ଚାଷୀ ଆଖିରୁ ନିଦ ଚୋରୀ କରିଛି ଲଘୁଚାପ ବର୍ଷା ! ଜୋରସୋରରେ କଟାଚାଲିଛି ଜମିରୁ ଫସଲ, କିନ୍ତୁ ସଂରକ୍ଷଣ ପାଇଁ ଜାଗା ନାହିଁ

30

କନକ ବ୍ୟୁରୋ : ପ୍ରଥମେ ମରୁଡି ପରେ ଚକଡା ପୋକର ମାଡରେ ଠିକରେ ଅଣ୍ଟା ସଳଖି ଠିଆ ହୋଇନଥିବା ଚାଷୀ ଏବେ ଲଘୁଚାପ ବର୍ଷାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ଅଦିନିଆ ଲଘୁଚାପ ଶ୍ରୀଲଙ୍କା ମୁହାଁ ହୋଇଯାଇଛି ସତ । କିନ୍ତୁ ୧୫ ତାରିଖରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯିବା ପରେ ଚିନ୍ତାରେ ପଡିଯାଇଛନ୍ତି ନବରଙ୍ଗପୁରର ଚାଷୀ । କ୍ଷେତରେ ହସୁଥିବା ପାଚିଲା ଧାନ ଓ ମକା ଫସଲକୁ ତରବରିଆ ଭାବେ ଅମଳରେ ଲାଗିପଡିଛନ୍ତି ଚାଷୀ । ଜମିରୁ ଫସଲ କାଟିବା ପରେ କିନ୍ତୁ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ଜମିରୁ ଫସଲ କାଟି ଆଣିବା ପରେ ତାକୁ କେଉଁଠି ରଖିବେ ତାକୁ ନେଇ ଅଡୁଆରେ ପଡିଛି ଚାଷୀ । ବର୍ଷା ଦାଉରୁ ଫସଲର ସଂରକ୍ଷଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଜମିରୁ ଫସଲ କାଟି ଆଣିବା ପରେ ଚାଷୀ ରଖିବା ପାଇଁ ଜାଗା ନଥିବାରୁ ଜାତୀୟ ରାଜପଥରେ ସୁଖାଉଥିବାର ଘଟଣା ସାମ୍ନାକୁ ଆସିଛି । ତେବେ କେଉଁ ମୁହୂର୍ତ୍ତରେ ଯେ ବର୍ଷା ହୋଇ ସବୁ ଧୋଇନେବ ତାହା କେହି ଜାଣିନାହାନ୍ତି । ସେପଟେ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯିବା ପରେ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଉମରକୋଟ ବିଡିଓ ।

ଚଳିତ ବର୍ଷ ଚାଷୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଚାଷ ଆରମ୍ଭରୁ ବର୍ଷାର ଅଭାବ ଯୋଗୁଁ କେତେକ ଜିଲ୍ଲାରେ ସୃଷ୍ଟି ହୋଇଛି ମରୁଡି । ଆଉ କେତେକ ସ୍ଥାନରେ ଚକଡା ପୋକ ଧାନ ଖାଇଦେବା ପରେ ଅଗାଡିକୁ ନେଇ ଚିନ୍ତାରେ ପଡିଥିବା ଚାଷୀ ଜମିରେ ଫସଲକୁ ଜାଳି ଦେଇଛନ୍ତି । ଏବେ ଅଦିନିଆ ଲଘୁଚାପ ଚାଷୀର ନିଦ ହଜେଇ ଦେଇଛି ।