ବରଗଛ ଚିହ୍ନରେ ବିନୋଦ । ନିର୍ବାଚନୀ ପରାଜୟରୁ ଜନ୍ମନେଲା ‘ଜ୍ଞାନମଣ୍ଡଳ’ ପରି ଅମୂଲ୍ୟ ନିଧି ।

74

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ‘ଜ୍ଞାନମଣ୍ଡଳ’ର ପ୍ରଣେତା ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କୁ କିଏ ବା ନ ଜାଣେ । ସେ ନିଜେ ଥିଲେ ଜ୍ଞାନର ବରଗଛଟିଏ । ଦେଶର ସାଧାରଣ ଲୋକେ କିପରି ଜ୍ଞାନର ଶକ୍ତିକୁ ବ୍ୟବହାର କରି ଆଗକୁ ବଢ଼ିବେ ସେଥିପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଯାଇଛନ୍ତି । କେବଳ ଅକ୍ଷର ଶିକ୍ଷା କରିଥିବା ସାଧାରଣ ଲୋକଟିଏ ବୁଝିପାରିଲା ଭଳି ଭାଷାରେ ଜ୍ଞାନ ବିଜ୍ଞାନର ଅନେକ କଥାକୁ ସେ ଜ୍ଞାନମଣ୍ଡଳରେ ଲିପିବଦ୍ଧ କରିଯାଇଛନ୍ତି । ନବମ ଶ୍ରେଣୀରୁ ପାଠପଢ଼ା ଛାଡ଼ି ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିବା ବିନୋଦ କାନୁନଗୋ ନିର୍ବାଚନ ରାଜନୀତିରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ସୋସାଲିଷ୍ଟ ପାର୍ଟିର ପ୍ରାର୍ଥୀ ହିସାବରେ ତାଙ୍କର ନିର୍ବାଚନର ଚିହ୍ନ ଥିଲା ‘ବରଗଛ’ ।

୧୯୧୨ ଜୁନ୍ ୬ ତାରିଖରେ କଟକ ଜିଲ୍ଲାର ମଲ୍ଲୀପୁର ଗ୍ରାମରେ ଜନ୍ମନେଇଥିବା ବିନୋଦ କାନୁନଗୋ ମାତ୍ର ଚାଳିଶ ବର୍ଷ ବୟସରେ କିଶନନଗର ନିର୍ବାଚନ ମଣ୍ଡଳିରୁ ସୋସାଲିଷ୍ଟ ପାର୍ଟିର ଟିକେଟରେ ୧୯୫୨ ବିଧାନସଭା ନିର୍ବାଚନ ଲଢ଼ିଥିଲେ । ତାଙ୍କ ବିପକ୍ଷରେ ଥିଲେ କଂଗ୍ରେସ ଦଳର ଟାଣୁଆ ନେତା ରାଜକୃଷ୍ଣ ବୋଷ ।

ନିର୍ବାଚନ ଲଢ଼େଇ ବେଶ୍ ଜମିଥିଲା । ରାଜକୃଷ୍ଣ ବୋଷ ଓ ବିନୋଦ କାନୁନଗୋଙ୍କ ଛଡ଼ା ଆଉ ଜଣେ ସ୍ୱାଧୀନପ୍ରାର୍ଥୀ ବିଶ୍ୱନାଥ ନନ୍ଦ ମଧ୍ୟ ଏହି ନିର୍ବାଚନରେ ପ୍ରତିଦ୍ଵନ୍ଦ୍ୱିତା କରୁଥାଆନ୍ତି । ପ୍ରଚାର ସମୟରେ ସ୍ୱଭାବସୁଲଭ ଭଙ୍ଗୀରେ ବିନୋଦ ବାବୁ ଏକ ଛୋଟ ପୁସ୍ତିକା ଲେଖି ବାଣ୍ଟିଲେ । ପୁସ୍ତିକାଟିର ନାମ- ‘ଆମେ ଭୋଟ ଦେବା କାହିଁକି ?’ ସାବାଳକ ଭୋଟ ପଦ୍ଧତିରେ ସ୍ୱାଧୀନ ଭାରତରେ ଅନୁଷ୍ଠିତ ହେଉଥିବା ଏହି ପ୍ରଥମ ସାଧାରଣ ନିର୍ବାଚନରେ ଏହା ଥିଲା ବିନୋଦ ବାବୁଙ୍କର ଲୋକଶିକ୍ଷା ପାଇଁ ଏକ ପ୍ର୍ରୟାସ ।

