ଛାତ୍ର ଆନ୍ଦୋଳନ ଥମିଲା, ଜନ ଆନ୍ଦୋଳନ ତେଜିଲା : ଭିମସାର ନିର୍ଦ୍ଦେଶକଙ୍କ ବଦଳିର ପ୍ରତିବାଦରେ ନାଗରିକ ମଂଚର ବୁର୍ଲା ବନ୍ଦ, ଚକାଜାମ

ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ।

153

କନକ ବ୍ୟୁରୋ : ଆଜି ବୁର୍ଲା ବନ୍ଦ । ଚକା ଜାମ୍ । ଥମିଲା ଭିମସାର ଛାତ୍ର ଆନ୍ଦୋଳନ, ତେଜିଲା ଜନ ଆନ୍ଦୋଳନ । ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ ପ୍ରତ୍ୟାହାର ପରେ ଭିମସାରରେ ରୋଗୀସେବା କ୍ରମେ ସ୍ୱାଭାବିକ ସ୍ଥିତିକୁ ଫେରୁଥିବା ବେଳେ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କୁ ଛୁଟିରେ ପଠାଇବା ପ୍ରତିବାଦରେ ଜନଆନ୍ଦୋଳନ ତେଜିବାରେ ଲାଗିଛି । ତାଙ୍କୁ ଭିମସାର୍ ନିର୍ଦ୍ଦେଶକ ଭାବେ ପୁନଃଅବସ୍ଥାପିତ କରିବା ଦାବିରେ ଆଜି ବୁର୍ଲା ବନ୍ଦ ଡାକରା ଦିଆଯାଇଛି । ଏଥିସହ ବିଜେପି ପକ୍ଷରୁ ସମ୍ବଲପୁର ଅଇଁଠାପାଲି ବିର୍ସା ମୁଣ୍ଡା ଛକରେ ଚକା ଜାମ୍ ଆନ୍ଦୋଳନ କରାଯାଇଛି । ସେପଟେ ଗୋଲବଜାର ଛକରେ ବିଜେପି ଯୁବମୋର୍ଚ୍ଚା ତରଫରୁ ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ସେହିପରି ଗୋଶାଳା ଛକରେ ହସ୍ତାକ୍ଷର ଅଭିଯାନରେ ବହୁ ଲୋକ ସାମିଲ ହୋଇ ପୂଜାହାରୀଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି । ବନ୍ଦକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ବୁର୍ଲା ବଡ ମେଡିକାଲରେ ନିର୍ଦ୍ଦେଶକ ଭାବେ ଯୋଗଦେବା ପରଠାରୁ ଚର୍ଚ୍ଚାରେ ରହିଆସିଛନ୍ତି ଡାକ୍ତର ଅଶ୍ୱିନୀ ପୂଜାହାରୀ । ସରକାରୀ ଚାକିରିରେ ରହି ଘରୋଇ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କ ବିରୋଧରେ ପଦକ୍ଷେପ ନେଇ ପଶ୍ଚିମାଂଚଳରେ ବେଶ ଲୋକପ୍ରିୟତା ସାଉଁଟିଥିଲେ । ହେଲେ ତାଙ୍କ ଚିକିତ୍ସା ପଦ୍ଧତିକୁ ନେଇ ବଡ ବିବାଦ ମୁଣ୍ଡ ଟେକିଛି । ଲୁଣ ଚିକିତ୍ସା ନେଇ ବିବାଦୀୟ ହୋଇପଡିଥିବା ଭିମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ ଛୁଟିରେ ପଠାଇବା ସହ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର କାରଣ ଦର୍ଶାଅ ନୋଟିସ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ଏଥିନେଇ ଜୁନିୟର ଡାକ୍ତର ସଂଘ କାର‌୍ୟ୍ୟବନ୍ଦ ଆନ୍ଦୋଳନ କରିଥିଲେ ।