ପୁଣି ବିବାଦ ଘେରରେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର। ପତ୍ନୀ ଆଣିଲେ ଯୈାତୁକ ଅଭିଯୋଗ

5

କନକ ବ୍ୟୁରୋ : ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ପିଛା ବିବାଦ ଛାଡୁନି । ରାତି ଅଧରେ ମହିଳାଙ୍କ ଘରେ ପଶି ମାରପିଟ କରିବା ଘଟଣାରେ ଏବେ ବିଚାର ବିଭାଗୀୟ ହାଜତରେ ଥିବା ଦେବେନ୍ଦ୍ରଙ୍କ ପାଇଁ ପୁଣି ଅଡୁଆ ବଢିଛି । ଏବେ ଦେବେନ୍ଦ୍ରଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଖୋଦ ତାଙ୍କ ପତ୍ନୀ ରଶ୍ମିପ୍ରଭା ପ୍ରଧାନ । ଦେବେନ୍ଦ୍ରଙ୍କ ସହ ତାଙ୍କ ବାପା, ମାଆ, ଦୁଇ ଭାଇ ଓ ଭଉଣୀଙ୍କ ନାମରେ ମଧ୍ୟ ସେ ଅଭିଯୋଗ ଆଣିଛନ୍ତି। ବିବାହ ପରେ ବାପଘରୁ ଏକ ବୋଲେରୋ ଗାଡି ଆଣିବା ଦାବି କରି ଦେବେନ୍ଦ୍ର ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏଥିରେ ତାଙ୍କୁ ପରିବାର ଲୋକ ସାହାଯ୍ୟ କରୁଥିଲେ। ନିର୍ଯ୍ୟାତନା ଅସହ୍ୟ ହେବାରୁ ସେ ପୃଥକ ଭାବେ ରହୁଛନ୍ତି।

 

ତା ସତ୍ତ୍ବେ ମଝିରେ ମଝିରେ ଯାଇ ଦେବେନ୍ଦ୍ର ତାଙ୍କୁ ମାଡପିଟ୍ କରୁଛନ୍ତି ବୋଲି ପତ୍ନୀ କହିଛନ୍ତି। ଏଥି ସହ ଦେବେନ୍ଦ୍ର ଅନ୍ୟ ଜଣକୁ ବିବାହ କରିଛନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି। ଶ୍ରୀମତୀ ପ୍ରଧାନ ଏଭଳି ଅଭିଯୋଗ ପରେ ଆଜି ସନ୍ଧ୍ୟାରେ ଫୁଲବାଣୀ ଟାଉନ ପୁଲିସ କେସ ନ˚ ୧୮୫/୨୦୧୮ ଦଫା ୪୯୮(ଏ), ୪୯୪, ୩୨୩, ୫୦୬ ଓ ୩୪ ଆଇପିସିରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମା ଓ ଝିଅକୁ ମାଡପିଟ ଘଟଣାରେ ଦେବେନ୍ଦ୍ର ଗିରଫ ହୋଇ ଏବେ ଜେଲ ହାଜତରେ ଥିବା ବେଳେ ତାଙ୍କ ନାଁରେ ପୁଣି ପତ୍ନୀ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିବା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି।

Comments are closed.