ସାବାଡ ହେବେ ଫେରାର୍‌ ଆର୍ଥିକ ଠକ ! ଫୁଜିଟିଭ ଇକୋନୋମିକ ଅଫେଣ୍ଡର ବିଲକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ

44

କନକ ବ୍ୟୁରୋ: ଏଣିକି ବ୍ୟାଙ୍କକୁ ଠକି କୋଟି କୋଟି ଟଙ୍କା ଚଳୁ କରି ଫେରାର ହେବା ମହଙ୍ଗା ପଡିବ । ବ୍ୟାଙ୍କକୁ ଚୂନା ଲଗାଇ ଫେରାର ହୋଇ ଯାଉଥିବା ଶିଳ୍ପପତିଙ୍କୁ ରୋକିବା ପାଇଁ ଆସିବ କଠୋର ଆଇନ । ହଜାର ହଜାର କୋଟି ଟଙ୍କା ବ୍ୟାଙ୍କ ଠକେଇ କରି ବିଜୟ ମାଲ୍ୟା ଓ ନିରବ ମୋଦି ଭଳି ବଡ଼ ବଡ଼ ଶିଳ୍ପପତି ଫେରାର ହେବା ପରେ ଚେତା ପଶିଛି ସରକାରଙ୍କର । ଫୁଜିଟିଭ୍ ଇକୋନମିକ୍ ଅଫେଣ୍ଡର ବିଲ୍-୨୦୧୭କୁ ମିଳିଛି କେନ୍ଦ୍ର କ୍ୟାବିନେଟରେ ମଂଜୁରୀ । ଏହି ବିଲ୍ ଆଇନରେ ପରିଣତ ହେଲେ ବ୍ୟାଙ୍କକୁ ସୁରକ୍ଷା ମିଳିବ ଏବଂ କର୍ପୋରେଟ୍ ଋଣ ଖିଲାପକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଲରେ ତଦନ୍ତକାରୀ ଏଜେନ୍ସିକୁ ଅଧିକ କ୍ଷମତା ଦିଆଯାଇଛି । ଋଣ ଖିଲାପକାରୀଙ୍କ ସଂପତି ଜବତ କରିବା ପାଇଁ ମଧ୍ୟ ଆଇନଗତ ବ୍ୟବସ୍ଥା ରହିଛି । ବିଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଏହି ବିଲ୍ ସଂସଦରେ ଆଗତ ହେବା ସମ୍ଭାବନା ରହିଛି ।

ଏହି ଚିଠା ଆଇନ ଅନୁସାରେ, ଜଣେ ଫେରାର ଆର୍ଥିକ ଅପରାଧୀର ଅର୍ଥ ହେଉଛି ଯାହା ବିରୋଧରେ ଏକ ଆର୍ଥିକ ଠକେଇକୁ ନେଇ ଓ୍ଵାରେଣ୍ଟ ଜାରି ହୋଇଛି, କିନ୍ତୁ ସେ ଦେଶଛାଡି ପଳାଇଛି ଓ ଫେରିବାକୁ ମନା କରୁଛି । ଏପରି କ୍ଷେତ୍ରରେ ଭାରତରେ ଥିବା ତାହାର ସଂପତ୍ତିକୁ ଚିହ୍ନଟ କରି ଜବତ କରାଯାଇପାରିବ । ୧୦୦ କୋଟି ଟଙ୍କାରୁ ଅଧିକ ପରିମାଣ ଅନାଦେୟ ଋଣ ଥିବା ବ୍ୟକ୍ତିମାନଙ୍କ ସମ୍ପତ୍ତି ଜବତ କରାଯାଇପାରିବ । ପୁଣି ଯେଉଁମାନେ ଭାରତ ଛାଡି ପଳାଇଯିବାର ସମ୍ଭାବନା ରହିଛି ସେମାନଙ୍କୁ ଚିହ୍ନଟ କରି ଆଗୁଆ ସେମାନଙ୍କ ପାସପୋର୍ଟ ରଦ୍ଦ କରିଦିଆଯିବ । ଅନ୍ୟପକ୍ଷରେ ଅଡିଟର ଓ ଚାଟାର୍ଡ ଆକାଉଣ୍ଟାଣ୍ଟ ମାନଙ୍କୁ ନିୟନ୍ତ୍ରଣ କରିବାକୁ ଏକ ଜାତୀୟ ଫାଇନାନ୍ସିଆଲ ରିପୋର୍ଟିଂ ଅଥରିଟି (ଏନଏଫଆରଏ) ଗଠନ କରିବାକୁ ନିଷ୍ପତ୍ତି ହୋଇଛି ।