ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେବା ପ୍ରସଙ୍ଗ ! ଧର୍ମେନ୍ଦ୍ର କହିଲେ, ଭଲ ଲୋକ ଦଳରେ ମିଶିଲେ ତାଙ୍କୁ ସ୍ୱାଗତ କରିବୁ

41

କନକ ବ୍ୟୁରୋ : କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯିବାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଏ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ଭଲ ଲୋକଙ୍କୁ ଦଳକୁ ସ୍ୱାଗତ କରିବୁ । ଯେତେ ଭଲ ଲୋକ ଦଳରେ ଯୋଗଦେବେ ସେତେ ଦଳ ପାଇଁ ଭଲ ।

ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ନେତୃତ୍ୱରେ କାମ କରିବା ଗୌରବର ବିଷୟ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଗତକାଲି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନେଇ ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଟିଭିରେ ପ୍ରସାରିତ ଖବର ବିଜେଡି ରାଜନୀତିକୁ ଦୋହଲାଇ ଦେଇଛି । ଆଉ ଅନେକ ଦିନ ଧରି ଯେଉଁ ଚର୍ଚ୍ଚା ଚାଲିଥିଲା ତାକୁ ବଢ଼ାଇବା ପାଇଁ ଏହି ଖବର ଖୋରାକ୍ ଯୋଗାଇଛି ।

ନବୀନଙ୍କ ଶଙ୍ଖ ଦଳ ଛାଡ଼ି ବୈଜୟନ୍ତ, ଅମିତ ଶାହାଙ୍କ ପଦ୍ମ ପୋଖରୀକୁ ଡେଇଁବା ନେଇ ଯେଉଁ ଖବର ରିପବ୍ଳିକ୍ ଟିଭି ପ୍ରସାରଣ କରିଛି, ତାହା ଏବେ ଓଡ଼ିଶା ରାଜନୀତିରେ ସୃଷ୍ଟି କରିଛି ଏକ ନୂଆ ଝଡ଼ । ବିଜେପିର ଟପ୍ ନେତାଙ୍କ ସହ ଏହି ଚ୍ୟାନେଲର ସମ୍ବାଦିକଙ୍କ ସିଧାସଳଖ ଲିଙ୍କ୍ ଥିବାରୁ ଏହି ଖବରକୁ ସଂପୂର୍ଣ୍ଣ ଭୁଲ କହିବା ହୁଏତ ଠିକ୍ ହେବ ନାହିଁ ।

ସେହିପରି କେନ୍ଦ୍ରମନ୍ତ୍ରୀ ରାମକୃପାଳ ଯାଦବ ମଧ୍ୟ ବୈଜୟନ୍ତ ପଣ୍ଡାଙ୍କୁ ପ୍ରଶଂସାରେ ପୋତିଦେଇଛନ୍ତି । ବୈଜୟନ୍ତ ପଣ୍ଡା ଜଣେ ଭଲ ଲୋକ । ତାଙ୍କର ବ୍ୟକ୍ତିତ୍ୱ ଅଛି । ସେ ବିଜେପିରେ ଯୋଗ ଦେଲେ ତାଙ୍କୁ ସ୍ୱାଗତ କରାଯିବ ବୋଲି କହିଛନ୍ତି ରାମକୃପାଳ ।

ତେବେ ଏଠାରେ ବଡ ପ୍ରଶ୍ନ ଉଠୁଛି, ବିଜେପି ଯାଉଛନ୍ତି କି ବୈଜୟନ୍ତ ପଣ୍ଡା । ବ୍ରିଟେନରେ ଥିଲେ ବି ଚର୍ଚ୍ଚାକୁ କାହିଁକି ଖଣ୍ଡନ କରୁନାହାନ୍ତି କେନ୍ଦ୍ରାପଡା ସାଂସଦ । ଖବରରେ ରହିଛି କି ସତ୍ୟତା । ଖବର ନେଇ ବୈଜୟନ୍ତ ପଣ୍ଡା ନୀରବ କାହିଁକି ଅଛନ୍ତି । ଗତକାଲି ଏହି ଖବର ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ରାଜ୍ୟ ରାଜନୀତିରେ ଦେଖାଦେଇଛି ନୂଆ ଝଡ ।