କେନ୍ଦ୍ରାପଡ଼ା ମିଶ୍ରଣ ପର୍ବ ପୂର୍ବରୁ ବିଜୟଙ୍କ ବିସ୍ଫୋରଣ ! କହିଲେ, ସଭା ସଂପର୍କରେ କେହି ଅବଗତ କରିନାହାନ୍ତି

57

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଇଛାପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ମିଶ୍ରଣ ପର୍ବ ହେବ । ତେବେ ମିଶ୍ରଣ ସଭାକୁ କେନ୍ଦ୍ରାପଡ଼ାର ପ୍ରଭାବଶାଳୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ଡକାଯାଇନାହିଁ । ଯାହାକୁ ନେଇ ବିସ୍ଫୋରଣ ବୟାନ ଦେଇଛନ୍ତି ବିଜୟ ମହାପାତ୍ର । ସେ କହିଛନ୍ତି କି, ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ମୁଁ ଜାଣିନାହିଁ । ମୋ ସହିତ ବିଜେପି ନେତୃବୃନ୍ଦ ଆଲୋଚନା କରିନାହାନ୍ତି । ମୋ ନିର୍ବାଚନମଣ୍ଡଳୀର କର୍ମକର୍ତ୍ତା ଏହାକୁ ବର୍ଜନ କରିବେ ବୋଲି କହିଥିଲେ ।

ସେହିଭଳି ମହାନଦୀ ଓ ଆଇଓସିଏଲ ପ୍ରସଙ୍ଗରେ ମୋ ସ୍ୱର ଠିକ ଥିଲା ବୋଲି କହିଛନ୍ତି ବିଜୟ ମହାପାତ୍ର । ସେ କହିଛନ୍ତି, ମୁଁ ଯଦି କିଛି ଭୁଲ କହିଛି ସମସ୍ତେ ତାକୁ ବିରୋଧ କରିପାରିବେ । ଆଇଓସିଏଲ ପ୍ରସଙ୍ଗରେ ସଂପୃକ୍ତ ସଂସ୍ଥା ଉତ୍ତର ଦେବା କଥା । ଅନ୍ୟମାନେ ଦଲାଲ ସାଜି କାହିଁକି ଉତ୍ତର ଦେଉଛନ୍ତି । ଆଇଓସିଏଲ କଣ ବିଜେପିର କି ବୋଲି ସେ ପ୍ରଶ୍ନ କରିଛନ୍ତି । ୩ ବର୍ଷ ହେଲା ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ କେହି ବି ନିଯୁକ୍ତି ପାଇନାହାନ୍ତି । ଏହି ଜିଲ୍ଲାରୁ କେତେ ନିଯୁକ୍ତି ପାଇଁ ତାର ପ୍ରମାଣ ଦେବାକୁ ବି ବିଜୟ ଦାବି କରିଛନ୍ତି । ସେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିନଥିଲେ ବୋଲି କହିଛନ୍ତି ବିଜୟ ମହାପାତ୍ର ।