କୃଷ୍ଣପ୍ରସାଦରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ଚିଲିକାରେ ଆତଙ୍କ ! ନଳବଣକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା

ରକ୍ତନମୂନା ସଂଗ୍ରହ କରୁଛନ୍ତି ୬ଟି ଟିମ୍

78

କନକ ବ୍ୟୁରୋ : ପୁରୀ କୃଷ୍ଣପ୍ରସାଦ ବ୍ଲକରେ  ବାର୍ଡ ଫ୍ଲୁ ଚିହ୍ନଟ ପରେ  ଚିଲିକାରେ ଆତଙ୍କ ଖେଳିଯାଇଛି ।   ଚିଲିକା ନଳବଣରେ  ୬ ଭେଟନାରୀ ଟିମ ପହଚିଂ  ରକ୍ତ ନମୂନା ସଂଗ୍ରହ କରିଛନ୍ତି । ନଳବଣ ଭିତରକୁ ମଧ୍ୟ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି  । ବିଦେଶାଗତ ପକ୍ଷୀଙ୍କର  ମୃତଦେହ କାଳେ  କେଉଁଠି ପଡିଥିବ ସେନେଇ ବୋଟରେ ୧୬ଟି ପ୍ରୋଟେକ୍ସନ ଟିମ ବୁଲିି ଦେଖୁଛନ୍ତି  । ନଳବଣ ଭିତରକୁ ଯାଉଥିବା ଟିମ ମାସ ପିନ୍ଧି ଯାଉଛନ୍ତି । ୨ରୁ ୪ଦିନ ତଳେ ଚିଲିକାରୁ ଏକ ବିଦେଶାଗତ ପକ୍ଷୀର ମୃତଦେହ ମିଳିଥିଲା । ତାର ମଧ୍ୟ ରକ୍ତ ନମୂନା ସଂଗ୍ରହ କରାଯାଇଛି । ଚିଲିକା ଆଖପାଖ ଅଂଚଳରେ ମଧ୍ୟ କଡା ନଜର  ରଖାଯାଇଛି  ।

ସେପଟେ କୃଷ୍ଣପ୍ରସାଦ ପରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରୁ ପକ୍ଷୀ ମରିବା ଖବର ସାମନାକୁ ଆସିବାରେ ଲାଗିଛି  । ବାର୍ଡ-ଫ୍ଲୁର ମୁକାବିଲା ପାଇଁ ସରକାର କସରତ ଆରମ୍ଭ କରିଛନ୍ତି । ଗତକାଲି ପୁରୀ ଜିଲ୍ଲାର ସିଡିଭିଓଙ୍କ ନେତୃତ୍ୱରେ ୪୦ଜଣିଆ ଟିମ୍ କୃଷ୍ଣପ୍ରସାଦ ବାର୍ଡଫ୍ଲୁ ପ୍ରଭାବିତ ଅଂଚଳକୁ ଯାଇଥିଲେ । ପ୍ରଥମ ଦିନରେ ପ୍ରଭାବିତ ସ୍ଥାନଠାରୁ ୧କିମି ମଧ୍ୟରେ ୩୯୯ଟି କୁକୁଡା ମରାଯାଇଥିବା ଜଣାପଡିଛି  । ସେହିପରି ୧୦କିମି ମଧ୍ୟରେ ଥିବା ବତକ ଓ ଅନ୍ୟ ଘରୋଇ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଇଛି  । ଆଜି ମଧ୍ୟ ଏହିସବୁ ଅଂଚଳରୁ ନମୁନା ସଂଗ୍ରହ ଅଭିଯାନ ଜାରି ରହିବ ବୋଲି ଜଣାପଡିଛି  ।