କନକ ବ୍ୟୁରୋ: କେନ୍ଦ୍ର ଉପରେ ବର୍ଷିଲେ ବରିଷ୍ଠ ମନ୍ତ୍ରୀ ତଥା ବିଜେଡି ଉପସଭାପତି ଦାମୋଦର ରାଉତ । ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ଓ ମୋଦି ସରକାରକୁ ଟାର୍ଗେଟ କରିଛନ୍ତି ଦାମ । ଗତକାଲି ନବୀନ ଦଳୀୟ କାର୍ଯ୍ୟକ୍ରମରେ ପରୋକ୍ଷରେ ବିଜେପିକୁ ସମାଲୋଚନା କରିଥିବାବେଳେ ଆଜି ଦାମଙ୍କ ମନ୍ତବ୍ୟ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟିକରିଛି । ପୁଣି କେନ୍ଦ୍ର ଅବହେଳା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଦାମ । ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ଷେତ୍ରରେ ଓଡିଶାକୁ ଅବହେଳା କରାଯାଉଥିବା କହିଛନ୍ତି ଦାମ । ସେହିପରି ସବୁ ପରମ୍ପରା ଓ ବିଧି ବିଧାନକୁ ଭୁଲି ଶାସନ ଚଳାଇଛନ୍ତି । ଦେଶର ୩୦ ରାଜ୍ୟରେ ମନଇଚ୍ଛା ଶାସନ କରିବା ମୋଦିଙ୍କ ଲକ୍ଷ୍ୟ ବୋଲି ଦାମ କଟାକ୍ଷ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦି ସରକାରଙ୍କ ଉପରେ ପରୋକ୍ଷ ଆକ୍ରମଣ କରିବା ପରେ ଆଜି ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଅମିତ ଶାହଙ୍କ ପୁଅ ସମ୍ପତି ମାମଲାରେ ପ୍ରଶ୍ନ ଉଠାଇଛି । ବରିଷ୍ଠ ମନ୍ତ୍ରୀ ତଥା ଦଳର ଉପସଭାପତି ଡାକ୍ତର ଦାମ ରାଉତ କହିଛନ୍ତି, ଅମିତ ଶାହଙ୍କ ପୁଅଙ୍କ ସମ୍ପତି କେମିତି ୧୬ ହଜାର ଗୁଣ ବଢିଲା ସେ ନେଇ ବିଜେପି ଉତର ରଖିବା ଦରକାର । ଏହି ସମ୍ବଦନଶୀଳ ପ୍ରସଙ୍ଗ ସହ ବିଜେଡି ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ପ୍ରଶ୍ନ ପଚାରିଛି । ଧାନର ଏମଏସପି ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ସରକାର ଚାଷୀଙ୍କ ବିକାଶ ପାଇଁ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ଉପସଭାପତି ।
ନିର୍ବାଚନ ପୂର୍ବରୁ ମୋଦି ଶହେ ଦିନରେ କଳାଧନ ଫେରାଇଆଣିବାକୁ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ପ୍ରତିବର୍ଷ ୧କୋଟି ବେକାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଥିଲେ । ବିଜେପି ସରକାରକୁ ଆସିଲେ ପ୍ରତି ପରିବାରକୁ ପନ୍ଦର ଲକ୍ଷ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମୋଦି । ବିମୁଦ୍ରାକରଣରୁ କଣ ମିଳିଲା ଏବଂ କଳାଧନ ଫେରାଇ ଆଣିବେ ବୋଲି କହିଥିବା ମୋଦିଙ୍କ ପ୍ରତିଶ୍ରୃତି କୁଆଡେ ଗଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଦାମ । ଏପରିକି ୧୩୪ ଦେଶ ବୁଲିବା ପରେ ଦେଶକୁ କେତେ ପୁଞ୍ଜି ଆସିଛି ବୋଲି ଦାମ ପ୍ରଶ୍ନ ଉଠାଇଛନ୍ତି । ମୋଦିଙ୍କ ପୋଷାକ ଉପରେ ପ୍ରଶ୍ନ ଉଠାଇଛି ବିଜେଡି । ମୋଦିଙ୍କ ପୋଷାକ ଉପରେ ବି ପ୍ରଶ୍ନ ଉଠାଇ ରାଜ୍ୟ ବିଜେପି ନେତାଙ୍କଠାରୁ ଏହାର ଜବାବ ମାଗିଛନ୍ତି । ଖୋଲା ବିତର୍କର ଆହ୍ୱାନ ପୂର୍ବରୁ ମୋ ତଥ୍ୟର ଜବାବ ବିଜେପି ରଖୁ ବୋଲି ଚ୍ୟାଲେଂଜ କରିଛନ୍ତି ବରିଷ୍ଠ ମନ୍ତୀ ଦାମୋଦର ରାଉତ । ସେହିପରି ବିଜେପି ଶାସିତ ରାଜ୍ୟ ସହ ଓଡିଶା ବିକାଶ ଗତିର ଏକ ତୁଳାନାତ୍ମକ ତଥ୍ୟ ରଖିଛନ୍ତି ।
ଦାମଙ୍କ ପ୍ରଶ୍ନର ଜବାବ ରଖିଛି ବିଜେପି । ବିଜେପି ମୁଖପାତ୍ର ସଜ୍ୱନ ଶର୍ମା କହିଛନ୍ତି ବିଜେପି ପ୍ରଶ୍ନରେ ବିଚଳିତ ହୋଇପଡିଛି ବିଜେଡି । ମୂଳ ପ୍ରଶ୍ନର ଉତର ଦାମ ବାବୁ ଦେଉନାହାନ୍ତି । କୃଷି ବିଭାଗ ଛାଡି ଦାମ ରାଉତ ଅନ୍ୟ ବିଭାଗ କଥା କହୁଛନ୍ତି ବୋଲି ସଜ୍ଜନ କହିଛନ୍ତି । ସରକାର ମେଡିକାଲରେ ପ୍ରସବ ହାର ବଢିଥିବା କଥା କହୁଛନ୍ତି କିନ୍ତୁ ଖଟିଆରେ ପ୍ରସୂତୀମାନେ ବୁହାହୋଇଯାଉଛନ୍ତି । ଏଥିରୁ ସରକାରଙ୍କ ବିକାଶଧାରା ସ୍ପଷ୍ଟ ହୋଇଯାଇଛି ବୋଲି କହିଛନ୍ତି ସଜ୍ଜନ ଶର୍ମା ।
ଜିଏସଟି ଓ ବିମୁଦ୍ରାକରଣ ପ୍ରସଙ୍ଗରେ ବିଜେଡି ବିଜେପିକୁ ନିଃସର୍ତ ସମର୍ଥନ ଜଣାଇଥିଲା । ତେବେ ଓଡିଶାରେ ବିଜେପିର ସଂଗଠନକୁ ମଜବୁତ କରିବା ହେଉ କିମ୍ବା ଶାସନ କରିବା ଲକ୍ଷ୍ୟରେ ବିଜେପିର ଆକ୍ରମଣାତ୍ମକ ପଦକ୍ଷେପ ପରେ ବିଜେଡି ତା ଆଭିମୁଖ୍ୟରେ ପରିବର୍ତନ କରିଛି । ସାଲିଆ ସାହି ଓ ୟୁନିଟ -୬ ପଡିଆରେ ବିଜେପିକୁ ନବୀନଙ୍କ ପରୋକ୍ଷ ସମାଲୋଚନା ପରେ ମୈଦାନକୁ ଓହ୍ଲାଇଛନ୍ତି ଦାମ ରାଉତ । ବିଜେପିକୁ ପାଲଟା ଆକ୍ରମଣ କରିଛନ୍ତି ଦାମ ।
ଦାମଙ୍କ ଖୋଲା ବିତର୍କ ଜାତୀୟ ରାଜନୀତିରେ ବଡ ପରିବର୍ତନ ଆଣିପାରେ । ବିଜେପି ଠାରୁ ଦୂରତ୍ୱ ବଢାଉଛି କି ବିଜେଡି ? ଆଗରୁ କେବେ ନବୀନ, ମୋଦିଙ୍କ ବିରୋଧରେ ସାମିଲ ହେବେ କି ? ପୂର୍ବରୁ ନବୀନ ମୋଦିଙ୍କୁ ସମାଲୋଚନା କରିବା ଦେଖାଯାଇନଥିଲା । ଜାତୀୟ ରାଜନୀତିରେ ଏହାର ପ୍ରଭାବ କଣ ପଡିବ ? ଜାତୀୟ ରାଜନୀତିରେ ମୋଦିଙ୍କ ସହ ନବୀନ ରହିବେ କି ନାହିଁ ସେ ସବୁ ସ୍ପଷ୍ଟ ହୋଇପାରେ । ନବୀନ-ମମତା-ଲାଲୁ -ଅଖିଳେଶ ୟୁପିଏ ସହ ମେଂଟ କରିବେ କି ? ବିରୋଧୀ କ୍ୟାମ୍ପରେ ସାମିଲ ହେବେ କି ନବୀନ ? ଦାମଙ୍କ ଏହି ବୟାନ ପରେ ଏଭଳି କଳ୍ପନାଜଳ୍ପନା ପ୍ରକାଶ ପାଇଛି ।