୨୦୧୪ ରେ ସାକୁରାଙ୍କ ହତ୍ୟା ପରେ ଆହୁରି ଘନେଇଥିଲା ଶତ୍ରୁତା । କୁହାଯାଉଛି, ସାକୁରାଙ୍କ ହତ୍ୟା ପଛରେ ରହିଥିଲା ଲକ୍ଷ୍ମୀଦତ୍ତଙ୍କ ହାତ । ଯାହାର ପ୍ରତିଶୋଧ ନେଇଥିଲେ ସାକୁରାଙ୍କ ସମର୍ଥକ ।

ସେପ୍ଟେମ୍ବର ୧୬ । ଛତ୍ରପୁର ସାଇନ୍ସ କଲେଜ୍ ଛାତ୍ର ସଂସଦ ନିର୍ବାଚନକୁ ନେଇ ୩ ବର୍ଷ ପରେ ମୁହାଁମୁହିଁ ହୋଇଥିଲେ ଦୁଇ ବିରୋଧୀ ଗୋଷ୍ଠୀ । ଆଉ ଲକ୍ଷ୍ମୀଦତ୍ତ ନିଜ ଘରେ ଥିବା ବେଳେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ସାକୁରାଙ୍କ ସମର୍ଥକ । ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ବିଜେଡି କାଉନସିଲର । ଏବେ ପୋଲିସ ୮ଜଣଙ୍କୁ ଗିରଫ କରିଥିବା ବେଳେ ଆହୁରି ୧୫ରୁ ୨୦ଜଣ ଫେରାର ଅଛନ୍ତି ।