କରୋନା ଭିତରେ ଜାରି ରହିବ ଜୀବନଯାତ୍ରା: ଆଜିଠୁ ରାଜ୍ୟରେ ଗଡ଼ିବ ସମସ୍ତ ସରକାରୀ ଓ ସିଟି ବସ୍; ଦିନରେ ଚାଲିବ ଅଟୋ ଓ ଟାକ୍ସି

ଓଲା ଓ ଉବେରକୁ ୨୪ ଘଂଟିଆ ସେବା ପାଇଁ ମିଳିଲା ଅନୁମତି, ହେଲେ ଅନୁମତି ସତ୍ୱେ ଘରୋଇ ବସ୍ ଚଳାଚଳ ଉପରେ ଆଶଙ୍କା ଜାରି

181

କନକ ବ୍ୟୁରୋ: ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଇ ସରକାର ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ କଟକଣାକୁ କୋହଳ କରିଥିବା ବେଳେ ଆଜି ଠାରୁ ସ୍ୱାଭାବିକ ହୋଇପାରେ ସାଧାରଣ ପରିବହନ ବ୍ୟବସ୍ଥା । ସାରା ରାଜ୍ୟରେ ସରକାରୀ ବସ୍, ଅଟୋ, ଟ୍ୟାକ୍ସି, ଘରୋଇ କାର ଓ ସରକାରୀ ଗାଡି ଚାଲିବ । ରାଜ୍ୟର ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବସ୍ ଚାଲିବାରେ କୌଣସି ବି ବାଧା ରହିବ ନାହିଁ । ରାଜ୍ୟରେ ସବୁପ୍ରକାରର ବସ୍ ଚଳାଚଳ କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ହେଲେ ଅନୁମତି ସତ୍ୱେ ଘରୋଇ ବସ୍ ଚଳାଚଳ ଉପରେ ଆଶଙ୍କା ଜାରି ରହିଛି ।

କାରଣ, ଘରୋଇ ବସ୍ ମାଲିକ ସଂଘ ବର୍ତମାନ ସୁଦ୍ଧା କୌଣସି ଚୁଡ଼ାନ୍ତି ନିଷ୍ପତି ନେଇନାହିଁ । ତେବେ ସହରରେ ସିଟି ବସ ଚାଲିବ । ବସରେ ଯେତିକି ସିଟ୍ ସେତିକି ଯାତ୍ରୀ ଯାଇପାରିବେ । ହେଲେ ଠିଆ ହୋଇ ଯାତ୍ରୀ ଯାଇପାରିବେ ନାହିଁ । ତେବେ ତିନି ଚକିଆ ଓ ଚାରି ଚକିଆ ଗାଡିରେ ଯାତ୍ରା ପାଇଁ କିଛି ନିୟମ ଲାଗୁ କରିଛନ୍ତି ସରକାର । ଅଟୋ ଓ ଚାରି ଚକିଆ ଗାଡିରେ ଡ୍ରାଇଭର ବାଦ୍ ଦୁଇ ଜଣ ଯାତ୍ରୀ ଯାଇପାରିବେ । ଯାତ୍ରା ବେଳେ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ୨୪ ଘଂଟିଆ ସେବା ଜାରି ରଖିପାରିବେ ଓଲା ଓ ଉବେର । ରାତି ୭ରୁ ସକାଳ ୭ଯାଏ ବନ୍ଦ ରହିବନି ଟ୍ୟାକ୍ସି ସେବା ।

କୋଭିଡ ୧୯ର ଗାଇଡ ଲାଇନ ଅନୁଯାୟୀ ଯାତ୍ରୀଙ୍କ ସ୍କ୍ରିନିଂ ଓ ବସ ସାନିଟାଇଜ କରାଯାଇ ବସ ଚଳାଚଳ କରିବ । ଟ୍ରାନ୍ସପୋର୍ଟ ନିୟମ ଉଲଂଘନ କଲେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଆଇନ୍ ଆଧାରରେ କଡା ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ବସରୁ ଆରମ୍ଭ କରି ଓଲା, ଉବେର ଓ ଅଟୋ ସେବା ଚାଲୁ କରିବା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ କରି କିଛି ସର୍ତ ସହ ଏସବୁ ଚଳାଇବାପାଇଁ ସରକାର ଅନୁମତି ଦେଲେ ବୋଲି ଘୋଷଣା କରିଛନ୍ତି ।