ରାଜନୀତିକୁ ତତାଇଲା ତିତଲି ! ରାଜ୍ୟ ବିଜେପି ଖୁଣ ବାହାର କରୁଛି, କେନ୍ଦ୍ର ବିଜେପି ପ୍ରଂଶସାରେ ପୋତୁଛି

ତିତଲି: ଓଡିଶା ପାଇଲା କେନ୍ଦ୍ର ପ୍ରଂଶସା 

432

କନକ ବ୍ୟୁରୋ : ତିତଲି ମୁକାବିଲାରେ ବିଫଳ ହୋଇଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି ବିରୋଧୀ । ୭୭ ଲୋକ ପ୍ରାଣ ହରାଇଥିବା ଯୋଗୁଁ ସରକାର ବେଶ୍ ସମାଲୋଚନାର ଶିକାର ହୋଇଛନ୍ତି । ତେବେ ସରକାରଙ୍କ ବାତ୍ୟା ମୁକାବିଲାକୁ ପ୍ରଶଂସାରେ ପୋତି ଦେଇଛି କେନ୍ଦ୍ର । ସରକାରଙ୍କ ଆଗୁଆ ପଦକ୍ଷେପ ଓ ସଫଳ ବାତ୍ୟା ମୁକାବିଲା ନେଇ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷର ପତ୍ରିକା ‘ଆପଦା-ସମ୍ବାଦ’ରେ ପ୍ରଶଂସାପୂର୍ଣ୍ଣ ଆଲେଖ୍ୟ ପ୍ରକାଶ ପାଇଛି । ତେବେ ରାଜ୍ୟ ବିଜେପି କହିଛି, କାଗଜପତ୍ରରେ ମିଛ ଦର୍ଶାଇ ପ୍ରଶଂସା ପାଉଛନ୍ତି ସରକାର ।

ତିତଲି ମୁକାବିଲାରେ ଫେଲ୍ ମାରିଥିବା ଅଭିଯୋଗ କରି ନବୀନ ସରକାରଙ୍କୁ ରାଜ୍ୟ ବିଜେପି ଘେରୁଥିବା ବେଳେ ସାମନାକୁ ଆସିଛି କେନ୍ଦ୍ର ସରକାରଙ୍କ ପ୍ରଶଂସାପୂର୍ଣ୍ଣ ଆଲେଖ୍ୟ । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ (ଏନଡିଏମଏ) ପକ୍ଷରୁ ପ୍ରକାଶିତ ଡିଜିଟାଲ ପତ୍ରିକା ‘ଆପଦା-ସମ୍ବାଦ’ର ଚଳିତ ମାସର ସଂସ୍କରଣରେ ତିତଲି ମୁକାବିଲା ପରିଚାଳନାରେ ରାଜ୍ୟ ସରକାରଙ୍କ ତତ୍ପରତାକୁ ଢେର୍ ପ୍ରଶଂସା କରାଯାଇଛି । ତିତଲିର ପ୍ରକୋପରେ ୧୪୯ କିଲୋମିଟର ବେଗରେ ପବନ ଓଡ଼ିଶା ଭିତରକୁ ମାଡି ଆସିଥିଲା । ତେବେ ଜିରୋ କାଜୁଆଲିଟିର ଲକ୍ଷ୍ୟ ରଖି ୩ ଲକ୍ଷ ଲୋକଙ୍କୁ ଖାଲୁଆ ଅଂଚଳରୁ ସ୍ଥାନାନ୍ତର କରାଯାଇଥିବା ଆପଦା-ସମ୍ବାଦରେ ଉଲ୍ଲେଖ ରହିଛି ।

ଆପଦା-ସମ୍ବାଦରେ ଦର୍ଶାଯାଇଛି ଯେ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା, କିଛି ରୁଟରେ ଟ୍ରେନ୍ ଚଳାଚଳ ବାତିଲ, ଏନଡିଆରଏଫ୍ ଟିମକୁ ଆଲର୍ଟ କରି ସରକାର ଆଗୁଆ ପଦକ୍ଷେପ ନେଇଥିଲେ । ସରକାର ସମୟ ପୂର୍ବରୁ ପଦକ୍ଷେପ ନେଇ ବାତ୍ୟା ଓ ବାତ୍ୟା ପର ବନ୍ୟାର ସଫଳ ମୁକାବିଲା କରିଥିଲେ । ତିତଲିର ଭୟଙ୍କର ପ୍ରକୋପ ସତ୍ୱେ ସଫଳ ମୁକାବିଲା ଯୋଗୁଁ ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ ବି ମୃତ୍ୟୁ ସଂଖ୍ୟା ୭୭ ଅର୍ଥାତ୍ ଦୁଇ ଅଙ୍କରେ ସୀମିତ ରହିଥିଲା ବୋଲି ଏହି ପତ୍ରିକାରେ କୁହାଯାଇଛି । ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଓ ବିଭିନ୍ନ ସଂସ୍ଥାକୁ ତ୍ୱରିତ ନିୟୋଜନ କରି ସଫଳ ମୁକାବିଲା  କରିବା ଯୋଗୁଁ ଖୁବ କମ୍ ସମୟ ମଧ୍ୟରେ ସ୍ୱାଭାବିକ ସ୍ଥିତି ଫେରି ଆସିଥିଲା ବୋଲି କହିଛି ଆପଦା-ସମ୍ବାଦ ।

ଏନଡିଏମଏର ଏଭଳି ପ୍ରଶଂସାରେ ବିଜେଡି ଉଲ୍ଲସିତ ହୋଇଥିବା ବେଳେ ବିଜେପି କହିଛି, କାଗଜ କଲମରେ ବାତ୍ୟା ମୁକାବିଲା କରି ପ୍ରଶଂସା ସାଉଂଟିଛନ୍ତି ସରକାର । ତିତଲି ମୁକାବିଲା ନେଇ ରାଜନୈତିକ ବୟାନବାଜି ଚାଲିଥିବା ବେଳେ ଓଡ଼ିଶାର ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଏମଡିଏମଏ ପ୍ରଶଂସା କରିବା ରାଜ୍ୟ ସରକାରଙ୍କୁ ବେଶ୍ ଉତ୍ସାହିତ କରିଛି ।