ସାଂସଦ ବୈଜୟନ୍ତଙ୍କ ନିଶ୍ଚିନ୍ତକୋଇଲି ଗସ୍ତକୁ ବିରୋଧ କରି ମହିଳାଙ୍କ ନୀରବ ପ୍ରତିବାଦ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ

51

କନକ ବ୍ୟୁରୋ : ଆଜି ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବୁହାଳୋ ଗାଁରେ ଏକ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ କରିବେ ସାଂସଦ ବୈଜୟନ୍ତ ପଣ୍ଡା । ହେଲେ ଏହା ପୂର୍ବରୁ ସାଂସଦଙ୍କୁ ସ୍ଥାନୀୟ ଅଂଚଳର ମହିଳାମାନେ ବିରୋଧ କରିଛନ୍ତି । ବିଜୁ ପଟ୍ଟନାୟକ ପ୍ରତିମୂତି ତଳେ ମୁହଁରେ କଳାକନା ଓ ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି । ସ୍ଥାନୀୟ ଅଂଚଳର ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ସାଂସଦ ପାଣ୍ଠିରୁ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀରେ ଏପରି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।

ଅନ୍ୟପଟେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ଥିବାରୁ ସଭାସ୍ଥଳରେ ବହୁସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ପୂର୍ବରୁ ଗୋଟିଏ ଗୋଷ୍ଠୀ ସାସଂସଦଙ୍କ କାର୍ଯ୍ୟକ୍ରମକୁ ବିରୋଧ କରିବେ ବୋଲି ଚେତାବନୀ ଦେଇଥିଲେ । ଏହାକୁ ନେଇ ସ୍ଥାନୀୟ ରାଜନୀତି ସରଗରମ ହୋଇଛି ।  ପୂର୍ବରୁ ମଧ୍ୟ ଏମିତି ଏକ ଜଳ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ଯାଇଥିବା ବେଳେ ବୈଜୟନ୍ତ ପଣ୍ଡାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଥିଲା । ବିରୋଧୀ ସାଂସଦଙ୍କୁ ଅଣ୍ଡାମାଡ କରିଥିଲେ । ତେବେ ଆଜିର କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାରେ ଆୟୋଜିତ ହେବ ବୋଲି ଆୟୋଜକ କହିଛନ୍ତି । ସେପଟେ ସାଂସଦଙ୍କୁ ବିରୋଧ କରି ମହିଳା ମାନେ ନୀରବ ପ୍ରତିବାଦ କରିଛନ୍ତି ।

ଆଇନଶୃଙ୍ଖଳା ଦୃଷ୍ଟିରୁ କାର୍ୟ୍ୟକ୍ରମକୁ ବାତିଲ କରିବା ପାଇଁ କଟକ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି ସଭାପତି । ସାଂସଦ ଜନତାଙ୍କ ସହ ସମ୍ପର୍କ ରଖିନଥିବାରୁ ଜନ ଅସନ୍ତୋଷ ରହିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ବ୍ଲକ ବିଜେଡି ସଭାପତି । ଏହି ଚିଠିରେ ବ୍ଲକର ଅନ୍ୟ କେତେକ କର୍ମକର୍ତାଙ୍କ ଦସ୍ତଖତ ରହିଛି ।

ସାଂସଦ ବିରୋଧୀ ବ୍ୟକ୍ତିଙ୍କ ସହାୟତାରେ ଲୋକାର୍ପଣ କାର୍ୟ୍ୟକ୍ରମର ଆୟୋଜନ କରୁଥିବା କହିଛନ୍ତି ବ୍ଲକ ବିଜେଡି ସଭାପତି । ଫଳରେ ନିଜ ଲୋକସଭା ନିର୍ବାଚନ ମଣ୍ଡଳିରେ ବିରୋଧର ସାମ୍ନା କରିପାରନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ନିଶ୍ଚିନ୍ତକୋଇଲିରେ ସାଂସଦଙ୍କୁ ବିରୋଧ କରିବା ପାଇଁ ବିଜେଡିର ଏକ ଗୋଷ୍ଠୀ ପ୍ରସ୍ତୁତି ହେଉଥିବା ଜଣା ପଡିବା ଏପରି ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ଗତକାଲି ବୁହାଲୋ ସରପଂଚ ସାମ୍ବାଦିକ ସମ୍ମିଳନୀ କରି ସାଂସଦଙ୍କୁ ଭବ୍ୟ ସ୍ୱାଗତ କରାଯିବ ଏବଂ ଉଦଘାଟନ କାର୍ୟ୍ୟକ୍ରମ ସୁରୁଖୁରୁରେ ଶେଷ ହେବ ବୋଲି କହିଛନ୍ତି ।

ଅନ୍ୟପଟେ ବିଜେଡିର ଅନ୍ୟ ଏକ ଗୋଷ୍ଠୀ କାର୍ୟ୍ୟକ୍ରମ ସମୟରେ ଏକ ବିଶାଳ ରାଲିରେ କରିବାର ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଏମିତି ଏକ ଜଳ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ଯାଇଥିବା ବେଳେ ବୈଜୟନ୍ତ ପଣ୍ଡାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଥିଲା । ବିରୋଧୀ ସାଂସଦଙ୍କୁ ଅଣ୍ଡାମାଡ କରିଥିଲେ ।