ନିର୍ବାଚନରେ ବିଜେଡିର ଟଙ୍କା ଅନିୟମିତତା ପ୍ରସଙ୍ଗ ! ବିଜେପି-ବିଜେଡି ମୁହାଁମୁହିଁ

26

କନକ ବ୍ୟୁରୋ : ନିର୍ବାଚନରେ ବିଜେଡିର ଟଙ୍କା ଅନିୟମିତତା ପ୍ରସଙ୍ଗ ରାଜନୀତି ଜୋର ଧରିଛି । ଏ ନେଇ ଆଜି ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ବିଜେପି କହିଛି, ନିର୍ବାଚନ କମିଶନଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ବିଜେଡିର ବେଆଇନ ଅର୍ଥର ଗୁମର ଫିଟାଉଛି । ବିଜେଡି ବ୍ୟାଙ୍କ ଖାତାକୁ ସାର୍ବଜନୀନ କରିବା ପାଇଁ ବିଜେପି ଦାବି କରିଛି । ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, ଦୁର୍ନୀତି ରୋକିବାକୁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରୁନାହାନ୍ତି, କେବଳ ଡ୍ରାମା ଓ ସୁଆଙ୍ଗ କରୁଛନ୍ତି ।

ବ୍ୟାଙ୍କ ଖାତା ଯାଇଥିବା ଅର୍ଥର ଉତ୍ସ ସ୍ପଷ୍ଟ କଲେ ନବୀନଙ୍କ ମୁଖା ଖୋଲିବ । ବିଜେଡିର ନିର୍ବାଚନ ପାଣ୍ଠି ସଂଗ୍ରହରେ ଅନିୟମିତତା ନେଇ ନିର୍ବାଚନ କମିଶନଙ୍କୁ ଓଡ଼ିଶାହାଇକୋର୍ଟ ନୋଟିସ୍ କରିଥିଲେ । ସୁବାସ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଆବେଦନର ଶୁଣାଣି କରି ଏହି ନୋଟିସ୍  ଜାରି କରିଥିଲେ ହାଇକୋର୍ଟ । ଗତ ୧୮ ତାରିଖରେ ହାଇକୋର୍ଟ ଏ ନେଇ ନୋଟିସ ଜାରି କରିଥିଲେ ।

ସେପଟେ ବିନା ଅନୁଧ୍ୟାନରେ ଅଭିଯୋଗ ଆଣିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଅମର ଶତପଥୀ । ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଁଛି ବିଜେପି । ଯଦି ବିଜେପି ପିସି ନେଇ ଅଭିଯୋଗ ଆଣୁଛି ତେବେ ପ୍ରଥମେ ତଥ୍ୟ ଭିତିକ ରିପୋର୍ଟକୁ ସାର୍ବଜନୀନ କରୁ । ପୂର୍ବରୁ ସମସ୍ତ ତଥ୍ୟକୁ ଆଧାର କରି ତଦନ୍ତ ଚାଲିଛି । ଉପରାଷ୍ଟ୍ରନତି ନିର୍ବାଚନରେ ନବୀନଙ୍କ ବିଚକ୍ଷଣତା ଗୋଟି ଚାଳନାରେ ବିଜେପି ସହିପାରୁନି । ନବୀନଙ୍କ ଭାବ୍ୟମୂର୍ତି ଦେଶ ସାରା ଚର୍ଚ୍ଚା ଚାଲିଛି । ଏହାକୁ ସହିନପାରି ବିଜେପି ଅପପ୍ରଚାର ଚଳାଇଥିବା ଅମର ଶତପଥୀ କହିଛନ୍ତି ।

ବିଜେପିର ଅଭିଯୋଗ ନେଇ ବିଜେଡି ଦଳର କୋଷାଧ୍ୟକ୍ଷ ସୁବାସ ସିଂ କହିଛନ୍ତି, ବିଜେପି ଔଷଧ ବିକଳରେ ତାଟିଆ କାମୁଡୁଛି । ନୂଆପଡା ପଂଚାୟତରେ ସଫା ହୋଇଗଲେ । ଏଥିରୁ ଲୋକଙ୍କ ମନ ହଟାଇବାକୁ ଏପରି ଅବାସ୍ତବ ଓ ଯୋଜନାବଦ୍ଧ ଯୁକ୍ତି କରୁଛନ୍ତି । ବିଧାନସଭାରେ ଆମେ ବର୍ଷେ ତଳୁ ଏ ନେଇ ସ୍ପଷ୍ଟୀକରଣ ଦେଇସାରିଛୁ । ଏହି ମାମଲାରେ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବିଜେଡି ଆକାଂଉଟକୁ ଚିଠଫଣ୍ଡ ଟଙ୍କା ଯାଇଛି । ସିବିଆଇ ବିଜେଡି ଆକାଂଉଟକୁ ସିଜ କରି ମୁଖ୍ୟମନ୍ତ୍ରୀଙ୍କୁ ଜେରା କରିବାକୁ ସେ ଦାବି କରିଛନ୍ତି ।