ବଦଳିବ କି ବରଗଡ଼ର ପରିଚୟ? ବିଜେପୁର ବଢ଼ାଇଲା ପଶ୍ଚିମ ଓଡ଼ିଶାର ଗୁରୁତ୍ବ, ନବୀନଙ୍କ ପ୍ୟାକେଜକୁ ଅପେକ୍ଷା କରିଛନ୍ତି ମତଦାତା
କନକ ବ୍ୟୁରୋ: ପ୍ରାକ୍ ସ୍ବାଧୀନତା କାଳରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମଭୂମି କାରଣରୁ ବରଗଡ ଅଞ୍ଚଳ ଭାରତରେ ପରିଚିତି ଲାଭ କରିଥିଲା। ବୁଣାକାର ପ୍ରମୁଖଙ୍କୁ ନେଇ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କ ସମବାୟ ଆନ୍ଦୋଳନ ବିଶ୍ବ ଦରବାରରେ ପହଞ୍ଚିଥିଲା। ସମ୍ବଲପୁର ବସ୍ତ୍ର ଆଜି ବିଦେଶରେ ବି ସ୍ବତନ୍ତ୍ରତା ରଖେ। ଓଡ଼ିଶାରେ ସ୍ବଚ୍ଛ ଭାରତର ଦିଶା ନିର୍ଣ୍ଣୟ କରିଥିଲା ବରଗଡର ବରପାଲି। ଏହି ପାଇଖାନା ଓଡ଼ିଶାର ପ୍ରାୟ ସବୁ ଘରେ ଜଣାଶୁଣା ଓ ଏହା ସେ ସମୟର ସ୍ବଚ୍ଛତା କ୍ଷେତ୍ରରେ ଏକ ବଡ଼ ଆନ୍ଦୋଳନ ବୋଲି କୁହାଯାଇପାରେ। ସ୍ବାଧୀନତା ପରେ ଜଳସେଚନ କାରଣରୁ ଚାଷକୁ ନେଇ ବରଗଡ ଆଜି ଏକ ପ୍ରମୁଖ ସ୍ଥାନରେ।
Kanak News is now on WhatsApp
Join and get latest news updates delivered to you via WhatsApp
ପାର୍ବତୀ ଗିରିଙ୍କ ସେବା, ପାଵାରଲୁମ୍, ଚିନିକଳ, ସ୍ପିନିଂ ମିଲ୍ ଓ ସବୁଠାରୁ ବଡ଼ ଆରସିଏମଏସ, ସିମେଣ୍ଟ କାରଖାନା ଏମିତି ଡଜନେରୁ ଅଧିକ ପ୍ରସଙ୍ଗ,ବ୍ୟକ୍ତିଙ୍କ ଅବଦାନ ବିଭିନ୍ନ ସମୟରେ ସମୃଦ୍ଧି ଆଣିବାରେ ବେଶ୍ ସହାୟକ ହୋଇଛି ସତ କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ବରଗଡ ଜିଲ୍ଲାର ପରିଚୟ ସଙ୍କଟ ଭିତରକୁ ଚାଲିଯିବାକୁ ବସିଥିଲା। ହଠାତ୍ କିନ୍ତୁ ଏହି ଜିଲ୍ଲାର ଗୁରୁତ୍ବ କେବଳ ପଶ୍ଚିମ ଓଡ଼ିଶା ନୁହେଁ, ସାରା ରାଜ୍ୟରେ ବୃଦ୍ଧି ପାଇଛି। ବିଜେପୁର ଉପନିର୍ବାଚନ ପରେ କିଛି ମାସ ପାଇଁ ରାଜନୀତି ଦୃଶ୍ୟପଟ୍ଟରୁ ଉଭେଇ ଯାଇଥିବା ଏହି ଜିଲ୍ଲା ୨୦୧୯ ସାଧାରଣ ନିର୍ବାଚନ ସହିତ ପୁଣି ଆଲୋଚନା ଭିତରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବିଜେପୁରରୁ ପ୍ରାର୍ଥୀ ହୋଇ ଏହାକୁ ଆଧାର ଯୋଗାଇଛନ୍ତି।
ବିକାଶର ତିନିଟି ପ୍ରମୁଖ ମାପକାଠି ବୋଲି କୁହାଯାଉଥିବା କୃଷି,ସମବାୟ ଓ ଶିଳ୍ପକୁ ନେଇ ଗୋଟିଏ ସମୟରେ ଅନ୍ୟ ସମସ୍ତ ଜିଲ୍ଲା ଠାରୁ ଆଗୁଆ ଥିବା ଏହି ସହର ସମ୍ଭବତଃ ପ୍ରଥମ ଥର ପାଇଁ ରାଜନୈତିକ କାରଣରୁ ଉଭୟ ଜାତୀୟ ଓ ରାଜ୍ୟ ରାଜନୀତିର ଦୃଷ୍ଟି ଆକର୍ଷଣ କରିଛି। ବିଜେପୁର ଆସନରେ ନବୀନ ନାମାଙ୍କନ ପତ୍ର ଦାଖଲ କରିବା ପରେ କେଉଁଠି ନା କେଉଁଠି ବାରି ହେଉଛି ଯେ ସ୍ଥାନୀୟ ଲୋକେ ବିକାଶକୁ ନେଇ କିଛି ନୂଆ ରାସ୍ତା ବାହାରିବ ବୋଲି ଆଶାବାଦୀ ଅଛନ୍ତି। ଆଜି ଦିନରେ ଚାଷ ବଞ୍ଚିଛି। କିନ୍ତୁ ନିୟମିତ ବ୍ୟବଧାନରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ପାଲଟିଛି। ଜଣେ କି ଦୁଇ ଜଣ ନୁହେଁ, ପାଖାପାଖି ୪୦ହଜାର ବୁଣାକାର ଏଠାରେ ଜୀବନ ଜୀବିକା ସଂଘର୍ଷରେ ଆଉଟୁପାଉଟୁ ହେଉଛନ୍ତି। ଆଖୁ ଉତ୍ପାଦନ ହେଉଛି, ଜିଲ୍ଲାର ଚାଷୀ ଲାଭ ପାଉନାହିଁ। ଏସିସି ସିମେଣ୍ଟ ଏକମାତ୍ର ଶିଳ୍ପାନୁଷ୍ଠାନ।
ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଶ୍ବାସ କରୁଛନ୍ତି, ରାଜନୀତିର ଛାଇ ପଡିଲେ ବିକାଶର ପାଦ ପଡେ। ଆଉ ଶୀର୍ଷ ନେତୃତ୍ବ ଯେବେ କୌଣସି ଅଞ୍ଚଳକୁ ଆପଣେଇ ନିଅନ୍ତି, ତାହା ବିକାଶର ପରିଭାଷା ବେଳେ ବେଳେ ବଦଳାଇ ଦେଇଥାଏ। ବିଜେପୁର ଉପନିର୍ବାଚନକୁ ଜିଣିବା ଲାଗି ରାଜ୍ୟ ସରକାର ଯେତେ କୋଟି ଟଙ୍କାର ପ୍ରକଳ୍ପ ବିଛାଡିଥିଲେ, ବରଗଡ ଜିଲ୍ଲା ଏକାସାଙ୍ଗରେ ଏତେ ପ୍ରକଳ୍ପ ଆଗରୁ ବା ଏହି ଜିଲ୍ଲାର ଜନ୍ମ ଜାତକ ଫିଟିବା ଠାରୁ ପ୍ରାୟ ଦେଖିନଥିଲା। ଅବଶ୍ୟ ଏଥିରୁ ଅନେକ ପାଇପ ଲାଇନରେ ଅଛି। ହେଲେ ଆଶା କିନ୍ତୁ ଫିକା ପଡିନି।
ଭୋଟରଙ୍କ ମତରେ, ନବୀନ ପଟ୍ଟନାୟକଙ୍କ ବିରୋଧରେ ସେମାନଙ୍କର ସବୁଠାରୁ ବଡ଼ ଅଭିଯୋଗ ହେଲା, ମୁଖ୍ୟମନ୍ତ୍ରୀ ପଞ୍ଚମ ଥର ପାଇଁ ରାଜ୍ୟ ଶାସନର ମଙ୍ଗ ଧରିବା ପୂର୍ବରୁ ବରଗଡକୁ ନିଜ କର୍ମକ୍ଷେତ୍ର ନିଣ୍ଣୟ କରିଛନ୍ତି ସତ, କିନ୍ତୁ ଜିଲ୍ଲା ପାଇଁ ତାଙ୍କର ଠୋସ୍ ସ୍ବପ୍ନର ନକ୍ସାର ପୂର୍ଣ୍ଣ ଚିତ୍ର ରଖିନାହାନ୍ତି। ସେମାନେ ଆଶା କରୁଛନ୍ତି, ନବୀନ ନିର୍ବାଚନ ପ୍ରଚାର ସମୟରେ ଏ ନେଇ ଅଧିକ ସ୍ପଷ୍ଟ ଚିତ୍ର ଆଙ୍କିପାରନ୍ତି। ଅନ୍ୟପଟରେ ସ୍ଥାନୀୟ ଅଞ୍ଚଳର ନେତାଙ୍କ ଭିତରେ ଆଗ୍ରହ ଯେ ବରଗଡ ଏକ ହେଭିଵେଟ୍ ଜିଲ୍ଲା ଭାବେ ମାନ୍ୟତା ପାଇବ। ଥରେ ରାଜନୈତିକ ଦୃଶ୍ୟପଟ୍ଟରେ ଯଦି ପଶ୍ଚିମ ଓଡ଼ିଶାର ଗୁରୁତ୍ବ ବଢିଲା, ତେବେ ମୁଖିଆଙ୍କ ନଜରକୁ ଅନେକ ନୂଆ ଆସିବେ।
ତେବେ ଭୋଟର ବିଶ୍ବାସ କରୁଛନ୍ତି, ନବୀନଙ୍କ ପ୍ରାର୍ଥିତ୍ବ ତାଙ୍କ ଜିଲ୍ଲାର ଗୁରୁତ୍ବ ବଢାଇବ। ଯଦିଓ ପ୍ରାକ୍ ନିର୍ବାଚନ ରାଜନୀତି ଧ୍ରୁବୀକରଣରେ ପ୍ରମୁଖ ବିରୋଧୀ ଶକ୍ତିଙ୍କର ଧ୍ରୁବୀକରଣ ଘଟିଛି, ତଥାପି ସେମାନେ ଅଧିକ ଦୃଷ୍ଟି ନିବଦ୍ଧ ରଖିବେ ବରଗଡ ଉପରେ। ଗଣମାଧ୍ୟମର ଫୋକସରେ ବି ରହିବ ଜିଲ୍ଲା। କୋଶଳ ଆନ୍ଦୋଳନର ଭାଗ୍ୟ କଣ ହେବ, ତାହା ସମୟ ନିର୍ଣ୍ଣୟ କରିବ, କିନ୍ତୁ ପଶ୍ଚିମ ଓଡ଼ିଶାର ପଛୁଆ ନାରା ବଦଳିବାର ଯଥେଷ୍ଟ ସୁଯୋଗ ସୃଷ୍ଟି ହୋଇଛି।