କିଶନନଗରରେ ନିର୍ବାଚନ ପ୍ରଚାର ପାଇଁ ସୋସାଲିଷ୍ଟ ନେତା ଜୟପ୍ରକାଶ ନାରାୟଣ, ପତ୍ନୀ ପ୍ରଭାବତୀ ଦେବୀଙ୍କୁ ସାଙ୍ଗରେ ଧରି ସ୍ଥାନୀୟ ଅଳକାତୋଟାରେ ନିର୍ବାଚନୀ ସଭା କରିଥିଲେ ।  ଗାଁ ଗାଁରେ ବିନୋଦ ବାବୁଙ୍କର ପ୍ରତି ସାଧାରଣ ଲୋକଙ୍କର ସ୍ୱତସଫୂର୍ତ୍ତ ସମର୍ଥନ ମିଳୁଥିବାରୁ ତାଙ୍କ କର୍ମୀମାନେ ମଧ୍ୟ ବେଶ୍ ଉତ୍ସାହିତ ଥାଆନ୍ତି । ଏକ ପକ୍ଷରେ ଉତ୍ସାହୀ ଆଦର୍ଶବାଦୀ ଯୁବଗୋଷ୍ଠୀ, ଅନ୍ୟ ପକ୍ଷରେ ଅଭିଜ୍ଞ ଓ କୁଶଳୀ ରାଜନେତା ରାଜକୃଷ୍ଣ ବାବୁ । ପରିଶେଷରେ ରାଜକୃଷ୍ଣ ବୋଷ ହିଁ ୨୪୧୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହେଲେ । ବିନୋଦ କାନୁନଗୋ ୧୧୪୬୮ ଭୋଟ ପାଇଥିଲା ବେଳେ ରାଜକୃଷ୍ଣ ବୋଷ ପାଇଥିଲେ ୧୩୮୮୩ ଖଣ୍ଡ ଭୋଟ୍ ।

ଏହି ନିର୍ବାଚନ ହାରିବା ପରେ ବିନୋଦ କାନୁନଗୋ ସବୁଦିନ ପାଇଁ ରାଜନୀତି ଛାଡ଼ିଦେବା ପାଇଁ ନିଷ୍ପତ୍ତି ନେଲେ । ତାଙ୍କର ଏହି ସମୟର ମାନସିକ ସ୍ଥିତିକୁ ବଡ଼ ଚମତ୍କାର ଭାବରେ ଉପସ୍ଥାପିତ କରିଛନ୍ତି କଥାକାର ସୁରେନ୍ଦ୍ର ମହାନ୍ତି, ବିନୋଦବାବୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ପ୍ରକାଶିତ ‘ସ୍ମାରକୀ ଗ୍ରନ୍ଥ’ରେ ।

ଇଂରାଜୀ ସାପ୍ତାହିକ ‘ଅବଜରଭର’ର ଅଫିସରେ ସମ୍ପାଦକ ମଧୁ ମହାନ୍ତିଙ୍କ ସହ ବିନୋଦ ବାବୁ କଥା ହେଉଥାନ୍ତି । ମଧୁ ମହାନ୍ତି କହିଲେ, ‘‘ଭାଙ୍ଗି ପଡ଼ନାହିଁ ବିନୋଦଟ୍ଟ, ସେଇ କିଶନନଗରରେ ପୁଣି ଲାଗିପଡ଼ ।’’ ବିନୋଦ ବାବୁ କିଛି ସମୟ ନିରବରେ ଗୋଟିଏ କାଚ ପେପର ୱେଟକୁ ହାତରେ ଧରି ତାକୁ କେବଳ ଏ ହାତରୁ ସେ ହାତ, ସେ ହାତରୁ ଏ ହାତ କରିବାରେ ଲାଗିଲେ । ଯେପରି ସେ ଗଭୀର ଭାବରେ କ’ଣ ଗୋଟାଏ ଚିନ୍ତା କରୁଥିଲେ । ଏପରି କେତୋଟି ମୁହୂର୍ତ୍ତ କଟିଯିବା ପରେ ବିନୋଦ ବାବୁ କହିଲେ, ‘‘ମୁ କିନ୍ତୁ ସ୍ଥିର କରିଛି, ଏହା ପରେ ରାଜନୀତି ଛାଡ଼ିଦେବି ।’’ ‘‘କରିବ କ’ଣ ?’’ ମଧୁବାବୁ ପଚାରିଲେ । ବିନୋଦ ବାବୁ ଉତ୍ତର ଦେଲେ, ‘‘ମୁଁ ସ୍ଥିର କରିଛି, ଓଡ଼ିଆରେ ଗୋଟିଏ ‘ଏନ୍ସାଇକ୍ଲୋପେଡ଼ିଆ’ ସଂକଳନ କରିବି ।’’

ନିର୍ବାଚନ ଲଢ଼େଇରେ ବିନୋଦ କାନୁନଗୋ ହାରିଗଲେଏବଂ ରାଜନୀତିରୁ ମନ ଫେରାଇନେଲେ । ବିଧାନସଭା ତାଙ୍କ ଭଳି ଜଣେ ଜ୍ଞାନବୃକ୍ଷଙ୍କୁ ହରାଇଲା । କିନ୍ତୁ ଆମ ସମସ୍ତଙ୍କର ସୌଭାଗ୍ୟ, ଆମେ ପାଇଲେ ‘ଜ୍ଞାନମଣ୍ଡଳ’ ପରି ଏକ ଅମୂଲ୍ୟ ନିଧି ।

Comments are closed.