ବିକାଶ ଠାରୁ ବହୁ ଦୂରରେ ବୌଦ୍ଧ ! ଜିଲ୍ଲା ଘୋଷଣାର ୨୫ ବର୍ଷ ପରେ ବି ଅନ୍ଧାରରେ ଅନେକ ଗାଁ

205

କନକ ବ୍ୟୁରୋ : ଅବହେଳିତ ୨୬ ବର୍ଷର ବୌଦ୍ଧ । ବୌଦ୍ଧ ଜିଲ୍ଲା ଆଜି ୨୫ ବର୍ଷ ପୁରଣ କରି ୨୬ ବର୍ଷରେ ପ୍ରଦାର୍ପଣ କରିଛି । ଆଜି ବି ପୂର୍ଣ୍ଣାଙ୍ଗ ଜିଲ୍ଲାର ମାନ୍ୟତା ପାଇପାରିନାହିଁ ବୌଦ୍ଧ । ଆଜି ବି ଗାଁକୁ ରାସ୍ତା ନାହିଁ । ଆଦିବାସୀ ଅଧ୍ୟୁଷିତ ଗାଁର ମଣିଷ ଏବେ ବି ବିଜୁଳି ଆଲୁଅ କଣ ଜାଣି ନାହାନ୍ତି । ଅନ୍ଧାର ଦୂର କରିବା ପାଇଁ ଲଣ୍ଠନ ଓ ଡିବି ଆଲୁଅ ଉପରେ ନିର୍ଭର କରିବାକୁ ପଡୁଛି ।

୧୯୯୪ ମସିହାରେ ସ୍ୱର୍ଗତ ବିଜୁ ବାବୁ ବୌଦ୍ଧ ବାସୀଙ୍କୁ ଦେଇଥିଲେ ଭେଟି । ଆଉ ସେଇଟା ବି ବୁଦ୍ଧଙ୍କ ନାମରେ । ଆଜିର ସେହି ବୌଦ୍ଧ ଜିଲ୍ଲା ୨୫ ବର୍ଷ ପୁରଣ କରି ୨୬ ବର୍ଷ ରେ ପଦାର୍ପଣ କଲା ହେଲେ ଆଜି ବି ପୂର୍ଣ୍ଣାଙ୍ଗ ଜିଲ୍ଲାର ମାନ୍ୟତା ଅଦ୍ୟାବଧି ପାଇପାରିନାହିଁ । କେତେ ଗୋଟି ହାତ ଗଣତି ଉନ୍ନୟନ କାର୍ଯ୍ୟକୁ ଛାଡି ଦେଲେ ଜିଲ୍ଲାରେ ବିଜୁଳି ଆଲୁଅ ଠୁଁ ଆରମ୍ଭ କରି ଗମନା ଗମନ ଶିକ୍ଷା, ସ୍ୱାସ୍ଥ୍ୟ ,ପାନୀୟ ଜଳ ଭଳି ପ୍ରତିଟି କ୍ଷେତ୍ରରେ ବହୁ ପଛରେ ଥିବାବେଳେ ଶିଳ୍ପ ବିହୀନ ଏହି ଜିଲ୍ଲାରରେ ରେଲୱେ ଲାଇନ୍ ପାଲଟିଛିି ସାତ ସପନ ।

୧୯୯୪ ଜାନୁୟାରୀ ୨ ତାରିଖରେ ଅଭିବକ୍ତ ଫୁଲବାଣୀ ଜିଲ୍ଲା ୨ ଭାଗରେ ବିଭକ୍ତ କରାଯାଇଥିଲା । ୨୫ ବର୍ଷ ତଳେ ୩ଟି ବ୍ଲକ, ଗୋଟିଏ ସବ୍ଡିଭିଜନ ଏବଂ ଗୋଟିଏ ଏନ୍ଏସିକୁ ନେଇ ବୌଦ୍ଧ ଜିଲ୍ଲା ଗଢି ଉଠିଥିଲା । ସେଦିନ ବୁଦ୍ଧଙ୍କ ନାମରେ ନାମିତ ହୋଇଥିବା ସେହି ନବଜାତ ଶିଶୁ ବୌଦ୍ଧ ଆଜି ୨୫ ବର୍ଷର ଯୌବନରେ ପଦାର୍ପଣ କରିଛି । ଜିଲ୍ଲାକୁ ୨୬ ଛୁଇଁଥିବା ବେଳେ ୨୬ ଜଣ ଜିଲ୍ଲାପାଳଙ୍କ ବଦଳି ହୋଇ ସାରିଛି । ହେଲେ ଆଜି ବି ଆଖିଦୃଶିଆ ବିକାଶ ହୋଇପାରିନାହିଁ ।

