ପେଟ୍ରୋଲ ପାଇଁ ପ୍ରତିବାଦ ! ତେଲ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାରେ ଯୁବ ଓ ଛାତ୍ର ବିଜେଡି

25

କନକ ବ୍ୟୁରୋ : ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ଯୁବ ଓ ଛାତ୍ର ସଙ୍ଗଠନ ପକ୍ଷରୁ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତୁରନ୍ତ ତୈଳ ଦର ବୃଦ୍ଧି ପ୍ରତ୍ୟାହାର ଦାବି ନେଇ ବିଧାୟକ ସଞ୍ଜୟ ଦାସମହାପାତ୍ର ଓ ବିଧାୟକ ଅରୁଣ ସାହୁଙ୍କ ନେତୃତ୍ୱରେ ବିଜେଡି ଯୁବ ଓ ଛାତ୍ର ସଙ୍ଗଠନର କର୍ମକର୍ତ୍ତାମାନେ ପିଏମଜି ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଜେଡି କର୍ମୀମାନେ ତୈଳ ଦର ବୃଦ୍ଧିର ପ୍ରତିବାଦ କରିବା ପାଇଁ ସାଙ୍ଗରେ ବଳଦଗାଡ଼ି ନେଇ ଆସିଥିଲେ ଓ ଯେଉଁମାନେ ବାଇକ ଆଣିଥିଲେ ସେମାନେ ଏହା ନ ଚଳାଇ ଗଡ଼େଇଗଡ଼େଇ ନେଉଥିବା ଦେଖିବାକୁ ମିଳିଛି।

୭୧ ଟପିଲା ପେଟ୍ରୋଲ ଦର । ରାଜଧାନୀରେ ଏବେ ପେଟ୍ରୋଲ ଲିଟର ପିଛା ୭୧ ଟଙ୍କା ପାର୍ କରିଛି । ଡିଜେଲର ଦର ବି ବୃଦ୍ଧି ପାଇଛି । ରାଜ୍ୟରେ ତେଲ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜେଡି । ଯୁବ ଓ ଛାତ୍ର ବିଜେଡି ରାଜଧାନୀରେ ରାଲିରେ ବାହାରିଛି । ଗତ ତିନି ବର୍ଷ ଭିତରେ ତୈଳ ଦର ସବୁଠାରୁ ଅଧିକ ରହିଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଅନୁପାତରେ ଏହା ଯଥେଷ୍ଟ ଅଧିକ ବୋଲି ଯୁକ୍ତି ଦର୍ଶାଇଛି ବିଜେଡି । ତୈଳ କମ୍ପାନୀ ମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି କେନ୍ଦ୍ର ସରକାର, ଫଳରେ ସାଧାରଣ ଜନତା ହଇରାଣ ହେଉଥିବା ବିଜେଡି ଅଭିଯୋଗ କରିଛି ।