ଉପନିର୍ବାଚନ ପୂର୍ବରୁ ଜୋରଧରିଲା ଆରୋପ ପ୍ରତ୍ୟାରୋପର ରାଜନୀତି : ବିଜେପି ଅଭିଯୋଗର ଜବାବ ରଖିଛି ବିଜେଡି

36

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ମତଦାନ ପୂର୍ବରୁ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିଛି ବିଜେପି । ଅବାଧ ଓ ମୁକ୍ତ ଉପନିର୍ବାଚନ ପାଇଁ ବରଗଡ ଜିଲ୍ଲାପାଳ ଜାମିନ ଷଡଙ୍ଗୀ ଓ ଏସପି ଜୟନାରାୟଣ ପଙ୍କଜଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ୍, ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଦେଓ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟିକା ରାଧାରାଣୀ ପଣ୍ଡା ଏସପି ଓ ଜିଲ୍ଲାପାଳଙ୍କୁ ଭେଟିବା ପରେ ବିଜେପି ପକ୍ଷରୁ ପ୍ରେସମିଟ୍ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ବିଜେପୁରର ନିର୍ବାଚନରେ ରାଜନୈତିକ ଲଢେଇ ହେଉନାହିଁ । ଏଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କିଛି ଅଧିକାରୀ ଲଢୁଛନ୍ତି । ଏମିତି କିଛି ଅଧିକାରୀଙ୍କ ନାଁ ମଧ୍ୟ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେପଟେ ବିଜେପି ଅଭିଯୋଗର ଜବାବ ରଖିଛି ବିଜେଡି । କେନ୍ଦ୍ରମନ୍ତ୍ରୀଙ୍କ ବୟାନ ଲଙ୍କାରେ ହରିଶବ୍ଦ ବୋଲି ବିଜେଡି କହିଛି । ବିନା ତଥ୍ୟରେ ଜଣେ ମନ୍ତ୍ରୀଙ୍କୁ ଅପରାଧୀ ବୋଲି କୁହାଯାଉଛି । ଏବଂ ସୁଶାନ୍ତ ସିଂଙ୍କ ବିରୋଧରେ ଜଦି କୌଣସି ପ୍ରମାଣ ଅଛି ତାହେଲେ ସିଇଓଙ୍କୁ ଦେଉ ବିଜେପି ବୋଲି ବିଜେଡି କହିଛି । ପରାଜୟ ଭୟରେ ବିଜେପି ନିର୍ବାଚନ ବନ୍ଦ କରିବାକୁ ଚାହୁଁଛି ବୋଲି ଅଭିଯୋଗ କରିଛି ବିଜେଡି ।

ଆସନ୍ତା ୨୪ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ୨୮୧ଟି ବୁଥର ବ୍ୟବସ୍ଥା କରାଯାଇଛି । ସେଥିରୁ ୧୫୫ଟି ସମ୍ବେଦନଶୀଳ ଓ ୨୧ଟି ଅତିସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ୨୦ଟି ବୁଥର ମତଦାନ ଉପରେ ନଜର ରଖିବା ପାଇଁ ସିସିଟିଭିର ବ୍ୟବସ୍ଥା କରାଯାଇଛି । ସେହିପରି ୨୦ଟି ବୁଥରେ ୱେବ କାଷ୍ଟିଂ ବ୍ୟବସ୍ଥା ମଧ୍ୟ କରାଯିବ । ଏହାସହ ୪୦ଟି ବୁଥ୍ରେ ମାଇକ୍ରୋ ଅବଜରଭର ରହିବେ । ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା ପରେ ଏଭଳି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଜାମୀନି ଷଡଙ୍ଗୀ ।

ବିଜେପୁରରେ ଆଜି ପ୍ରଚାରର ଶେଷ ଦିନ । ଭୋଟ ଗ୍ରହଣର ୩୬ ଘଂଟା ପୂର୍ବରୁ ପ୍ରଚାର ବନ୍ଦ ହେଉଥିବାରୁ ଆଜି ସଂଧ୍ୟା ପୂର୍ବରୁ ପ୍ରଚାର ବନ୍ଦ ହେବ । ଶେଷ ଦିନରେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ କସରତ ଚଳାଇଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ଆଜି କୌଣସି ସଭା କି ରାଲିର ଆୟୋଜନ କରାଯାଇନାହିଁ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପୁର ଉପନିର୍ବାଚନ ଜିତିବା ସବୁ ରାଜନୈତିକ ଦଳ ପାଇଁ ସମ୍ମାନର ପ୍ରଶ୍ନ । ଆଉ ସେଥିପାଇଁ ପ୍ରାୟ ୨ ସପ୍ତାହ ହେଲା ବିଜେପୁରରେ ଡେରା ପକାଇଛନ୍ତି ବିଜେଡି, ବିଜେପି ଓ କଂଗ୍ରେସର ଅନେକ ଛାମୁଆ ନେତା । ବିଜେଡି ପାଇଁ ପ୍ରଚାର କରିଥିଲେ ଡଜନେ ମନ୍ତ୍ରୀ, ୫୦ରୁ ଅଧିକ ବିଧାୟକ ଓ ଶତାଧିକ ଦଳୀୟ ନେତା । ସେହିପରି ବିଜେପି ପ୍ରାର୍ଥୀଙ୍କ ପାଇଁ ବି ପ୍ରଚାରର ମଙ୍ଗ ଧରିଥିଲେ ମୋଦି କ୍ୟାବିନେଟର ଦୁଇ ଓଡିଆ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ସମେତ ୬ଜଣ କେନ୍ଦ୍ରମନ୍ତ୍ରୀ । ତାରକା ପ୍ରଚାରରେ ବି କେହି କାହାରିକୁ କମ ନଥିଲେ । କଂଗ୍ରେସ ବି ଛାମୁଆ ନେତାଙ୍କ ସହ ଶକ୍ତି ପ୍ରଦର୍ଶନ କରିଛି ।