ବେତନ ବଢ଼ାଇ ବଜାଇଲେ ବିଗୁଲ୍ ! ନିର୍ବାଚନ ମୁହାଁ କି ନବୀନ ସରକାର?

31

କନକ ବ୍ୟୁରୋ : ପାଖେଇ ଆସୁଛି କି ନିର୍ବାଚନ? ଶାସକ ଦଳର ପ୍ରସ୍ତୁତିକୁ ଦେଖିଲେ ଲାଗୁଛି ଓଡ଼ିଶାରେ ହୋଇପାରେ ଆଗୁଆ ନିର୍ବାଚନ । ସରକାରଙ୍କ ମନଲୋଭା ଯୋଜନା ଜରିଆରେ ଭୋଟ୍ ବ୍ୟାଙ୍କକୁ ସୁରକ୍ଷିତ ରଖିବାର ପ୍ରୟାସ । ଏବଂ ଛୋଟିଆ ଛୋଟିଆ କଥାରେ ରାଜ୍ୟ ବ୍ୟାପି ପ୍ରଚାର, ବୋଧହୁଏ ଏଇୟା ବୟାନ୍ କରୁଛି ଯେ, ସରକାର ୨୦୧୯ର ବହୁ ପୂର୍ବରୁ ନିର୍ବାଚନ ସାମ୍ନା କରିବାକୁ ଯାଉଛନ୍ତି ।

ସହରୀ ଗରିବଙ୍କ ପାଇଁ ଜମି : ପୌର ନିର୍ବାଚନ ପୂର୍ବରୁ ମାଷ୍ଟର ଷ୍ଟ୍ରୋକ୍
ଘନ ଘନ କ୍ୟାବିନେଟ୍ ବୈଠକ ଭିତରେ, ପୌର ନିର୍ବାଚନ ପୂର୍ବରୁ ନବୀନ ସରକାର ଆଣିଛନ୍ତି, ଜମି ନିଅ ଭୋଟ୍ ଦିଅ ଅଫର । ସହରୀ ବସ୍ତିବାସିନ୍ଦାଙ୍କୁ ଜମିର ଅଧିକାର ନେଇ କ୍ୟାବିନେଟ୍ ନିଷ୍ପତି ହୋଇଛି । ଆଉ କାର୍ଯ୍ୟକାରୀ ପାଇଁ ଆସୁଛି ଅଧ୍ୟାଦେଶ । ଯେଉଁଥିରେ ତିଆରି ହେବ ୨ରୁ ୩ ଲକ୍ଷ ପରିବାରର ଭୋଟ୍ ବ୍ୟାଙ୍କ ।

ବିଜେଡିର ପୁରସ୍କାର ପ୍ରଚାର : ପୁରସ୍କାର ପ୍ରଶଂସା ସାଉଁଟା ଅଭିଯାନ
ଆଉଟଲୁକ୍ ପତ୍ରିକା ଦ୍ୱାରା ନବୀନ ଦେଶର ଶ୍ରେଷ୍ଠ ପ୍ରଶାସକ ପୁରସ୍କୃତ ହେବା ପରେ ବିଜେଡି ଯେଉଁଭଳି ଭାବରେ ପ୍ରଚାର ଅଭିଯାନ ଚଳାଇଛି, ତାହା କୌଣସି ନିର୍ବାଚନୀ ପ୍ରଚାରଠାରୁ କମ୍ ନୁହେଁ । ପୁରସ୍କାରକୁ ପାରଦର୍ଶିତାର ପ୍ରମାଣ ଭାବରେ ଚିତ୍ରଣ ଭୁବନେଶ୍ୱରରୁ ଗାଁକୁ ଯିବା ପାଇଁ ରଣନୀତି ପ୍ରସ୍ତୁତି କରୁଛି ।

ସରକାରୀ କର୍ମଚାରୀଙ୍କୁ ପୂଜାଭେଟି : ଭୋଟ୍ ବ୍ୟାଙ୍କ୍ ସୁରକ୍ଷାର ନୂଆବାଟ ?
ଓଡ଼ିଶାରେ ଆଗୁଆ ନିର୍ବାଚନର ମାହୋଲ । ଆଉ ଏହି ସୁଯୋଗକୁ ହାତ ଛଡ଼ା କରିବାକୁ ଚାହୁଁ ନାହାଁନ୍ତି । ଆଉ ପୂଜାଭେଟି ଭାବରେ ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି ସପ୍ତମ ବେତନ କମିଶନ । ଏଥିରେ ଉପକୃତ ହେବ ପ୍ରାୟ ସାଢ଼େ ୪ ଲକ୍ଷ କର୍ମଚାରୀ ଏବଂ ସାଢ଼େ ୩ ଲକ୍ଷ ପେନସନ୍ ଭୋଗୀ । ଯାହା ଶାସକ ଦଳ ପାଇଁ ଏକ ବଡ ଭୋଟ୍ ବ୍ୟାଙ୍କ୍ ଭାବେ ସାବ୍ୟସ୍ତ ହୋଇପାରେ ।

ଏତିକିରେ ସରିନି ବିଜେଡିର ନିର୍ବାଚନ ପ୍ରସ୍ତୁତି । କୁହାଯାଉଛି- ଆଗକୁ କୃଷକଙ୍କୁ ସରକାର ଦେଖାଇ ପାରନ୍ତି କିଛି ସୁନେଲୀ ସ୍ୱପ୍ନ । ଋଣ ଛାଡ଼ କିମ୍ବା ସେଭଳି କିଛି ଯୋଜନା ଘୋଷଣା କରିବା ନେଇ ସଂଭାବନା ସୃଷ୍ଟି ହୋଇଛି । ସେହିପରି ରାଜରାସ୍ତାରେ ଧାରଣା ଦେଉଥିବା ଶିକ୍ଷକଙ୍କ ଉପରେ ପଡ଼ିପାରେ ସରକାରଙ୍କ ଶୁଭଦୃଷ୍ଟି । ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ୬୦ ହଜାର ପରିବାରଙ୍କ ଭୋଟକୁ କିଛି ସ୍ୱାନ୍ତନା ମୁଳକ ଘୋଷଣା କରିପାରନ୍ତି ।

ବିଜେଡି ଭଳି ବିଜେପି ମଧ୍ୟ ଆଗୁଆ ନିର୍ବାଚନ ସଂଭାବନାକୁ ଦୃଷ୍ଟିରେ ଚଳାଇଛନ୍ତି ଜୋରଦାର ପ୍ରସ୍ତୁତି । ଅମିତ ଶାହାଙ୍କ ଘନ ଘନ ଓଡ଼ିଶା ଗସ୍ତ ଏବଂ ତୁହାକୁ ତୁହା କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସି ବିଜେଡି ସରକାରକୁ ଚ୍ୟାଲେଂଜ୍ କରିବା, ଓଡ଼ିଶାରେ ରାଜନୀତିର ମାହୋଲକୁ ସରଗରମ କରୁଛି । ଆଉ ଏହାରି ଭିତରେ ପୁଣି ୫ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଓଡ଼ିଶାର ସଂସଦୀୟ କ୍ଷେତ୍ର ଜଗିବାକୁ ଦାୟତ୍ୱ ଦିଆଯାଇଛି । ଏହି ସବୁ ଘଟଣା ବୋଧହୁଏ ପ୍ରମାଣ କରୁଛି, ଓଡ଼ିଶା ଦେଖିବାକୁ ଯାଉଛି ଆଗୁଆ ନିର୍ବାଚନ ।