କୁଶଳୀ ଭାରତ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ମିଶନ୍ । ଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହେବ ଭାରତୀୟ କୌଶଳ ବିକାଶ ସଂସ୍ଥାନ ।

31

କନକ ବ୍ୟୁରୋ: ପିପିପି ମୋଡରେ ଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହେବ ଭାରତୀୟ କୌଶଳ ବିକାଶ ସଂସ୍ଥାନ ବା (ଆଇଆଇଏସ) । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ପ୍ରସ୍ତାବକୁ ମଞ୍ଜୁର ମିଳିଛି । ଚାହିଦା ଏବଂ ଉପଲବ୍ଧ ଭିତିଭୂମି ଆଧାରରେ ଚୟନ କରାଯାଇଥିବା ସ୍ଥାନରେ ଆଇଆଇଏସ ପ୍ରତିଷ୍ଠା ହେବ । ଏହି ସଂସ୍ଥାନ ପ୍ରତିଷ୍ଠା କରାଯିବାକୁ କେନ୍ଦ୍ର କ୍ୟାବିନେଟରେ ନିଷ୍ପତି ହୋଇଛି ।

ତେବେ ଆଇଆଇଏସ ପ୍ରତିଷ୍ଠା ହେବା ଦ୍ୱାରା ଉଚ୍ଚମାନର କୌଶଳ ତାଲିମ, ପ୍ରୟୋଗାତ୍ମକ ଗବେଷଣା ଶିକ୍ଷା ଏବଂ ଉଦ୍ୟୋଗ ସହିତ ପ୍ରତ୍ୟକ୍ଷ ଓ ପ୍ରଭାବୀ ସଂଯୋଗ ଜରିଆରେ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରମୁଖ କ୍ଷେତ୍ରରେ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ । ଏହା ଦେଶର ଯୁବକମାନଙ୍କୁ ଉଚ୍ଚମାନର କୌଶଳ ତାଲିମ ଯୋଗାଇ ଦେବ ।

ଏହାଦ୍ୱାରା ମିଶନ୍ କୁଶଳୀ ଭାରତ- ସଶକ୍ତ ଭାରତ କରିବାର ଲକ୍ଷ୍ୟ ପୂରଣ ହୋଇପାରିବ । ତେଣୁ ଏହାକୁ ସାକାର କରିବା ପାଇଁ ଘରୋଇ ଉଦ୍ୟୋଗ, ସରକାରୀ ଭୂମି ଏବଂ ରାଷ୍ଟ୍ରାୟତ ପୁଞ୍ଜିର ଲାଭ ଉଠାଇ ଏହାର ଜ୍ଞାନ ଓ ପ୍ରତିଦ୍ୱନ୍ଦ୍ୱିତାର ନୂତନ ପ୍ରତିଷ୍ଠାନ ନିର୍ମାଣ କରିବ ବୋଲି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ।