ଇଏ କି ପ୍ରକାର ସମ୍ମାନ ! ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ପରେ ହସ୍ପିଟାଲ୍ ବାରଣ୍ଡାରେ ଶୋଇଲେ ମହିଳା

31

କନକ ବ୍ୟୁରୋ : ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ହସ୍ପିଟାଲ୍ ଆସିଥିଲେ ମହିଳା । ଦୀର୍ଘ ୮ଘଂଟାର ଅପେକ୍ଷା ପରେ ଅପରେସନ୍ ହେଲା ସତ । ମାତ୍ର ସେଇଠୁ ଆରମ୍ଭ ହୋଇଗଲା ଯନ୍ତ୍ରଣା । ଅପରେସନ୍ ପରେ ମହିଳାଙ୍କୁ ଶୁଆଇ ଦିଆଗଲା ହସ୍ପିଟାଲ୍ ବାରଣ୍ଡାରେ । ହସ୍ପିଟାଲରେ ବେଡ୍ ନାହିଁ । ଚାଲିବାକୁ ଯିବା ପାଇଁ ମହିଳାଙ୍କ ବଳ ନଥିଲା । ଆଉ ବାଧ୍ୟ ହୋଇ ହସ୍ପିଟାଲ ବାରଣ୍ଡାରେ ଛଟପଟ ହେଉଥିଲେ । ଘଟଣାଟି ଘଟିଛି ଚାନ୍ଦବାଲିରେ ।

ସୂଚନା ଅନୁସାରେ, କୁହାଯାଇଥିଲା ୧୫ ତାରିଖରେ ମହିଳାଙ୍କ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ହେବ । ନିର୍ଦ୍ଧାରିତ ସମୟ ଥିଲା ସକାଳ ୮ଟା । ଅପରେସନ୍ ପାଇଁ ଇଚ୍ଛୁକ ମହିଳାମାନେ ଠିକ୍ ୭ଟାରେ ହସ୍ପିଟାଲ୍ ପହଂଚି ଯାଇଥିଲେ । ହେଲେ ଡାକ୍ତର ଆସିଲେ ୪ଟାରେ । ଆଉ ଅପରେସନ୍ କରି କାମ ସାରିଥିଲେ । କାହିଁକି ନା’ ଅପରେସନ୍ ପାଇଁ ଡାକ୍ତରଙ୍କୁ ବାହାରୁ ଅଣାଯାଇଥିଲା । ଯେଉଁଥି ପାଇଁ ସେମାନେ କହୁଛନ୍ତି-ମହିଳାଙ୍କ ପରବର୍ତ୍ତୀ ଦାୟିତ୍ୱ ନେବା ତାଙ୍କ କାମ ନୁହେଁ ।

ପ୍ରାୟ ୩୦ ଜଣ ମହିଳା ଅପରେସନ୍ କରିଥିଲ । ହେଲେ ଏତେ ସଂଖକ ମହିଳାଙ୍କ ପାଇଁ ଚାନ୍ଦପାଲି ହସ୍ପିଟାଲରେ ବ୍ୟବସ୍ଥା ନାହିଁ । ଯେଉଁଥି ପାଇଁ ମହିଳାଙ୍କୁ ଏମିତି ଅବ୍ୟବସ୍ଥା ଭିତରେ ସମୟ କାଟିବାକୁ ପଡ଼ିଛି ।

ତେବେ ଏହା ଭିତରେ ପ୍ରଶ୍ନ ଉଠୁଛି-

-ମହିଳାଙ୍କୁ ଇଏ କି ପ୍ରକାର ସମ୍ମାନ ?

-ଆନୁସଙ୍ଗିକ ବ୍ୟବସ୍ଥା ନଥାଇ କାହିଁକି ହେଉଥିଲା ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ?

-ଯଦି କୌଣସି ଅଘଟଣ ଘଟିଯାଏ ଏଥି ପାଇଁ ଦାୟି ରହିବ କିଏ ?