ଉଜୁଡା କ୍ଷେତ ଦେଖିଲେ ମୋଦିଙ୍କ ମନ୍ତ୍ରୀ ! ଦାମ କହିଲେ , ବୃନ୍ଦା ସାହୁ ହୋଇଥିବେ ବିଜେପି କର୍ମୀ, ସେଥିପାଇଁ ପଡିଲା ମନ୍ତ୍ରୀଙ୍କ ପାଦ

42

କନକ ବ୍ୟୁରୋ : ଚକଡ଼ା ପୋକ ଯୋଗୁଁ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ । ବରଗଡରେ ପହଞ୍ଚି  କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଶେଖାୱତ  କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିଛନ୍ତି । ଚିକିଟି ଗାଁର କ୍ଷତିଗ୍ରସ୍ତ ଜମି ବୁଲି ଦେଖିବା ସହ  ପ୍ରଭାବିତ ଚାଷୀ ପରିବାରଙ୍କୁ ମଧ୍ୟ ଭେଟିଛନ୍ତି ଶେଖାୱତ । ମୃତ ବୃନ୍ଦା ସାହୁଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ।  ତେବେ ଆରମ୍ଭରୁ ହିଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ । ଶେଖାୱତ କହିଛନ୍ତି, ଓଡିଶାର ଚାଷୀ ସଙ୍କଟ ଦେଇ ଗତି କରୁଛନ୍ତି । ଚକଡା ପୋକ ଦାଉ, ଚାଷୀକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି । ୧୪ ଜିଲ୍ଲାରେ ଭୟାବହ ମରୁଡି ପରିସ୍ଥିତି ଥିବାବେଳେ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ୧୩୦ କୋଟି ନାଗରିକଙ୍କ ପ୍ରତି ରହିଛି ।

ଗସ୍ତର ଦ୍ୱିତୀୟ ଦିନରେ ଆଜି ସୋନପୁରକୁ ମଧ୍ୟ ଗସ୍ତ କରିଛନ୍ତି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ । ଗଜେନ୍ଦ୍ର ସିଂ ଶେଖାୱତ ସୋନପୁର ବ୍ଲକ ମୟୁରଉଡାନ ଗାଁର ମରୁଡି ଓ ଚକଡା ପୋକରେ କ୍ଷତିଗ୍ରସ୍ତ ଚାଷଜମି ପରିଦର୍ଶନ କରିଥିଲେ । ଚଳିତ ଖରିଫ ଋତୁରେ ମୟୁରଉଡାନ ଗାଁରେ ଧାନ ଭୟଙ୍କର ଭାବେ ମରୁଡିରେ କ୍ଷତିଗ୍ରସ୍ତ ହେବା ସହ ଅନେକ ଚାଷଜମି ବୁଲି ଦେଖିଥିଲେ । କ୍ଷତିଗ୍ରସ୍ତ ଚାଷୀମାନେ କୃଷି ରାଷ୍ଟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ଗାଁର କ୍ଷତିଗ୍ରସ୍ତ ଚାଷଜମିକୁ କେନ୍ଦ୍ରମନ୍ତ୍ରୀଙ୍କୁ ଦେଖାଇଥିଲେ । ତୁରନ୍ତ କ୍ଷତିପୂରଣ ପ୍ରଦାନ ସହ ଶସ୍ୟବୀମା ପ୍ରଦାନ ଓ ଋଣଛାଡ ଉପରେ ପଦକ୍ଷେପ ନେବାକୁ ଦାବି କରିଥିଲେ ।  କୃଷି ରାଷ୍ଟ୍ରମନ୍ତ୍ରୀ ଏ ବାବଦରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ।

ମୃତ ଚାଷୀ ବୃନ୍ଦା ସାହୁଙ୍କ ପରିବାରକୁ କେନ୍ଦ୍ର ମନ୍ତ୍ରୀ ଭେଟିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାଗେର୍ଟ କରିଛନ୍ତି ଦାମ ରାଉତ  । ବୃନ୍ଦା ସାହୁ ତାଙ୍କ ଦଳୀୟ ଲୋକ ହୋଇଥିବାରୁ କେନ୍ଦ୍ର ମନ୍ତ୍ରୀ ତାଙ୍କୁ ଭେଟିଛନ୍ତି ବୋଲି ଦାମ କହିଛନ୍ତି  । ଏହାସହ ସେ ମୋ ଦଳର ଲୋକ ନୁହଁନ୍ତି ତେଣୁ ମୁଁ କଣ ପାଇଁ ଯିବି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଦାମ ରାଉତ ।  ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି ଏବଂ କଣ କ୍ଷତିପୂରଣ ଦିଆଯିବ ସେ ନେଇ ଚିନ୍ତା କରାଯାଉଛି  ।  ଏପରିକି ବୃନ୍ଦା ସାହୁ ପ୍ରଥମେ ଜମିରେ ନିଆଁ ଲଗାଇବା ଏବଂ ପରେ ଆତ୍ମହତ୍ୟା କରିବା ଉପରେ ମଧ୍ୟ ତଦନ୍ତ ଚାଲିଛି ।  ତଦନ୍ତ ପରେ ଯାହା କିଛି ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି   । କିନ୍ତୁ କେନ୍ଦ୍ର ନେତାଙ୍କର ସାଧାରଣ ଜ୍ଞାନ ନାହିଁ ଏବଂ ସେମାନେ ଓଡ଼ିଶାକୁ ଗସ୍ତ କରି ଶାଳୀନତା ସମ୍ପୂର୍ଣ୍ଣ ଭୂଲି ଯାଉଛନ୍ତି  ବୋଲି ଦାମ କହିଛନ୍ତି ।