ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ୍ : କହିଲେ, ବିଜେପୁରର ନିର୍ବାଚନ ଲଢୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ

47

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ମତଦାନ ପୂର୍ବରୁ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିଛି ବିଜେପି । ଅବାଧ ଓ ମୁକ୍ତ ଉପନିର୍ବାଚନ ପାଇଁ ବରଗଡ ଜିଲ୍ଲାପାଳ ଜାମିନ ଷଡଙ୍ଗୀ ଓ ଏସପି ଜୟନାରାୟଣ ପଙ୍କଜଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ୍, ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଦେଓ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟିକା ରାଧାରାଣୀ ପଣ୍ଡା ଏସପି ଓ ଜିଲ୍ଲାପାଳଙ୍କୁ ଭେଟିବା ପରେ ବିଜେପି ପକ୍ଷରୁ ପ୍ରେସମିଟ୍ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ବିଜେପୁରର ନିର୍ବାଚନରେ ରାଜନୈତିକ ଲଢେଇ ହେଉନାହିଁ । ଏଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କିଛି ଅଧିକାରୀ ଲଢୁଛନ୍ତି । ଏମିତି କିଛି ଅଧିକାରୀଙ୍କ ନାଁ ମଧ୍ୟ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ସୂଚନାଯୋଗ୍ୟ ଆସନ୍ତା ୨୪ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ୨୮୧ଟି ବୁଥର ବ୍ୟବସ୍ଥା କରାଯାଇଛି । ସେଥିରୁ ୧୫୫ଟି ସମ୍ବେଦନଶୀଳ ଓ ୨୧ଟି ଅତିସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ୨୦ଟି ବୁଥର ମତଦାନ ଉପରେ ନଜର ରଖିବା ପାଇଁ ସିସିଟିଭିର ବ୍ୟବସ୍ଥା କରାଯାଇଛି । ସେହିପରି ୨୦ଟି ବୁଥରେ ୱେବ କାଷ୍ଟିଂ ବ୍ୟବସ୍ଥା ମଧ୍ୟ କରାଯିବ । ଏହାସହ ୪୦ଟି ବୁଥ୍ରେ ମାଇକ୍ରୋ ଅବଜରଭର ରହିବେ । ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା ପରେ ଏଭଳି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଜାମୀନି ଷଡଙ୍ଗୀ ।