ଗମନାଗମନ ପାଇଁ ରାସ୍ତାର ସୁବିଧା ନଥିବାରୁ ଖଟିଆରେ ବୁହାହୁଅନ୍ତି ରୋଗୀ । ସ୍ୱାସ୍ଥ୍ୟ କ୍ଷେତ୍ରରେ ମୁଖ୍ୟ ସମସ୍ୟା ଡାକ୍ତର ପଦବୀ ଖାଲି । ଶିକ୍ଷା ଜିଲ୍ଲାର ଗୋଟିଏ ବି କଲେଜ ସରକାରୀ ମାନ୍ୟତା ପାଇନାହିଁ । ଯେଉଁ କଲେଜ ରହିଛି ସେଠାରେ ଆବଶ୍ୟକୀୟ ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ବୌଦ୍ଧର ପିଲା ଭବିଷ୍ୟତ ପାଇଁ ଜିଲ୍ଲା ପାଠ ପଢନ୍ତି । ଅନେକ ଗାଁ ଆଜି ବି ବିଜୁଳି ଆଲୁଅ ଦେଖିନାହିଁ । ପାଣି ବୁନ୍ଦାଏ ପାଇଁ ମାଇଲ ମାଇଲ ଦୂର ନାଳ ଓ ପୋଖରରୀ ଉପରେ ନିର୍ଭର କରନ୍ତି ଜିଲ୍ଲାବାସୀ ।

ବୌଦ୍ଧ ଦାବି
ଜିଲ୍ଲାର କଂଟାମାଳରେ ଆଉ ଏକ ସବ୍ଡିଭିଜନ କରିବା । ୧୯୬୧ରୁ ଥିବା ଏକ ମାତ୍ର ଏନଏସିକୁ ମ୍ୟୁନିସିପାଲିଟିର ମାନ୍ୟତା । ଜିଲ୍ଲାରେ ବୁଦ୍ଧ କୀର୍ତ୍ତିି ଭଳି ଥିବା ପର୍ଯ୍ୟଟନ ସ୍ଥଳିର ବିକାଶ ପାଇଁ ଦାବି ହେଉଛି । ପଶ୍ଚିମ ଓଡିଶାରେ ଅନ୍ତର୍ଭୁକ୍ତ ଏହି ଜିଲ୍ଲାକୁ ଦକ୍ଷିଣାଂଚଳ ଆରଡିସିରୁ ବାଦ୍ ଦେଇଥିବାରୁ ବୌଦ୍ଧକୁ ପଶ୍ଚିମାଂଚଳ ଆର୍ ଡିସି ଅଧିନରେ ସାମିଲ କରିବା ଦାବିରେ ଆନ୍ଦୋଳନ ଦାନା ବାନ୍ଧୁଛି ।

ପଶ୍ଚିମ ଓଡିଶାର ଲାଇଫ ଲାଇନ୍ କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗିର ରେଲୱେ ଲାଇନ୍ ବୌଦ୍ଧ ଦେଇ ଯାଉଥିବାବେଳେ ଏଯାଏଁ ଜିଲ୍ଲାରେ କୌଣସି କାମ ହୋଇ ନାହିଁ । କାମ ହେବ କଣ ଗୋଟେ ଇଂଚ ଜମି ଅଧିଗ୍ରହଣ ହୋଇନାହିଁ । ସେପଟେ ଜିଲ୍ଲାପାଳ କହୁଛନ୍ତି ଜିଲ୍ଲାରେ ଅନେକ ବିକାଶ ହୋଇଛି, ଆଗକୁ ଆହୁରି କରାଯିବ ।