ରାଫେଲକୁ ନେଇ ମୋଦି ସରକାରଙ୍କୁ ମିଳିଲା ସିଏଜି ସାର୍ଟିଫିକେଟ୍ ! ୟୁପିଏ ଠାରୁ ଏନଡିଏର ଡିଲ୍ ୨ ପ୍ରତିଶତରୁ ଅଧିକ ଶସ୍ତା, ରିପୋର୍ଟକୁ କଂଗ୍ରେସର ପ୍ରତ୍ୟାଖାନ ।

106

କନକ ବ୍ୟୁରୋ : ରାଫେଲ ପ୍ରସଙ୍ଗରେ ମୋଦି ସରକାରଙ୍କୁ ସିଏଜିଙ୍କ କ୍ଲିନଚିଟ୍ । ଏନଡିଏ ସରକାର ୨ ଦଶମିକ୮୬ ପ୍ରତିଶତ ଶସ୍ତାରେ ଏହି ଲଢ଼ୁଆ ବିମାନ କିଣିଥିବା ତାଙ୍କ ରିପୋର୍ଟରେ କହିଛନ୍ତି ସିଏଜି  । ହେଲେ ଏହି ରିପୋର୍ଟ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ  । ରାଫେଲ ଡିଲ୍ ନେଇ ଜେପିସି ତଦନ୍ତ ଦାବି କରି ସଂସଦ ପରିସରରେ ବିକ୍ଷୋଭ କରିଛି କଂଗ୍ରେସ  । ସିଏଜି ରିପୋର୍ଟକୁ କଂଗ୍ରେସ ପ୍ରତ୍ୟାଖାନ କରିଥିବା ବେଳେ ଏପଟେ ସାମ୍ବାଦିକ ସମ୍ମଳନୀ କରି ମୋଦି ସରକାର ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  ।

ସଂସଦରେ ଉପସ୍ଥାପିତ ସିଏଜି ରିପୋର୍ଟକୁ ପ୍ରତ୍ୟାଖାନ କରିଛି କଂଗ୍ରେସ  । ସିଏଜି ରାଜୀବ ମେହରିଶିଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି ଦଳ  । ସେହିପରି ସିଏଜି ଦେଇଥିବା ରିପୋର୍ଟକୁ ଅଧା ପନ୍ତରିଆ କହିବା ସହ ରାଫେଲର ଚୂଡ଼ାନ୍ତ ଦାମ ଆହୁରି ଅଧିକ ହେବ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ  । ଫ୍ରାନ୍ସ ସହ ରାଫେଲ ଡିଲ ନେଇ ଉପସ୍ଥାପିତ ସିଏଜିଙ୍କ ରିପୋର୍ଟ ଏକ ପ୍ରକାର କ୍ଲିନଚିଟ୍ ଦେଇଛି ମୋଦି ସରକାରଙ୍କୁ । କାରଣ ରିପୋର୍ଟରେ କୁହାଯାଇଛି ୟୁପିଏ ସରକାରଙ୍କ ଡିଲ୍ ତୁଳନାରେ ମୋଦି ସରକାରଙ୍କ ଡିଲ୍ ଶସ୍ତା । ରାଫେଲ ସଂପର୍କରେ ତୁଳନାତ୍ମକ ଚିତ୍ର ଦେଇଛନ୍ତି ସିଏଜି ।

– ୨୦୦୭ ତୁଳନାରେ ୨୦୧୬ ଡିଲ ୨.୮୬% ଶସ୍ତା

– ଏନଡିଏ ସରକାର ଯୋଡିଛନ୍ତି ୬ଟି ନୂଆ ଫିଚର

– ୬ଟି ନୂଆ ଫିଚରରେ ୧୪ଟି ସାମଗ୍ରୀ ଯୋଡା ଯାଇଛି

– ସେଥିଭିତରୁ ୭ଟି ସାମଗ୍ରୀର ଦାମ୍ ଅଧିକ

– ୩ଟି ଦାମ୍ ୟୁପିଏ ସରକାରଙ୍କ ଡିଲ ସହ ସମାନ

– ୪ଟି ସାମଗ୍ରୀର ଦାମ୍ ପୂର୍ବ ଡିଲ ତୁଳନାରେ ବହୁତ୍ କମ

– ନୂଆ ଡିଲରେ ଶୀଘ୍ର ରାଫେଲ ବିମାନ ପାଇବ ଭାରତ

ୟୁପିଏ ଠାରୁ ୯ ପ୍ରତିଶତ କମ ଦାମରେ ରାଫେଲ କିଣିବାକୁ ଡିଲ କରାଯାଇଛି ବୋଲି ମୋଦୀ ସରକାରଙ୍କ ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି ସିଏଜି । ତେବେ ଅଡିଟରଙ୍କ ରିପୋର୍ଟକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ । ରାଫେଲ ସମ୍ବଦ୍ଧରେ ସିଏଜି ରିପୋର୍ଟ ଉପସ୍ଥାପିତ ହେବା ପରେ କାଗଜ ବିମାନ ଉଡାଇ କଂଗ୍ରେସ ପ୍ରତିବାଦ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ସତ୍ୟର ଜୟ ହୋଇଛି ।

କଂଗ୍ରେସ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବାରମ୍ବାର ଅଭିଯୋଗ କରିଆସୁଛନ୍ତି ଯେ, ଅନୀଲ ଅମ୍ବାନିଙ୍କୁ ଫାଇଦା ଦେବାପାଇଁ ୟୁପିଏ ସରକାର ଅମଳରେ ହୋଇଥିବା ଡିଲକୁ ପରିବର୍ତନ କରିଥିଲେ । ଶିଳ୍ପପତି ମିତ୍ରଙ୍କୁ ୩୦ ହଜାର କୋଟି ଟଙ୍କାର ଫାଇଦା ଦେବାକୁ ଏଭଳି ପରିବର୍ତନ କରାଯାଇଛି ବୋଲି ଅଭିଯୋଗ  କରିଆସୁଛି କଂଗ୍ରେସ  । ଲୋକସଭାରେ ଶେଷ ଅଧିବେସନର ଶେଷ ଦିନରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଜୋରଦାର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ  । ଗୋଟିଏ ପଟେ ଲୋକସଭାରେ ମୋଦୀ ଅଭିଭାଷଣ ରଖୁଥିବା ବେଳେ ଅନ୍ୟପଟେ ପ୍ରେସମିଟ୍ ଡାକି ରାଫେଲ ଡିଲ୍ ନେଇ ସରକାରଙ୍କ ଉପରେ ବର୍ଷିଥିଲେ ରାହୁଲ୍ ।