ବୁଦ୍ଧିଆ ସ୍ପୋର୍ଟ୍ସ ହଷ୍ଟେଲ ନଫେରିବା ପ୍ରସଙ୍ଗରେ ଆରମ୍ଭ ହେଲା ଛାନଭିନ : ବୁଦ୍ଧିଆଙ୍କ ଘରେ ପହଂଚି ତଦନ୍ତ କରିଛି କମିଶନରେଟ ପୋଲିସ

35

ବୁଦ୍ଧିଆ ସ୍ପୋର୍ଟ୍ସ ହଷ୍ଟେଲ ନଫେରିବା ପ୍ରସଙ୍ଗରେ ଆରମ୍ଭ ହେଲା ଛାନଭିନ । ବୁଦ୍ଧିଆଙ୍କ ଘରେ ପହଂଚି ତଦନ୍ତ କରିଛି କମିଶନରେଟ ପୋଲିସ । ପରିବାର ସଦସ୍ୟଙ୍କୁ ପଚରା ଉଚରା କରିଥିବା ଜଣାପଡିଛି । ଏଥିସହ ଅଧିକ ଛାନଭିନ ପାଇଁ ନୟାପଲ୍ଲୀ ଥାନା ପୋଲିର ଏକ ଟିମ୍ ନୟାଗଡ ଯିବ ବୋଲି ସୂଚନା ମିଳିଛି । ସିଡବ୍ଲୁସିର ମାମଲା ଆଧାରରେ ଏହି ଛାନଭିନ ଆରମ୍ଭ କରିଛି ପୋଲିସ । ଏପଟେ ବିସ୍ମୟ ବାଳକ ବୁଦ୍ଧିଆ ସିଂ ଏବେ କେଉଁଠି, ତାକୁ ନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ଚର୍ଚ୍ଚା । ବୁଦ୍ଧିଆଙ୍କ ଉପରେ ନିର୍ମାଣ ହୋଇଥିବା ଫିଲ୍ମ ‘ବୁଦ୍ଧିଆ ସିଂ ବର୍ଣ୍ଣ ଟୁ ରନ୍’ର ପ୍ରଯୋଜନା ସଂସ୍ଥା ତାଙ୍କୁ ଲୁଚାଇ ରଖିଥିବା ଚର୍ଚ୍ଚା ହେଉଛି ।

ଗତ ଜୁନ୍ ୨୭ ତାରିଖରୁ ବୁଦ୍ଧିଆ ତାଙ୍କ ମାଆଙ୍କୁ ଭୁବନେଶ୍ୱରରୁ ନେଇ ବନ୍ଦୀ କରି ରଖାଯାଇଥିବା ଅଭିଯୋଗ ବି ହେଉଛି । ଫିଲ୍ମର ପ୍ରମୋସନ ପାଇଁ ହେଉ ବା ଅନ୍ୟ କୌଣସି କାରଣ ପାଇଁ ଉଭୟଙ୍କୁ ଲୁଚାଇ ରଖାଯାଇଥିବା ନେଇ ମଧ୍ୟ କଳ୍ପନା ଜଳ୍ପନା କରାଯାଉଛି। ଏହାରି ଭିତରେ ବୁଦ୍ଧିଆଙ୍କୁ ଖୋଜି ବାହାର କରିବା ପାଇଁ ସିଡବ୍ଲୁସି ପକ୍ଷରୁ ଥାନାରେ ମାମଲା ହୋଇଥିବାରୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି କଣ ବୁଦ୍ଧିଆଙ୍କୁ ଖୋଜି ବାହାର କରିବାରେ ସମର୍ଥ ହେବ କମିଶନରେଟ ପୋଲିସ ? ଫିଲ୍ମର ପ୍ରଯୋଜକ ଶୁଭମିତ୍ର ସେନଙ୍କୁ ମଧ୍ୟ ନୋଟିସ କରିଛି ଶିଶୁ ମଙ୍ଗଳ କମିଟି । ତେଣୁ କଣ ପ୍ରଯୋଜନା ସଂସ୍ଥା ଓ ଏହାର କର୍ତୃପକ୍ଷଙ୍କୁ ବି ତଦନ୍ତ ପରିସରଭୁକ୍ତ କରିବ ପୋଲିସ ? ଫିଲ୍ମର ପ୍ରଯୋଜନା ସଂସ୍ଥାକୁ ବି ନୋଟିସ କରିବ କି ପୋଲିସ ?